Home General ବଡ ସୀମା ବିବାଦ କୋଟିଆରେ

ବଡ ସୀମା ବିବାଦ କୋଟିଆରେ

ଭୁବନେଶ୍ୱର : ରାଜ୍ୟର ୧୪ଟି ଜିଲ୍ଲାର ସୀମା ଅନ୍ୟ ରାଜ୍ୟକୁ ଲାଗିକରି ରହିଥିବାବେଳେ କେବଳ କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜକୁ ବାଦ୍‍ ଦେଲେ ପ୍ରାୟତଃ ବଡ ଧରଣର ସୀମା ବିବାଦ ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ।

ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ପଡୋଶୀ ଆନ୍ଧ୍ର ପ୍ରଦେଶ, ଛତିଶଗଡ, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟ ସହିତ ଓଡିଶାର ୧୪ଟି ଜିଲ୍ଲା ଯଥା ବାଲେଶ୍ୱର, ଗଞ୍ଜାମ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୁରଭଞ୍ଜ ଲାଗିଛି । ଏଥିରୁ କେବଳ କୋରାପୁଟର କୋଟିଆ ଗ୍ରାମପୁଞ୍ଜକୁ ନେଇ ସୀମା ବିବାଦ ରହିଛି ।

କୋରାପୁଟ ଜିଲ୍ଲା ଅର୍ନ୍ତଗତ ପଟାଙ୍ଗୀ ତହସିଲର ୨୧ଟି କୋଟିଆ ଗ୍ରାମପୁଞ୍ଜକୁ ନେଇ ଆନ୍ଧ୍ର ପ୍ରଦେଶ ସହିତ ୧୯୬୮ ମସିହାରୁ ସୀମା ବିବାଦ ରହିଆସିଛି । ଏ ସମ୍ପର୍କରେ ଓଡିଶା ସରକାର ଆନ୍ଧ୍ର ସରକାରଙ୍କ ବିରୋଧରେ ମାନ୍ୟବର ସୁପ୍ରିମ୍‍କୋର୍ଟରେ ମାମଲା ଦାଏର କରିଥିଲେ । ୨୦୦୬ରେ ଅଦାଲତ ସ୍ଥିତାବସ୍ଥା ବଜାୟ ରଖିବାପାଇଁ ଉଭୟ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ନିକଟ ଅତୀତରେ ଆନ୍ଧ୍ର ପ୍ରଦେଶ ସରକାର କୋଟିଆ ଗ୍ରାମପୁଞ୍ଜ ଅଧିନସ୍ଥ କିଛି ଗ୍ରାମରେ ପଞ୍ଚାୟତ ତଥା ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ଆଞ୍ଚଳିକ ନିର୍ବାଚନମଣ୍ଡଳୀରେ ନିର୍ବାଚନ କରିବାପାଇଁ ବିଜ୍ଞପ୍ତି ପ୍ରକାଶ କରିବାପରେ ଏହାକୁ ଭଣ୍ଡୁର ଲାଗି ଓଡିଶା ସରକାର ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ଯାହା ବିଚାରାଧିନ ରହିଛି । ଏହାଛଡା ଗତବର୍ଷ ଜାନୁୟାରୀ ମାସରେ ରାଜ୍ୟ ସରକାର ଓଡିଶା ହାଇକୋର୍ଟରେ ଅର୍ଜିନାଲ ସୁଟ୍‍ ଦାଖଲ କରିଛନ୍ତି । ଉଭୟ ରାଜ୍ୟ ନିଜ ନିଜର ମାଲିକାନା ଜାହିର କରୁଥିବାରୁ ଏହି ମାମଲାର ଫଏସଲା ନହେବା ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମନ୍ତ୍ରୀ କହିଛନ୍ତି ଯେ ସୀମାନ୍ତ ଜିଲ୍ଲାଗୁଡିକର ସ୍ଥିତି ସମ୍ପର୍କରେ ଜାଣିବା ନିମନ୍ତେ ୧୫ଦିନିଆ ଗୋପନୀୟ ରିପୋର୍ଟ ଓ ବାର୍ଷିକ ସୀମା ପଥର ଯାଞ୍ଚ ସମ୍ପର୍କୀୟ ତଥ୍ୟ ମଧ୍ୟ ସମସ୍ତ ଜିଲ୍ଲାପାଳଙ୍କ ଠାରୁ ମଗାଯାଉଛି । ଏହା ସହିତ ଓଡିଶା ସରକାର ବିଭିନ୍ନ ସରକାରୀ ସ୍ତରୀୟ ଆଲୋଚନା ମାଧ୍ୟମରେ ମଧ୍ୟ ସୀମା ବିବାଦର ସମାଧାନ ନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ରାଜସ୍ୱମନ୍ତ୍ରୀ କହିଛନ୍ତି । (ତଥ୍ୟ)