Home Finance ବଜେଟ୍‍ ବ୍ୟୟ ୧୫ ପ୍ରତିଶତ ଅଧିକ

ବଜେଟ୍‍ ବ୍ୟୟ ୧୫ ପ୍ରତିଶତ ଅଧିକ

ଭୁବନେଶ୍ୱର : କୋଭିଡ ମହାମାରୀ ସମୟରେ ଅର୍ଥନୀତିକୁ ଟ୍ରାକକୁ ଫେରାଇବାପାଇଁ ରାଜ୍ୟ ସରକାର ଖର୍ଚ୍ଚ ଉପରେ ଜୋର ଦେଉଥିବାରୁ ଚଳିତ ଅକ୍ଟୋବର ସୁଦ୍ଧା ଗତ ଆର୍ଥିକ ବର୍ଷ ତୁଳନାରେ ଅଧିକ ୧୫ ପ୍ରତିଶତ ଅର୍ଥ ବ୍ୟୟ ହୋଇପାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିୟମିତ ଭାବେ ବିଭିନ୍ନ ବିଭାଗର ସମୀକ୍ଷା କରୁଥିବାବେଳେ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ବିଭାଗର ଅର୍ଥ ଖର୍ଚ୍ଚ ଉପରେ ଗୁରୁତ୍ୱ ଦେଉଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ୨୦୨୧-୨୨ ବର୍ଷରେ ଅକ୍ଟୋବର ସୁଦ୍ଧା ବିଭିନ୍ନ ବିଭାଗମାନେ ୬୦,୪୬୪.୬୭ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ଗତ ଆର୍ଥିକ ବର୍ଷରେ ଏହି ସମୟରେ ବ୍ୟୟ ପରିମାଣ ଥିଲା ୫୨,୬୭୭.୧୭ କୋଟି ଟଙ୍କା । ଅକ୍ଟୋବର ୩୦ ତାରିଖ ସୁଦ୍ଧା ବିଭିନ୍ନ ବିଭାଗମାନେ ବଜେଟ୍‍ ବ୍ୟୟବରାଦର ୪୧.୬୦ ପ୍ରତିଶତ ଅର୍ଥ ବ୍ୟୟ କରିପାରିଛନ୍ତି । ଗତବର୍ଷ ଏହି ସମୟରେ ବଜେଟ୍‍ ବରାଦର ମାତ୍ର ୩୭.୩୦ ପ୍ରତିଶତ ଅର୍ଥ ବ୍ୟୟ ହୋଇପାରିଥିଲା ।

୨୦୨୧-୨୨ ବର୍ଷ ପାଇଁ ମୋଟ୍‍ ବଜେଟ୍‍ ପରିମାଣ ରହିଛି ୧,୪୫,୩୪୯.୯୫ କୋଟି ଟଙ୍କା । ସେପ୍ଟେମ୍ବର ଶେଷ ସୁଦ୍ଧା ଏଥିରୁ ୫୦,୮୯୬.୯୨ କୋଟି ଟଙ୍କା ବ୍ୟୟ ହୋଇଛି ଯାହାକି ମୋଟ୍‍ ବଜେଟ୍‍ର ୩୫.୦୨ ପ୍ରତିଶତ । ତେବେ ଅକ୍ଟୋବର ଶେଖ ସୁଦ୍ଧା ବ୍ୟୟବରାଦକୁ ହିସାବ କଲେ ଗୋଟିଏ ମାସରେ ପାଖାପାଖି ୧୦ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାଯାଇଛି । ରାଜ୍ୟ ସରକାର କେବଳ ଅକ୍ଟୋବର ମାସରେ ବଜେଟ୍‍ର ୬.୫୮ ପ୍ରତିଶତ ଖର୍ଚ୍ଚ କରିଛନ୍ତି ଯାହାକି ପୂର୍ବ ବର୍ଷର ଅକ୍ଟୋବର ମାସରେ ୨.୯୨ ପ୍ରତିଶତ ଥିଲା ।

ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ସୁଦ୍ଧା ସଂସ୍କୃତି ବିଭାଗ ବଜେଟ୍‍ ବରାଦର ୮୦.୦୧ ପ୍ରତିଶତ ଅର୍ଥ ବ୍ୟୟ କରିଥିବାବେଳେ ଆଇଟି ବିଭାଗ ୫୫.୧୫ ପ୍ରତିଶତ, କୃଷି ବିଭାଗ ୫୦.୮୫ ପ୍ରତିଶତ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୫୦.୭୪ ପ୍ରତିଶତ, ଆଇନ୍‍ ବିଭାଗ ୪୯.୦୯, ସୂଚନା ଓ ଲୋକସମ୍ପର୍କ ବିଭାଗ ୪୮.୭୯, ଏସ୍‍ଏସ୍‍ଇପିଡି ୪୯.୬୪, ଅର୍ଥ ୪୭.୧୦, ମହିଳା ଓ ଶିଶୁ ବିକାଶ ୪୬.୯୭, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ୪୬.୨୯ ଏବଂ ଗୃହ ବିଭାଗ ୪୬.୧୯ ପ୍ରତିଶତ ଅର୍ଥ ବ୍ୟୟ କରିବାରେ ସଫଳ ହୋଇଛି ।

ଅନୁରୂପ ଭାବେ ଅନ୍ୟ ବିଭାଗଗୁଡିକ ମଧ୍ୟରେ ସମବାୟ ବିଭାଗ ୪୪.୭୦, ଉଚ୍ଚଶିକ୍ଷା ୪୪.୬୫, ବିପର୍ଯ୍ୟୟ ପ୍ରଶମନ ୪୪.୩୩, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ୪୪.୦୫, ବିଜ୍ଞାନ ଓ କାରିଗରୀଜ୍ଞାନ ୪୨.୮୯, ରାଜସ୍ୱ ୪୧.୯୦, ପଞ୍ଚାୟତିରାଜ ଓ ପାନୀୟଜଳ ୪୦.୮୫, ସଂସଦୀୟ ବ୍ୟାପାର ୪୦.୧୬ ଏବଂ ଏମ୍‍ଏସଏମଇ ୪୦.୦୫ ପ୍ରତିଶତ ଅର୍ଥ ବ୍ୟୟ କରିପାରିଛନ୍ତି ।

ବଜେଟ୍‍ ବ୍ୟୟବରାଦର ୪୦ ପ୍ରତିଶତରୁ କମ୍‍ ଅର୍ଥ ବ୍ୟୟ କରିଥିବା ବିଭାଗ ମଧ୍ୟରେ ପର୍ଯ୍ୟଟନ ୧୦.୨୧, ଶିଳ୍ପ ୨.୫, ପରିବହନ ୧୭.୪୧, ଗ୍ରାମ୍ୟ ଉନ୍ନୟନ ୧୭.୧୫ ଏବଂ ଶକ୍ତି ବିଭାଗ ୧୭.୧୯ ପ୍ରତିଶତ ଅର୍ଥ ବ୍ୟୟ କରିଛି । ରାଜ୍ୟ ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ଏବଂ ଆର୍ଥିକ ବିକାଶ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ଉପରେ ଜୋର ଦେଉଛନ୍ତି । ତେବେ ରାଜ୍ୟରେ ପୁଞ୍ଜି ବ୍ୟୟ ଧିମେଇ ଯାଉଥିବାରୁ ଏହାକୁ ବଢାଇବା ଉପରେ ଅଧିକାରୀମାନେ ଗୁରୁତ୍ୱ ଦେଉଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here