Home Finance ବଜେଟରେ ଦୀର୍ଘମିଆଦୀ ଭିତ୍ତିଭୂମି ଯୋଜନା

ବଜେଟରେ ଦୀର୍ଘମିଆଦୀ ଭିତ୍ତିଭୂମି ଯୋଜନା

ଭୁବନେଶ୍ୱର : ଆସନ୍ତା ୫ବର୍ଷ ପାଇଁ ଦୀର୍ଘମିଆଦୀ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ଦୃଷ୍ଟିରେ ରଖି ସରକାର ବଜେଟ୍‍ ପ୍ରସ୍ତୁତ କରିବେ । ଏଥିପାଇଁ ବିଭିନ୍ନ ବିଭାଗ ସହିତ ଜୋରସୋରରେ ଆଲୋଚନା ଚାଲିଛି ।

ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପର୍ଯ୍ୟଟନ, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ଜଳସେଚନ, ଶିଳ୍ପ, ଶକ୍ତି ଆଦି କ୍ଷେତ୍ରରେ ଆସନ୍ତା ୫ବର୍ଷ ପାଇଁ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କ’ଣ କ’ଣ ଆବଶ୍ୟକତା ରହିଛି ତାହାର ଆକଳନ କରିବା ସହିତ ତଦନୁଯାୟୀ ବଜେଟ୍‍ ପ୍ରସ୍ତୁତ ଲାଗି ଉଦ୍ୟମ ଜାରି ରହିଛି । ରାଜ୍ୟ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଓ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ ଏ ନେଇ ବିଭିନ୍ନ ବିଭାଗ ସହିତ ଆଲୋଚନା ଚଳାଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୨ଟି ବିଭାଗ ସହିତ ଏ ସଂକ୍ରାନ୍ତରେ ଆଲୋଚନା ସରିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

ପୂର୍ବରୁ ବଜେଟ୍‍ ପ୍ରସ୍ତୁତି ସମୟରେ ଭିତ୍ତିଭୂମି ବିକାଶ ଉପରେ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ ହେଉ ନଥିଲା । ଫଳରେ ଗୋଟିଏ ଆର୍ଥିକ ବର୍ଷ ସରିବା ପୂର୍ବରୁ ଭିତ୍ତିଭୂମି ପାଣ୍ଠି ପାଇଁ ସରକାରଙ୍କୁ ଚିନ୍ତା କରିବାକୁ ପଡୁଥିଲା । ତେଣୁ ସରକାର ପ୍ରଥମଥର ଲାଗି ୫ବର୍ଷିଆ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେବା ସହିତ ଏଥିପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ବିଶେଷକରି ସ୍ୱାସ୍ଥ୍ୟ, ଶିକ୍ଷା, ଶକ୍ତି, ଗମନାଗମନ, ଜଳସେଚନ ଆଦି ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ।

ମହାମାରୀ ମୁକାବିଲା ସମୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସରକାରଙ୍କର ପ୍ରାଥମିକତା ହୋଇଥିବାବେଳେ ଆଗାମୀ ୫ବର୍ଷ ଲାଗି କି ପ୍ରକାର ଭିତ୍ତିଭୂମି ଆବଶ୍ୟକ ତାହାର ଆକଳନ କରାଯାଉଛି । ବିଶେଷକରି ଜିଲ୍ଲା ସ୍ତରରେ ମେଡିକାଲ କଲେଜ ପ୍ରତିଷ୍ଠା ସହିତ ଲୋକଙ୍କୁ ସେହିଠାରେ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ସେହିଭଳି ଓଡିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାବେଳେ ଦୀର୍ଘ ମିଆଦୀ ଭିତ୍ତିରେ ଶକ୍ତି, ଯୋଗାଯୋଗ, ଜଳସେଚତନ ଆଦି ଭିତ୍ତିଭୂମିର ଉନ୍ନତି ଆବଶ୍ୟକ ହେଉଛି । ତେଣୁ ବଜେଟ୍‍ରେ ବର୍ଷକ ବଦଳରେ ଏଣିକି ୫ବର୍ଷିଆ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ।

ଅନ୍ୟ ପକ୍ଷରେ ସରାକର ପୁଞ୍ଜିଗତ ବ୍ୟୟ ଉପରେ ଗୁରୁତ୍ୱ ଦେବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ ବାରମ୍ବାର ସରକାରଙ୍କୁ କହି ଆସୁଛି । କାରଣ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଅଧିକ ଅର୍ଥ ବିନିଯୋଗ ହେଲେ ତାହାର ଦୀର୍ଘମିଆଦୀ ସୁଫଳ ମିଳିବ । ବିଶେଷକରି ରାଜ୍ୟର ଆର୍ଥିକ ଓ ସାମାଜିକ ବିକାଶରେ ଏହା ସହାୟକ ହେବ । ତେଣୁ ରାଜ୍ୟ ସରକାର ଏବେ ବଜେଟ୍‍ ପ୍ରସ୍ତୁତି ସମୟରେ ଦୀର୍ଘମିଆଦୀ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେବା ସହିତ ଏ ନେଇ ବିଭାଗଗୁଡିକ ସହ ଆଲୋଚନା ଜାରି ରଖିଛନ୍ତି । ଖୁବ୍‍ଶୀଘ୍ର ଆଲୋଚନା ସରିବା ସହିତ ଭିତ୍ତିଭୂମି ଯୋଜନାକୁ ଚୂଡାନ୍ତ ରୂପରେଖ ଦିଆଯିବ । (ତଥ୍ୟ)