Home General ଫୋନ୍‍ ଉଠାଉ ନାହାନ୍ତି ସରକାରୀ ବାବୁ

ଫୋନ୍‍ ଉଠାଉ ନାହାନ୍ତି ସରକାରୀ ବାବୁ

ଭୁବନେଶ୍ୱର : ପୁଲିସ୍‍ ଅଧିକାରୀଙ୍କ ଠାରୁ ବିଭାଗୀୟ ସଚିବମାନଙ୍କ ମଧ୍ୟରୁ ଅଧିକାଂଶ ବିଧାୟକଙ୍କ ଫୋନ୍‍ ଉଠାଉ ନାହାନ୍ତି । ଜଣେ ଅଧେ କେହି ଫୋନ୍‍ ଧରୁଛନ୍ତି ନହେଲେ ପରେ ଫୋନ୍‍ କରୁଛନ୍ତି । ମୋ ଭଳି ପୁରୁଖା ସଦସ୍ୟଙ୍କର ଏଭଳି ଅବସ୍ଥା ହୋଇଥିବାବେଳେ ଅନ୍ୟମାନଙ୍କର ଅବସ୍ଥା କ’ଣ ହୋଇଥିବ ତାହା ବାଚସ୍ପତି ବିଚାର କରନ୍ତୁ ବୋଲି ଅତ୍ୟନ୍ତ କ୍ଷୋଭର ସହ ଆଜି ବିଧାନସଭାରେ କହିଥିଲେ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ।

ଶୂନ୍ୟକାଳରେ ଶ୍ରୀ ମିଶ୍ର ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀର ସୂଚନା ବିଳମ୍ବରେ ବାଚସ୍ପତିଙ୍କୁ ଦିଆଯିବା ନେଇ ଆଗତ କରିଥିବା ସ୍ୱାଧୀକାରଭଙ୍ଗ ପ୍ରସ୍ତାବ ଉପରେ ବକ୍ତବ୍ୟ ରଖିବାବେଳେ ଏହା କହିଥିଲେ । ଶ୍ରୀ ମିଶ୍ର କହିଥିଲେ ଯେ ଏଭଳି ଘଟଣାରେ ଜିଲ୍ଲା ଏସ୍‍ପି କିମ୍ବା ତଦନ୍ତକାରୀ ଅଧିକାରୀ ତୁରନ୍ତ ବାଚସ୍ପତିଙ୍କୁ ଅବଗତ କରିବା କଥା ।

ଶ୍ରୀ ଜଗଦେବ ମାର୍ଚ୍ଚ ୨୨ତାରିଖ ଦିନ ଅପରାହ୍ନ ୩.୪୦ରେ ଗିରଫ ହୋଇଥିଲେ । ହେଲେ ପୁଲିସ୍‍ ବାଚସ୍ପତିଙ୍କୁ ୨୩ ତାରିଖ ଦିନ ଅବଗତ କଲେ । ବିଧାୟକ ଅନ୍ୟ କେଉଁଠାରେ ନୁହେଁ, ଖୋଦ୍‍ ରାଜଧାନୀରେ ଗିରଫ ହୋଇଥିଲେ ମଧ୍ୟ ପୁଲିସ୍‍ ବାଚସ୍ପତିଙ୍କୁ ତତ୍କାଳ ଅବଗତ କରିବାକୁ ଉଚିତ୍‍ ମଣିଲା ନାହିଁ ।

ଏହା ଗୃହର ମର୍ଯ୍ୟାଦା ସହିତ ସଦସ୍ୟମାନଙ୍କର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରୁଛି । ବାଚସ୍ପତି ଏହାକୁ ଗୁରୁତର ସହ ନେବାକୁ ଶ୍ରୀ ମିଶ୍ର ଅନୁରୋଧ କରିବା ସହିତ କହିଥିଲେ ଯେ ଏବେ ଆଉ ପୁଲିସ୍‍ କିମ୍ବା ସରକାରୀ ଅଧିକାରୀ କେହି ବିଧାୟକମାନଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଦେଉ ନାହାନ୍ତି । ବିଭାଗୀୟ ସଚିବମାନଙ୍କୁ ଫୋନ୍‍ କଲେ ଅଧିକାଂଶ ଫୋନ୍‍ ଧରୁନାହାନ୍ତି କିମ୍ବା ସୌଜନ୍ୟତା ଦୃଷ୍ଟିରୁ ପରେ ଫୋନ୍‍ କରୁନାହାନ୍ତି ।

ବିଧାୟକଙ୍କ ଗିରଫଦାରୀର ସୂଚନା ଦେବା କ୍ଷେତ୍ରରେ ପୁଲିସ୍‍ ଯେଭଳି ଖାମଖିଆଲି ମନୋଭାବ ପୋଷଣ କରିଛି ସେ ସଂକ୍ରାନ୍ତରେ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ମିଶ୍ର ଦାବି କରିଥିଲେ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଯେ ମୁଁ ଆପଣଙ୍କ ବକ୍ତବ୍ୟ ଶୁଣିଲି । ଏହି ନୋଟିସ୍‍ର ତର୍ଜମା କରି ଆପଣଙ୍କୁ ଜଣାଇଦେବି ।

ଆଜି ଶୂନ୍ୟକାଳରେ ଶ୍ରୀ ମିଶ୍ର ସ୍ୱାଧିକାର ଭଙ୍ଗ ନୋଟିସ୍‍ ଆଗତ କରିବା ପୂର୍ବରୁ ବାଚସ୍ପତି ଡକ୍ଟର ପାତ୍ର ଗୃହକୁ ଅବଗତ କରି କହିଥିଲେ ଯେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀ ସଂକ୍ରାନ୍ତରେ ଖୋରଧା ଏସ୍‍ପି ମାର୍ଚ୍ଚ ୨୩ତାରିଖ ଅପରାହ୍ନ ୨.୪୫ରେ ବିଧାନସଭାର ଇମେଲ୍‍କୁ ଦୁଇଟି ଚିଠି ପଠାଇଥିଲେ । ସେହିଦିନ ଚିଠିଟି ବାଚସ୍ପତିଙ୍କ ନଜରକୁ ଅଣାଯାଇନଥିଲା । ମାର୍ଚ୍ଚ ୨୪ତାରିଖ ସରକାରୀ ଛୁଟି ଥିବାରୁ ଗତକାଲି ଅର୍ଥାତ୍‍ ୨୫ତାରିଖରେ ଏହି ଚିଠିକୁ ବାଚସ୍ପତିଙ୍କ ଅବଗତିକୁ ଅଣାଯାଇଥିଲା ।

LEAVE A REPLY

Please enter your comment!
Please enter your name here