Home Infrastructure ପ୍ଲାନ ବର୍ହିଭୂତ ର୍ନିମାଣ ଯୋଗୁଁ ହନ୍ତସନ୍ତ

ପ୍ଲାନ ବର୍ହିଭୂତ ର୍ନିମାଣ ଯୋଗୁଁ ହନ୍ତସନ୍ତ

ଭୁବନେଶ୍ୱର : ଗୋଟିଏ ପଟେ ରାଜଧାନୀ ଭୁବନେଶ୍ୱରକୁ ସ୍ମାର୍ଟସିଟି ଭାବେ ଗଢିତୋଳିବାପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ କରାଯାଉଥିବାବେଳେ ଅନ୍ୟ ପଟେ ପ୍ଲାନ ବର୍ହିଭୂତ ବେଆଇନ୍‍ ଗୃହ ନିର୍ମାଣ ବିଡିଏ ଅଞ୍ଚଳରେ ଏକ ମାମୁଲି ପ୍ରଥାରେ ପରିଣତ ହେବାରୁ ବ୍ୟାପକ ସମସ୍ୟା ସୃଷ୍ଟି ହେଉଛି । ମୂଳରୁ ସମସ୍ୟାର ନିରାକରଣ ନକରି ସମସ୍ୟା ବଢାଇ ଦିଆଯିବା ପରେ କର୍ତ୍ତୃପକ୍ଷ ଯେଉଁ ପଦକ୍ଷେପ ଘୋଷଣା କରୁଛନ୍ତି ସେଥିରୁ ଅଧିକାଂଶ କାର୍ଯ୍ୟକାରୀ ନହେବା ରାଜଧାନୀର ଯୋଜନାବଦ୍ଧ ବିକାଶପାଇଁ ଆହ୍ୱାନ ସୃଷ୍ଟି କରୁଛି ।

ରାଜଧାନୀ ଓ ତାହାର ଆଖପାଖ ଅଞ୍ଚଳରେ ଯେଉଁମାନଙ୍କର ନିଜସ୍ୱ ବାସଗୃହ କିମ୍ବା ଭୂସମ୍ପତ୍ତି ନଥାଏ ସେମାନଙ୍କୁ ନାମମାତ୍ର ଦରରେ ସାଧାରଣ ପ୍ରଶାସନ ବିଭାଗ, ରାଜସ୍ୱ ବିଭାଗ ଏବଂ ବିଡିଏ, ହାଉସିଂବୋର୍ଡ ଭଳି ସଂସ୍ଥା ଜମି ଯୋଗାଇ ଦେଇଥାନ୍ତି । ଏମାନଙ୍କ ମଧ୍ୟରୁ କେତେକ ଆବଣ୍ଟିତ ଜମି ଉପରେ ବାସପଯୋଗୀ ଗୃହ ନିର୍ମାଣ କରୁଥିବାବେଳେ ଆଉ କେତେକ ଏହି ଜମିକୁ ବିଲଡ୍‍ରମାନଙ୍କ ହାତରେ ଟେକିଦେଇ ଜମି ଲିଜ୍‍ ମୂଲ୍ୟର ହଜାରେ ଗୁଣରୁ ଅଧିକ ମୁନାଫା ଉଠାଉଛନ୍ତି ।

ବିଶେଷକରି ଆବାସିକ ଅଞ୍ଚଳରେ ଦିନକୁ ଦିନ ବିଲଡରମାନଙ୍କ ଦୌରାତ୍ମ୍ୟ ବଢି ଚାଲିଥିବାବେଳେ ଲୋଭରେ ହେଉ କି ଚାପରେ ଅନେକ ନିଜ ଘର ଓ ଖାଲି ଜାଗାକୁ ଏମାନଙ୍କ ହାତରେ ଟେକି ଦେଉଛନ୍ତି ଏବଂ ତଥାକଥିତ ବୈଷୟିକ ବିଶେଷଜ୍ଞମାନଙ୍କ ମଧ୍ୟସ୍ଥତାରେ ଏଭଳି ଆବାସିକ ପ୍ଲଟ ଉପରେ ବିଲଡର ସଂସ୍ଥାମାନେ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟମାନ ନିର୍ମାଣ କରି ଚଢା ଦରରେ ବିକୁଛନ୍ତି ।

ବିଶେଷକରି ଆପାର୍ଟମେଣ୍ଟ, ସପିଙ୍ଗମଲ୍‍ ଆଦିର ପ୍ଲାନ ମଞ୍ଜୁରୀ ପୂର୍ବରୁ ଭବିଷ୍ୟତର ଦୁର୍ଘଟଣାକୁ ଆଖିଆଗରେ ରଖି ନିର୍ମାଣ ସୌଧର ଚାରିପଟେ ଅଗ୍ନିଶମ ଗାଡି ବୁଲିବାପାଇଁ ଜାଗା ଛାଡିବା ସହ ଅନ୍ୟୁନ ଏକ ତୃତୀୟାଂଶ ସ୍ଥାନରେ ଗଛ ଲଗାଇବା ଓ ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ କରିବାଲାଗି ବାଧ୍ୟତାମୂଳକ ବ୍ୟବସ୍ଥା ଅଛି । କିନ୍ତୁ ଆବାସିକ ଅଞ୍ଚଳଗୁଡିକରେ କରାଯାଉଥିବା ସଂଖ୍ୟାଧିକ ଆପାର୍ଟମେଣ୍ଟରେ ଏହି ବ୍ୟବସ୍ଥାର ଖୋଲା ଉଲ୍ଲଙ୍ଘନ କରାଯାଇ ନିୟମ ମାନି ନିଜ ପରିବାର ପାଇଁ ଘର କରିଥିବା ଲୋକଙ୍କୁ ଅସୁବିଧାରେ ପକାଯାଉଛି ।

ଅଗ୍ନିଶମ ବିଭାଗ କର୍ତ୍ତୃପକ୍ଷ କହୁଛନ୍ତି ଯେ ଏଭଳି ନିର୍ମାଣ ସମ୍ପୂର୍ଣ୍ଣ ବେଆଇନ୍‍ ଏବଂ ଯେକୌଣସି ସମୟରେ ଏଭଳି ସୌଧଗୁଡିକୁ ସିଲ୍‍ କରାଯାଇପାରେ କିମ୍ବା ଭାଙ୍ଗି ଦିଆଯାଇପାରେ । ତେଣୁ ଆବାସିକ ଅଞ୍ଚଳରେ ଯେଉଁମାନେ ଆପାର୍ଟମେଣ୍ଟ କିଣୁଛନ୍ତି ସେମାନେ ଏ ଦିଗ ପ୍ରତି ସତର୍କ ନରହିଲେ ଭବିଷ୍ୟତରେ ସମସ୍ୟାରେ ଫସିଯାଇ ପାରନ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଅନୁରୂପ ମତ ଦେଉଛନ୍ତି ।

ବିଡିଏ ଅଞ୍ଚଳରେ ସହସ୍ରାଧିକ ବେଆଇନ୍‍ ସୌଧ ଚିହ୍ନଟ କରାଯାଇଥିବା ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଉଛି । ଏଥିରୁ ଗୁଡିଏ ସୌଧକୁ ଭାଙ୍ଗି ଦେବାପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ ମଧ୍ୟ ଅଦାଲତି ମାମଲା, ରାଜନୈତିକ ଚାପ ଓ ଅନ୍ୟ କେତେକ କାରଣ ଯୋଗୁଁ ଏଭଳି ବେଆଇନ୍‍ ନିର୍ମାଣକୁ ଭାଙ୍ଗିବା ପାଇଁ ବୁଲଡୋଜର ଲଗାଯାଇ ପାରୁନାହିଁ । ଜମି ଆବଣ୍ଟନବେଳେ ବସତିକୁ ଆଖିଆଗରେ ରଖି ସଡକ, ସ୍ୱରେଜ, ଡ୍ରେନେଜ, ବିଦ୍ୟୁତ୍‍ ବ୍ୟବସ୍ଥା ଆଦି କରିଥାନ୍ତି ।

କିନ୍ତୁ ଯେଉଁ ଆବଣ୍ଟିତ ପ୍ଲଟରେ ଗୋଟିଏ କିମ୍ବା ଦୁଇଟି ପରିବାର ରହିବାକଥା ସେଠାରେ ଆପାର୍ଟମେଣ୍ଟ ଯୋଗୁଁ ୧୫/୨୦ ପରିବାର ରହିବା ଫଳରେ ସରକାରୀ ଅର୍ଥରେ ବିକାଶ କରାଯାଇଥିବା ଭିତ୍ତିଭୂମି ନଷ୍ଟ ହେଉଛି ଏବଂ ଏହି ବେଆଇନ୍‍ ନିର୍ମାଣକାରୀଙ୍କ ଯୋଗୁଁ ରାଜକୋଷର ମଧ୍ୟ ବିପୁଳ କ୍ଷତି ହେବା ସଂଗେ ସଂଗେ ଭୂତଳ ଜଳସ୍ତର ବି ନଷ୍ଟ ହେଉଛି । ଅଥଚ ଘର ପାଇଁ ୨୦/୨୫ ହଜାର ଟଙ୍କାରେ ସରକାରଙ୍କ ଠାରୁ ଯେଉଁ ପ୍ଲଟ ମିଳୁଥିଲା ତାହାକୁ ୨ରୁ ଅଢେଇ କୋଟି ଟଙ୍କାରେ ବିକି ବ୍ୟକ୍ତିବିଶେଷ ଓ ବିଲଡର ସଂସ୍ଥା ବ୍ୟାପକ ମୁନାଫା ଉଠାଉଛନ୍ତି । (ତଥ୍ୟ)