Home Health ପ୍ଲାଜମା ଥେରାପିରେ ବାର ଶହ ସୁସ୍ଥ

ପ୍ଲାଜମା ଥେରାପିରେ ବାର ଶହ ସୁସ୍ଥ

ରାଜ୍ୟରେ ପ୍ଲାଜମା ସଂଗ୍ରହ ସାଢେ ୩ହଜାର ୟୁନିଟ୍‍ ଟପିଥିବାବେଳେ ପ୍ଲାଜମା ଥେରାପି ଦ୍ୱାରା ପ୍ରାୟ ୧୨୦୦ ଲୋକ ସୁସ୍ଥ ହୋଇ ସାରିଲେଣି । ପ୍ଲାଜମା ଥେରାପି ନେଇଥିବା ଶତାଧିକ ଗୁରୁତର କୋଭିଡ ରୋଗୀଙ୍କ ସ୍ୱାସ୍ଥାବସ୍ଥା ବି ସ୍ଥିର ରହିଛି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ସୁଦ୍ଧା ରାଜ୍ୟରେ ୩୫୬୩ ୟୁନିଟ୍‍ ପ୍ଲାଜମା ସଂଗ୍ରହ କରାଯାଇ ସାରିଲାଣି । ୧୫୯୦ଜଣ ସ୍ୱେଚ୍ଛାକୃତ ଦାତାଙ୍କ ଠାରୁ ଏହି ପ୍ଲାଜମା ସଂଗ୍ରହ କରାଯାଇଛି । ସଂଗ୍ରହ କରାଯାଇଥିବା ପ୍ଲାଜମା ମଧ୍ୟରୁ ଆଜି ସୁଦ୍ଧା ୨୯୯୭ ୟୁନିଟ୍‍ କୋଭିଡ ଚିକିତ୍ସା ପାଇଁ ଦିଆଯାଇଥିବାବେଳେ ୨୫୦୭ ଜଣ ରୋଗୀଙ୍କ ପ୍ରଥମ ପ୍ଲାଜମା ଥେରାପି ଦିଆଯାଇଛି ।

ପ୍ଲାଜମା ଥେରାପି ଦ୍ୱାରା ପ୍ରାୟ ବାର ଶହ ରୋଗୀ ସୁସ୍ଥ ହୋଇଥିବାବେଳେ ୬୩୯ ଜଣ କୋଭିଡ ରୋଗୀଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଛି । ସେହିଭଳି ୩୦୫ଜଣ ଗୁରୁତର କୋଭିଡ ରୋଗୀଙ୍କ ସ୍ୱାସ୍ଥାବସ୍ଥାରେ ଉନ୍ନତି ପରିକ୍ଷିତ ହୋଇଛି । ତେବେ କୋଭିଡ ଚିକିତ୍ସା ହେଉଥିବା ୪୩୨ଜଣ ଗୁରୁତର ରୋଗୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ପ୍ଲାଜମା ଦିଆଯାଇଥିବା ଜଣାଯାଇଛି ।

ଉଲ୍ଲେଖନୀୟ ଯେ କୋଭିଡରୁ ସୁସ୍ଥ ହେଉଥିବା ରୋଗୀଙ୍କ ପ୍ଲାଜମା ଦ୍ୱାରା ଗୁରୁତର କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସାରୁ ସୁଫଳ ମିଳିବାପରେ ଓଡିଶାରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ସମେତ କ୍ୟାପିଟାଲ ହସ୍ପିଟାଲ, ଏମ୍‍କେସିଜି ଓ ଭିମ୍‍ସାରରେ ପ୍ଲାଜମା ସଂଗ୍ରହ କରାଯାଇ ରୋଗୀଙ୍କୁ ଯୋଗାଇ ଦିଆଯାଉଛି ।