Home Election ପ୍ରାର୍ଥୀଙ୍କୁ ବୋଝ ହେଲାଣି ଡିଜିଟାଲ ପ୍ରଚାର

ପ୍ରାର୍ଥୀଙ୍କୁ ବୋଝ ହେଲାଣି ଡିଜିଟାଲ ପ୍ରଚାର

ଭୁବନେଶ୍ୱର : କରୋନା କଟକଣା ପାଇଁ ଏଥର ପଞ୍ଚାୟତ ନିର୍ବାଚନ ଡିଜିଟାଲ ମୋଡରେ ହେବା ନିଶ୍ଚିତ ହେବାପରେ ପ୍ରାର୍ଥୀମାନେ ଚିନ୍ତାରେ ପଡିଛନ୍ତି । ପ୍ରଚାର ପାଇଁ ଆବଶ୍ୟକ ସ୍ମାର୍ଟଫୋନ୍‍ ସହିତ ଡାଟାପ୍ୟାକ୍‍ ଯୋଗାଇବା ସକାଶେ ସେମାନଙ୍କ ଉପରେ ଚାପ ଆରମ୍ଭ ହୋଇଗଲାଣି ।

କରୋନା ଯୋଗୁଁ ପଞ୍ଚାୟତ ସ୍ତରରେ ଡିଜିଟାଲ ଲଢେଇ ଆରମ୍ଭ ହୋଇଥିବାବେଳେ ଏଥିପାଇଁ ରାଜ୍ୟର ତିନି ରାଜନୈତିକ ଦଳ ସଜବାଜ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଶାସକ ବିଜେଡି ଡିଜିଟାଲ ପ୍ରଚାର ପାଇଁ ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ବିଜେପି ତାହାର ‘ଡିଜିଟାଲ ୱାର ରୁମ୍‍’ ର ଉଦ୍‍ଘାଟନ କରିଛି । କଂଗ୍ରେସ ବି ଡିଜିଟାଲ ମୁକାବିଲା ପାଇଁ ୱାର୍ଡ ସ୍ତରରେ ସ୍ୱେଚ୍ଛାସେବୀ ନିଯୁକ୍ତ କରିବା ଆରମ୍ଭ କରିଦେଇଛି । ପ୍ରାର୍ଥୀପତ୍ର ଦାଖଲ ସହିତ ଡିଜିଟାଲ ଯୁଦ୍ଧ ଆରମ୍ଭ ହୋଇଯିବ ।

ଡିଜିଟାଲ ମୁକାବିଲା ଏଥର ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଣ୍ଣୟ କରିବାକୁ ଥିବାରୁ ଏଥିପାଇଁ ପାଖରେ ସ୍ମାର୍ଟଫୋନ୍‍ ରହିବା ଜରୁରୀ । ସେହିଭଳି ସ୍ମାର୍ଟଫୋନ୍‍ରେ ବିଭିନ୍ନ ଦଳର ଭିଡିଓ ଠାରୁ ଫଟୋ ଆଦି ଦେଖିବାପାଇଁ ଇଣ୍ଟରନେଟ୍‍ ଡାଟା ଆବଶ୍ୟକ । ଯେଉଁ ମତଦାତାଙ୍କ ନିକଟରେ ସ୍ମାର୍ଟଫୋନ୍‍ ରହିଛି ସେମାନେ ଏବେ ଡାଟା ପ୍ୟାକ୍‍ ଆବଶ୍ୟକ କରୁଥିବାବେଳେ ଯେଉଁମାନଙ୍କ ନିକଟରେ ସ୍ମାର୍ଟଫୋନ୍‍ ନାହିଁ ସେମାନଙ୍କ ନିକଟରେ ବିଭିନ୍ନ ଦଳର ବାର୍ତ୍ତା କିଭଳି ପହଞ୍ଚିବ ତାହା ବଡ ସମସ୍ୟା ହୋଇଛି ।

ଇତି ମଧ୍ୟରେ ବିଭିନ୍ନ ରାଜନୈତିକ ଦଳ ମତଦାତାଙ୍କ ମନକୁ ଛୁଇଁବା ଭଳି ଭିଡିଓ ପ୍ରସ୍ତୁତିରେ ଲାଗିଛନ୍ତି । କେତେକ ଭିଡିଓ ବି ଡିଜିଟାଲ ପ୍ଲାଟଫର୍ମରେ ଆସିଗଲାଣି । ତେବେ ଗାଁ ଗହଳର ଲୋକେ ବିଶେଷକରି ଯେଉଁମାନଙ୍କ ନିକଟରେ ସ୍ମାର୍ଟଫୋନ୍‍ ନାହିଁ ସେମାନେ ଏହା ଦେଖିପାରୁ ନାହାନ୍ତି । ଯେଉଁମାନଙ୍କ ନିକଟରେ ସ୍ମାର୍ଟଫୋନ୍‍ଟିଏ ଅଛି ସେଥିରେ ଥିବା ଇଣ୍ଟରନେଟ୍‍ ପ୍ୟାକ୍‍ରେ ପିଲାମାନେ ପାଠପଢୁଥିବାରୁ ସେମାନେ ବି ନିଜ ଖର୍ଚ୍ଚରେ ରାଜନୈତିକ ପ୍ରଚାରରେ ମାତିବାକୁ ରାଜି ହେଉ ନାହାନ୍ତି ।

ଏଭଳି ସ୍ଥିତିରେ ବିଭିନ୍ନ ଦଳର ପ୍ରାର୍ଥୀମାନେ କିଭଳି ଡିଜିଟାଲ ଯୁଦ୍ଧରେ ମାତିବେ ତାହା ଜାଣିପାରୁ ନାହାନ୍ତି । କାରଣ ପଞ୍ଚାୟତ ସ୍ତରରେ କୌଣସି ପ୍ରାର୍ଥୀ ୧୦/୧୨ ହଜାର ଟଙ୍କାର ସ୍ମାର୍ଟଫୋନ୍‍ କିଣି ଯୋଗାଇବା ଅବସ୍ଥାରେ ନାହାନ୍ତି । କାରଣ ଜଣଙ୍କୁ ସ୍ମାର୍ଟଫୋନ୍‍ଟିଏ ଦେଲେ ଆଉ ୧୦ଜଣ ଶତ୍ରୁ ପାଟଲିଟିବା ନିଶ୍ଚିତ । ତେବେ ଇତି ମଧ୍ୟରେ କେତେକ ପ୍ରାର୍ଥୀ ସ୍ମାର୍ଟଫୋନ୍‍ ଥିବା ଭୋଟରଙ୍କ ମୋବାଇଲ୍‍ରେ ଡାଟା ପ୍ୟାକ ପକାଇବାକୁ ପ୍ରତିଶ୍ରୁତି ଦେଉଛନ୍ତି । ଏହି ଖର୍ଚ୍ଚ କିନ୍ତୁ ସାଧାରଣ ପ୍ରଚାର ଖର୍ଚ୍ଚକୁ ବଳିଯିବ ବୋଲି ଆକଳନ କରାଯାଉଛି ।

ଡିଜିଟାଲ ପ୍ରଚାରକୁ ଦୃଷ୍ଟିରେ ରଖି ଗାଁ ଗହଳରେ ଜଣେ ଅନ୍ୟ ଜଣକୁ ଟପିବା ଲାଗି ଏବେ ପ୍ରତିଯୋଗିତା ଆରମ୍ଭ କରିଦେଇଛନ୍ତି । ଏଥିରେ ଯିଏ ଭୋଟରଙ୍କୁ ସନ୍ତୁଷ୍ଟ କରିପାରିବ ସିଏ ଅଧିକ ଭୋଟ ପାଇବ ବୋଲି ଆଶା କରାଯାଉଛି । ତେବେ ଗାଁ ଗହଳର ଅନେକ ପ୍ରାର୍ଥୀ କିନ୍ତୁ ନିର୍ବାଚନ କମିଶନଙ୍କ କଟକଣା ଭିତରେ ଘରକୁ ଘର ପ୍ରଚାରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ପଞ୍ଚାୟତ ନିର୍ବାଚନରେ ନିର୍ବାଚନ କମିଶନ ସଭା, ଶୋଭାଯାତ୍ରା ଉପରେ କଟକଣା ଲଗାଇବା ସହିତ ଡିଜିଟାଲ ପ୍ରଚାର ଉପରେ ଗୁରୁତ୍ୱ ଦେଇଛନ୍ତି । ହେଲେ ଏଥିପାଇଁ ଆବଶ୍ୟକ ପଡୁଥିବା ସ୍ମାର୍ଟଫୋନ୍‍ ଓ ଡାଟା କଥା ଭାବି ଅନେକ ପ୍ରାର୍ଥୀଙ୍କ ନିଦ ହଜି ଗଲାଣି । (ତଥ୍ୟ)