Home News in Odia ପ୍ରସଙ୍ଗ ହୋଇପାରେ ଗରିବଙ୍କୁ ଘର ଯୋଗାଣ

ପ୍ରସଙ୍ଗ ହୋଇପାରେ ଗରିବଙ୍କୁ ଘର ଯୋଗାଣ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଥିବାବେଳେ ସହରାଞ୍ଚଳରେ ଗୃହ ଯୋଗାଣକୁ ମୁଖ୍ୟ ପ୍ରସଙ୍ଗ କରିବାଲାଗି ରାଜନୈତିକ ଦଳମାନେ ଯୋଜନା ଚଳାଇଛନ୍ତି । ସହରାଞ୍ଚଳରେ ଥିବା ଗରିବ ପରିବାରଗୁଡିକୁ ଗୃହ ଯୋଗାଣକୁ ପ୍ରସଙ୍ଗ ପାଇଁ ଉଭୟ ଶାସକ ଓ ବିରୋଧି ମସୁଧା ଚଳାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଗୃହଯୋଗାଣ ସଂଖ୍ୟା ଏକ ଲକ୍ଷ ଟପିନଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାଜ୍ୟର ସମସ୍ତ ସହରାଞ୍ଚଳରେ ଗରିବ ପରିବାରଗୁଡିକୁ ପାଖପାଖି ୮୦ହଜାର ଘର ଯୋଗାଇ ଦିଆଯାଇଛି । ଅଧିକରୁ ଅଧିକ ଘର ଯୋଗାଣ ଲାଗି ସରକାର ପ୍ରୟାସ ଜାରି ରଖିଛନ୍ତି । ଯୋଗାଇ ଦିଆଯାଇଥିବା ଘରଗୁଡିକ ସମନ୍ୱିତ ଗୃହନିର୍ମାଣ ଓ ବସ୍ତି ଉନ୍ନୟନ, ଗରିବଙ୍କୁ ମୌଳିକ ସୁବିଧା, ରାଜୀବ ଆବାସ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଛି । ତେବେ ସବୁଠାରୁ ଅଧିକ ଘର ଯୋଗାଯାଇଛି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଓ ଏହା ରାଜ୍ୟର ସମସ୍ତ ୧୧୪ଟି ପୌରାଞ୍ଚଳରେ କାର୍ଯ୍ୟକାରୀ ହେଉଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬୧ହଜାରରୁ ଅଧିକ ଘର ଯୋଗାଇ ଦିଆଯାଇଥିବାବେଳେ ଏ ବାବଦରେ ୧୪୬୦ କୋଟି ଟଙ୍କା ବ୍ୟୟ ହୋଇଛି । ସେହିଭଳି ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ଯାଜପୁର ପୌରାଞ୍ଚଳରେ ରାଜୀବ ଆବାସ ଯୋଜନା କାର୍ଯ୍ୟକାରୀ ହେଉଥିବାବଳେ ଏଠାରେ ପାଖପାଖି ୪୮୦୦ ଘର ଯୋଗାଯାଇ ସାରିଛି ଓ ଏ ବାବଦରେ ୩୬୦ କୋଟି ଟଙ୍କା ବ୍ୟୟ ହୋଇଛି ।

ସେହିଭଳି ସମନ୍ୱିତ ଗୃହ ନିର୍ମାଣ ଓ ବସ୍ତି ଉନ୍ନୟନ ଯୋଜନାଟି ୨୦୦୯ ରୁ ୨୦୧୫ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବାବେଳେ ଏଥିରେ ୩୫ଟି ପୌରାଞ୍ଚଳରେ ୧୧,୨୯୬ଟି ବାସଗୃହ ଯୋଗାଇ ଦିଆଯାଇଛି । ଏ ବାବଦରେ ୧୭୧.୭୨ କୋଟି ଟଙ୍କା ବ୍ୟୟ ହୋଇଛି । ସେହିଭଳି ସହରାଞ୍ଚଳ ଗରିବମାନଙ୍କ ମୌଳିକ ସେବା ଯୋଜନାରେ ମଧ୍ୟ ୨୦୦୯ ରୁ ୨୦୧୫ ମଧ୍ୟରେ ବାସଗୃହ ଯୋଗାଇ ଦିଆଯାଇଛି । ଏହି ଯୋଜନାରେ କେବଳ ଭୁବନେଶ୍ୱର ଓ ପୁରୀ ସହରରେ ଥିବା ୧୭୭୮ ଜଣ ଗରିବଙ୍କୁ ଘର ମିଳିଥିବାବେଳେ ଏ ବାବଦରେ ପ୍ରାୟ ୪୭କୋଟି ଟଙ୍କା ବ୍ୟୟ ହୋଇଛି ।

ବର୍ତ୍ତମାନ ରାଜ୍ୟରେ ରାଜୀବ ଆବାସ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟ ବଳବତ୍ତର ଥିବାବେଳେ ଗରିବ ସଂଖ୍ୟା କିନ୍ତୁ ଢେର ଅଧିକ ରହିଛି । ଖୋଦ ରାଜଧାନୀରେ ସରକାରୀ ସ୍ୱକୃତୀପ୍ରାପ୍ତ ବସ୍ତିରେ ଲକ୍ଷାଧିକ ଗରିବ ଲୋକେ ବସବାସ କରୁଛନ୍ତି । ସମସ୍ତ ୧୧୪ଟି ପୌରାଞ୍ଚଳକୁ ମିଶାଇଲେ ଏହି ସଂଖ୍ୟା ଢେର ଅଧିକ ହେବ । ପୌର ନିର୍ବାଚନରେ ବସ୍ତିରେ ରହୁଥିବା ଗରିବ ଲୋକଙ୍କ ଭୋଟ ନିର୍ଣ୍ଣାୟକ ହେଉଥିବାରୁ ସେମାନଙ୍କ ଯୋଗାଯାଉଥିବା ଘରକୁ ନେଇ ଆଗାମୀ ଦିନରେ ରାଜନୀତି ଜୋର ହେବବୋଲି ଆଶା କରାଯାଉଛି । (ତଥ୍ୟ)