Home General ପ୍ରବାସୀଙ୍କ ସୁଅ ଛୁଟୁଛି

ପ୍ରବାସୀଙ୍କ ସୁଅ ଛୁଟୁଛି

ଭୁବନେଶ୍ୱର : କରୋନା ସଂକ୍ରମଣର ଦ୍ୱିତୀୟ ଲହର ବିଭିନ୍ନ ରାଜ୍ୟରେ ସାଂଘାତିକ ଭାବେ ବଢ଼ିଚାଳିଥିବା ପରିପ୍ରେକ୍ଷୀରେ ଏବେ ପୁଣି ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ଼, ତେଲେଙ୍ଗାନା, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟରୁ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସୁଅ ଛୁଟୁଛି ।

ପ୍ରତିଦିନ ସଡ଼କ, ରେଳ ଓ ଆକାଶପଥରେ ଅନେକ ଲୋକ ନିଜ ଭିଟାମାଟି ଓଡ଼ିଶାକୁ ଫେରୁଛନ୍ତି । ଓଡ଼ିଶାରେ କରୋନା ସଂକ୍ରମଣ ରୋକିବା ଲାଗି କଟକଣାମାନ ଜାରି ହେଉଥିବା ପରିପ୍ରେକ୍ଷୀରେ ପ୍ରତିଦିନ ଯେଭଳି ହଜାର ହଜାର ଲୋକ ଜୀବନ ବିକଳରେ ଫେରୁଛନ୍ତି ତାହା ପୁଣିଥରେ ରାଜ୍ୟ ଅର୍ଥନୀତି ପ୍ରତି ବୋଝ ହୋଇପାରେ ।

ଗତବର୍ଷ କରୋନା ଲହର ଚାଲିିଥିବା ବେଳେ କେନ୍ଦ୍ର ସରକାର ମାର୍ଚ୍ଚ ମାସରୁ ଲକ୍‍ଡାଉନ୍‍ ଆରମ୍ଭ କରିଥିଲେ । ଏ ପରିପ୍ରେକ୍ଷୀରେ ସଡ଼କ, ରେଳ ଓ ଆକାଶପଥରେ ଯାତାୟତ ବନ୍ଦ ରହିବାରୁ ଅନ୍ୟ ରାଜ୍ୟରେ କାମଧନ୍ଦା ହରାଇଥିବା ଲକ୍ଷ ଲକ୍ଷ ଓଡ଼ିଆ ବିଭିନ୍ନ ଉପାୟରେ ଭିଟାମାଟିକୁ ଫେରିବାକୁ ବାଧ୍ୟ ହେଉଛନ୍ତି । ଏମିତିକି କେତେକ ସ୍ଥଳରେ ଲୋକେ ଶହ ଶହ କିଲୋମିଟର ଚାଲି ଚାଲି ଆସିବାକୁ ପଡ଼ିଥିଲା । ଏବେ ପୁଣି କରୋନା କଡ଼ ଲେଉଟାଉଥିବା ଯୋଗୁ ସୃଷ୍ଟି ହୋଇଥିବା ଆତଙ୍କଜନକ ପରିସ୍ଥିତିରେ ଲୋକେ ନିଜକୁ ବଞ୍ଚାଇବା ପାଇଁ ଆଗତୁରା ପ୍ରତ୍ୟାବର୍ତ୍ତନ କରିବାରେ ଲାଗିଛନ୍ତି ।

ଇତିମଧ୍ୟରେ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏମିତିକି ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜରାଟ ଆଦି ରାଜ୍ୟରୁ ପ୍ରତିଦିନ ବିଭିନ୍ନ ମାର୍ଗରେ ହଜାର ହଜାର ଲୋକ ଫେରୁଛନ୍ତି । ରେଳଷ୍ଟେସନ, ବିମାନ ବନ୍ଦର ଆଦିରେ କରୋନା ପରୀକ୍ଷା ବ୍ୟବସ୍ଥା ଥିବା ବେଳେ ସଡ଼କପଥରେ କିନ୍ତୁ କମ୍‍ ପରୀକ୍ଷା ଥିବାରୁ ଏବେ ପ୍ରବାସୀମାନେ ଗାଡ଼ି ମୋଟରରେ ଆସିବାକୁ ଅଧିକ ପସନ୍ଦ କରୁଛନ୍ତି ।

ଗତବର୍ଷ ପ୍ରବାସୀ ଓଡ଼ିଆଙ୍କ ଯୋଗୁ ରାଜ୍ୟରେ କରୋନା ବ୍ୟାପିଥିଲା । ଏବେଠାରୁ ସ୍ଥିତି ନିୟନ୍ତ୍ରଣ ନ କଲେ ଅବସ୍ଥା ଅଣାୟତ ହେବା ଆଶଙ୍କା କରି ରାଜ୍ୟ ସରକାର ଆନ୍ତଃରାଜ୍ୟ ବସ୍‍ ଚଳାଚଳ ନିଷିଦ୍ଧ କରିବା ସଙ୍ଗେ ସଙ୍ଗେ କରୋନା ପ୍ରଭାବିତ ରାଜ୍ୟରୁ ଓଡ଼ିଶାକୁ ରେଳ ଚଳାଚଳ ବନ୍ଦ ଲାଗି କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ । ତେବେ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ଓଡ଼ିଶା ସରକାରଙ୍କ ଏହି ଅନୁରୋଧକୁ ଅଣଦେଖା କରିଥିବା ପରିପ୍ରେକ୍ଷୀରେ ରେଳ ଚଳାଚଳ କିନ୍ତୁ ସ୍ୱାଭାବିକ ରହିଛି । ଅବଶ୍ୟ ଇତିମଧ୍ୟରେ ବିମାନ ଚଳାଚଳ ଓ ରେଳଷ୍ଟେସନ ଅଞ୍ଚଳରେ କିଛି ଯାତ୍ରୀ କରୋନା ସଂକ୍ରମିତ ଥିବା ଚିହ୍ନିତ ହୋଇଛନ୍ତି ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ଯେ ରାଜ୍ୟ ସରକାର ରାତ୍ରିକାଳୀନ କର୍ଫ୍ୟୁ ସମେତ ଅନ୍ୟାନ୍ୟ କଟକଣାମାନ ଜାରି କରିଥିବା ବେଳେ କରୋନା ସଂକ୍ରମିତ ରାଜ୍ୟମାନଙ୍କରୁ ଯେଭଳି ଲୋକଙ୍କ ସୁଅ ଛୁଟୁଛି ତାହା ଭବିଷ୍ୟତରେ ସ୍ଥିତି ବିଗାଡ଼ିପାରେ । ଗତବର୍ଷ ବାହାରୁ ଆସୁଥିବା ଲୋକମାନଙ୍କୁ ସଂଗରୋଧ କେନ୍ଦ୍ରରେ ୧୪ଦିନ ରଖାଯାଉଥିଲା ।

ଏବେ ସଂଖ୍ୟାଧିକ ସଂଗରୋଧ କେନ୍ଦ୍ର ବନ୍ଦ ରହିଥିବାରୁ ବାହାରୁ ଆସୁଥିବା ଲୋକଙ୍କୁ ନିଜ ଘରେ ସଂଗରୋଧ ରହିବାକୁ କୁହାଯାଉଛି । ତେବେ ଆମ ରାଜ୍ୟରେ ସଂଖ୍ୟାଧିକ ଲୋକଙ୍କର ବଖୁରିଆ ଓ ଦୁଇବଖୁରିଆ ଘର ଥିବା ଏବଂ ଫନିପରେ ଏବେ ବି ଅନେକ ପରିବାର ପଲିଥିନ ତଳେ ରହୁଥିବାରୁ ଘରେ ସଂଗରୋଧ ଠିକଣା ଭାବେ ହୋଇନପାରିବା କରୋନା ସଂକ୍ରମଣ ବୃଦ୍ଧିର ଅନ୍ୟତମ କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି । (ତଥ୍ୟ)