Home Environment ପ୍ରଦୂଷଣ ରୋକିବା ପାଇଁ ମିଳିତ ସହଯୋଗ ଆବଶ୍ୟକ

ପ୍ରଦୂଷଣ ରୋକିବା ପାଇଁ ମିଳିତ ସହଯୋଗ ଆବଶ୍ୟକ

ଭୁବନେଶ୍ୱର: ଓଡ଼ିଶାର ପରିବେଶ ପ୍ରଦୂଷଣ ପ୍ରତିଷେଧ ଓ ନିୟନ୍ତ୍ରଣ ସଂପର୍କିତ ଅନୁଧ୍ୟାନ ପାଇଁ ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରଥମ ଗୃହ କମିଟି ବୈଠକ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି ।

ବାଚସ୍ପତି ଡଃ. ପାତ୍ର କମିଟିର ଭବିଷ୍ୟତ ଯୋଜନା ଓ କାର୍ଯ୍ୟପନ୍ଥା ସଂପର୍କରେ ଆଲୋକପାତ କରିବା ସହିତ ପରିବେଶ ପ୍ରଦୂଷଣ ରୋକିବା ପାଇଁ ମିଳିତ ସହଯୋଗ ଆବଶ୍ୟକ ବୋଲି ପ୍ରକାଶ କରିଛନ୍ତି । କମିଟିର ସଦସ୍ୟମାନେ ପରିବେଶ ପ୍ରଦୂଷଣ ପ୍ରତିଷେଧ ଓ ନିୟନ୍ତ୍ରଣ, ବର୍ଜ୍ୟବସ୍ତୁ ପରିଚାଳନା, ଶିଳ୍ପସଂସ୍ଥା ଦ୍ୱାରା ବିଭିନ୍ନ ଜଳାଶୟକୁ ଛଡ଼ାଯାଉଥିବା ପ୍ରଦୂଷିତ ଜଳ, ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ବିଶୁଦ୍ଧିକରଣ ଉପରେ ଆଲୋଚନା କରିଥିଲେ ।

ଚଳିତବର୍ଷ ନୂତନ ସବ୍‌କମିଟି ଗଠନ କରି କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ବାଚସ୍ପତି ଡଃ ପାତ୍ରଙ୍କୁ ଅନୁରୋଧ କରିଥିଲେ । କମିଟିମାନେ କୌଣସି ଜିଳ୍ଲାକୁ ଗସ୍ତ କରିବା ପୂର୍ବରୁ ସ୍ଥାନୀୟ ବିଧାୟକମାନଙ୍କୁ ଅବଗତ କରିବା ପରମ୍ପରାକୁ ଅବ୍ୟାହତ ରଖିବାକୁ ବାଚସ୍ପତି ଡଃ ପାତ୍ର ପରାମର୍ଶ ଦେଇଛନ୍ତି ।

ନୂତନ ସବ୍‌କମିଟି ଗଠନ ହେଲା ପରେ ସଦସ୍ୟମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ପରିବେଶ ପ୍ରଦୂଷଣ ସମ୍ପର୍କିତ ରିପୋର୍ଟ ମୁଖ୍ୟ କମିଟିକୁ ବିଚାର ନିମନ୍ତେ ପ୍ରଦାନ କରିବେ ବୋଲି ବାଚସ୍ପତି ଡଃ ପାତ୍ର ପ୍ରକାଶ କରିଛନ୍ତି । ପରିବେଶ ପ୍ରଦୂଷଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହିତ ପରିବେଶ ପ୍ରଦୂଷଣକାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ହିଁ ପରିବେଶ ପ୍ରଦୂଷଣ ଉପରେ ରୋକ ଲଗାଯାଇପାରିବ ବୋଲି ବରିଷ୍ଠ ବିଧାୟକ ଶ୍ରୀ ଅମର ଶତପଥି ପ୍ରକାଶ କରିଛନ୍ତି । ଜିଲ୍ଲା ଅନୁଯାୟୀ କମିଟି ଗଠନ କରାଗଲେ ଭଲ ହୁଅନ୍ତା ବୋଲି ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ ପ୍ରକାଶ କରିଛନ୍ତି ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ ମନ୍ତ୍ରୀ ପ୍ରତାପ ଜେନା, ବରିଷ୍ଠ ବିଧାୟକ ଶ୍ରୀ ନରସିଂହ ମିଶ୍ର, ବଦି୍ର ନାରାୟଣ ପାତ୍ର, ପ୍ରଶାନ୍ତ ମୁଦୁଲି, ସୁଶାନ୍ତ ବେହେରା, ପ୍ରଣବ ବଳବନ୍ତରାୟ, ଡଃ ସି.ଏସ୍‌. ରାଜେନ ଏMା, ସୁବାସ ଚନ୍ଦ୍ର ବେହେରା, ମିନାକ୍ଷୀ ମହନ୍ତ, ପ୍ରକାଶ ସୋରେନ୍‌, ସରୋଜ କୁମାର ମେହେର,ଦାଶରଥି ଗମାଙ୍ଗୋ, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା , ବିଧାନସଭା ସଚିବ ଦାଶରଥି ଶତପଥି, ନିର୍ଦ୍ଦେଶକ ପରିବେଶ ତଥା ସ୍ୱତନ୍ତ୍ର ଶାସନ ସଚିବ ସୁଶାନ୍ତ ନନ୍ଦ, ରାଜ୍ୟ ପ୍ରଦୂ୍ୟଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ଯନ୍ତ୍ରୀ(ପରିବେଶ) ସିତିକାନ୍ତ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ର୍ରହଣ କରିଥିଲେ ।