Home Administration ପ୍ରଦର୍ଶନୀ ପଡ଼ିଆରେ ହେବ ଓଡ଼ିଶା ଦିବସ

ପ୍ରଦର୍ଶନୀ ପଡ଼ିଆରେ ହେବ ଓଡ଼ିଶା ଦିବସ

ଭୁବନେଶ୍ୱର : ଆଗାମୀ ଅପ୍ରେଲ ୧ ତାରିଖରେ ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ ସହ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ପାଳନ କରିବାକୁ ସ୍ଥିର କରାଯାଇଛି । ଆଜି ପୂର୍ବାହ୍ନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆହୁତ ହୋଇ ଏ ସଂକ୍ରାନ୍ତୀୟ ବିଭିନ୍ନ ବିଷୟ ଉପରେ ନିଷ୍ପତ୍ତି ନିଆଯାଇଛି ।

ଓଡ଼ିଶା ଦିବସ ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ ହୋଇଥିବାରୁ ଏହି କାର୍ଯ୍ୟକ୍ରମକୁ ଆକର୍ଷଣୀୟ ଭାବରେ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ପାଳନ କରିବାକୁ ଶ୍ରୀ ଜେନା ପରାମର୍ଶ ଦେଇଥିଲେ । ତେବେ ଚଳିତ ବର୍ଷ ରାଜ୍ୟସ୍ତରୀୟ ଉତ୍ସବରେ ଭାରତର ବରପୁତ୍ରମାନଙ୍କ ଦ୍ୱାରା ରଚିତ କେତେକ ନିର୍ବାଚିତ ଓଡ଼ିଆ ଦେଶାତ୍ମବୋଧକ ସଙ୍ଗୀତ ଓ ଓଡ଼ିଶୀ, ସମ୍ବଲପୁରୀ, ଗୋଟିପୁଅ ଭଳି ନୃତ୍ୟ ପରିବେଷଣ କରାଯିବ ।

ରାଜଧାନୀଠାରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବ ପରିପ୍ରେକ୍ଷୀରେ ସମସ୍ତ ସରକାରୀ, ବେସରକାରୀ ଅଟ୍ଟାଳିକାଗୁଡ଼ିକୁ ଆଲୋକସଜ୍ଜା ନିମନ୍ତେ ଯୋଗାଯୋଗ କରିବାକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ଉତ୍ସବ ଆୟୋଜନ ପାଇଁ ଆକର୍ଷଣୀୟ ମଞ୍ଚ ନିର୍ମାଣ ସହିତ କାର୍ଯ୍ୟକ୍ରମର ସିଧାପ୍ରସାରଣ ନିମନ୍ତେ ସମସ୍ତ ଟିଭି ଚ୍ୟାନେଲକୁ ଅନୁମତି ପ୍ରଦାନ କରାଯିବା ପାଇଁ ଆଲୋଚନା କରାଯାଇଥିଲା ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଚିକିତ୍ସା ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ରାଜ୍ୟସ୍ତରର ୧୦ ଜଣ ଜଣ ଡାକ୍ତର ଏବଂ ପାରାମେଡିକ୍‌ଙ୍କୁ ସମ୍ମାନିତ କରାଯିବା ସହ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାର ବିଜୟ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ । ଅନ୍ୟ ବର୍ଷଗୁଡ଼ିକ ଭଳି ଦେଶର ରାଜଧାନୀ ନୂଆଦିଲ୍ଲୀ ସମେତ ଅନ୍ୟାନ୍ୟ ମହାନଗରୀ, ରାଜ୍ୟର ସମସ୍ତ ଜିଲ୍ଲା ଓ ଉପଖଣ୍ଡଗୁଡ଼ିକରେ ମଧ୍ୟ ଅନୁରୂପ ଭାବେ ଓଡ଼ିଶା ଦିବସ ପାଳନ କରାଯିବ ।

ଆଜିର ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ରେଡ୍‌କ୍ରସ ତରଫରୁ ସୁଶ୍ରୀ ସି.ଟି.ଏମ୍‌. ସୁଗୁଣା, ଭୁବନେଶ୍ୱର-କଟକ ପୋଲିସ୍‌ କମିଶନର ଶ୍ରୀ ସୌମେନ୍ଦ୍ର ପି୍ରୟଦର୍ଶୀ, ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ, ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ, ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର କୁମାର ପରିଡ଼ା, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ସହକାରୀ ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶୀନୀଙ୍କ ସମେତ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।