Home General ପ୍ରତି ବ୍ଲକ୍‌ରେ ହେବ ଛତୁଆ ପ୍ରସ୍ତୁତ ୟୁନିଟ୍‌

ପ୍ରତି ବ୍ଲକ୍‌ରେ ହେବ ଛତୁଆ ପ୍ରସ୍ତୁତ ୟୁନିଟ୍‌

ଭୁବନେଶ୍ୱର : ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକ ଜରିଆରେ ମହିଳାମାନଙ୍କୁ ଉଦ୍ୟୋଗ ପ୍ରତି ପ୍ରୋତ୍ସାହିତ କରିବା ଏବଂ ଗୁଣାତ୍ମକ ଛତୁଆ ପ୍ରସ୍ତୁତ କରିବା ପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାଜ୍ୟର ୩୧୪ଟି ବ୍ଲକ୍‌ରେ ଛତୁଆ ପ୍ରସ୍ତୁତ ୟୁନିଟ୍‌ ସ୍ଥାପନ ପାଇଁ ପଦକ୍ଷେପ ଗ୍ରହଣ କରିଛି ।

ଏହି ଛତୁଆ ପ୍ରସ୍ତୁତି କେନ୍ଦ୍ରଗୁଡ଼ିକ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ପ୍ରତି ବ୍ଲକ୍‌ରେ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି । ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଛି । ଏକ ଦୀର୍ଘମିଆଦୀ ଯୋଜନା ଭାବେ ଏହାକୁ ଗ୍ରହଣ କରି ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ଆର୍ଥିକ ଭାବେ ସୁଦୃଢ଼ କରିବା ଲକ୍ଷ୍ୟ ରଖାଯାଇଛି ।

ଏଥି ପାଇଁ ପର୍ଯ୍ୟାୟ କ୍ରମେ ବ୍ୟାଙ୍କର୍ସ, ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକମାନଙ୍କ ସହ ବୈଠକ କରାଯାଇ ଯୋଜନାର ଚୂଡ଼ାନ୍ତ ରୂପ ଦିଆଯାଇଛି । ବିଭାଗ ଏହି କାର୍ଯ୍ୟକ୍ରମ ସକାଶେ ମିଶନ ଶକ୍ତି ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ସହ ଅନୁବନ୍ଧିତ ହୋଇଛି । ପ୍ରତ୍ୟେକ କେନ୍ଦ୍ରରେ ପ୍ରସ୍ତୁତ ଛତୁଆର ମାନ ନିର୍ଦ୍ଧାରଣ ସକାଶେ ଅତ୍ୟାଧୁନିକ ମାନ ପରୀକ୍ଷଣ କେନ୍ଦ୍ର ଏବଂ ଉତ୍ତମ ପ୍ୟାକେଜିଂ ବ୍ୟବସ୍ଥା କରାଯାଇଛି ।

ଏହି ପଦକ୍ଷେପ ଫଳରେ ବିଭିନ୍ନ ବ୍ଲକ୍‌ରେ ପ୍ରସ୍ତୁତ ହେଉଥିବା ଛତୁଆର ମାନ ସର୍ବତ୍ର ସମାନ ରହିବ ବୋଲି କୁହାଯାଇଛି । ଇତି ମଧ୍ୟରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ତରଫରୁ ପ୍ରତ୍ୟେକ ବ୍ଲକ୍‌ରେ ଛତୁଆ ପ୍ରସ୍ତୁତ କରୁଥିବା ଏସ୍‌ଏଚ୍‌ଜିଙ୍କର ତାଲିକା ଜିଲ୍ଲାପାଳମାନଙ୍କୁ ପ୍ରେରଣ କରାଯାଇଛି । ପ୍ରତି ଛତୁଆ ପୁସ୍ତୁତି ୟୁନିଟ୍‌କୁ ୧୮ରୁ ୨୦ ଲକ୍ଷ ଟଙ୍କା ଆର୍ଥିକ ଋଣ ବ୍ୟାଙ୍କମାନଙ୍କ ଜରିଆରେ ପ୍ରଦାନ କରାଯିବାର ପ୍ରାବଧାନ ରଖାଯାଇଛି ।

ଏଥିରେ ୩୫ ଶତକଡ଼ା ଋଣ ସବ୍‌ସିଡି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହି କାର୍ଯ୍ୟକ୍ରମ ମହିଳା ଏସ୍‌ଏଚ୍‌ଜିଗୁଡ଼ିକୁ ସୁସଂଗଠିତ କରିବା ସହିତ ରାଜ୍ୟରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିପାରିବ ବୋଲି ଆଶା କରାଯାଉଛି ବୋଲି ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ଉଦ୍ୟୋଗ ଉନ୍ନୟନ ଯୋଜନା (ପିଏମ୍‌ଏଫ୍‌ଏମ୍‌ଇ) ଅଧୀନରେ ସଂଚାଳନ କରାଯିବ ।