Home Agriculture ପ୍ରତିବର୍ଷ ବଢୁଛି କୃଷି ସବ୍‍ସିଡ୍‍

ପ୍ରତିବର୍ଷ ବଢୁଛି କୃଷି ସବ୍‍ସିଡ୍‍

ଭୁବନେଶ୍ୱର : ରାଜ୍ୟର କୃଷକମାନଙ୍କୁ ସାର, ବିହନ, କଟୀନାଶକ ଠାରୁ ଆରମ୍ଭ କରି କୃଷି ଯନ୍ତ୍ରପାତି ଯୋଗାଣ ଏବଂ ବ୍ୟବହାର ପାଇଁ ଦିଆଯାଉଥିବା ଆର୍ଥିକ ପ୍ରୋତ୍ସାହନର ପରିମାଣ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ୨୦୧୪-୧୫ ବର୍ଷରେ ଏହା ହଜାରେ କୋଟି ଟଙ୍କା ମଧ୍ୟରେ ସୀମିତ ଥିବାବେଳେ ୨୦୧୯-୨୦ ରେ ଏହା ୩୮୮୬ କୋଟି ଟଙ୍କାକୁ ଟପିଯାଇଥିଲା ।

ରାଜ୍ୟ ସରକାର ଉଭୟ ରାଜ୍ୟ ଯୋଜନା ଓ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଚାଷୀମାନଙ୍କୁ ବିହନ, ସାର, କୀଟନାଶକ ଓ କୃଷି ଯନ୍ତ୍ରପାତି ଖରିଦ ବାବଦରେ ସବ୍‍ସିଡ୍‍ ପ୍ରଦାନ କରିଥାନ୍ତି । ତେବେ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ କମ୍‍ ଅର୍ଥ ମିଳୁଥିବାବେଳେ ରାଜ୍ୟ ଯୋଜନାରେ ଅଧିକ ଅର୍ଥ ଯୋଗାଇ ଦିଆଯାଉଛି । ୨୦୧୪-୧୫ ଚାଷୀମାନଙ୍କୁ ୭୯୩କୋଟି ୨୮ଲକ୍ଷ ଟଙ୍କାର ସବ୍‍ସିଡ୍‍ ଦିଆଯାଇଥିବାବେଳେ ଏଥି ମଧ୍ୟରୁ ରାଜ୍ୟ ଯୋଜନାରୁ ପ୍ରାୟ ୪୯୧ କୋଟି ଟଙ୍କା ଦିଆଯାଇଥିଲା ।

୨୦୧୫-୧୬ ବର୍ଷରେ ଚାଷୀଙ୍କୁ ପ୍ରୋତ୍ସାହନ ରାଶି ବାବଦରେ ୧୧୧୭ କୋଟି ୮୦ଲକ୍ଷ ଟଙ୍କା ମିଳିଥିବାବେଳେ ୨୦୧୮-୧୯ ରେ ଏହା ୨୩୮୨ କୋଟି ଟଙ୍କାକୁ ଟପିଯାଇଥିଲା । ୨୦୧୯-୨୦ ରେ ଏହା ୩୮୮୬ କୋଟି ୮୦ଲକ୍ଷ ଟଙ୍କାକୁ ଟପିଥିବାବେଳେ ୨୦୨୦-୨୧ ବର୍ଷରେ ଏହାର ପରିମାଣ ହ୍ରାସ ପାଇଥିଲା । ତେବେ କରୋନା ମହାମାରୀ ଯୋଗୁଁ କୃଷି ଯନ୍ତ୍ରପାତି ବିକ୍ରି ହ୍ରାସ ପାଇବା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିଲା ।

ତେବେ ବିହନ ସବସିଡ୍‍ ବାବଦରେ ତିନି ବର୍ଷ ଧରି ସରକାର ଯୋଗାଉଥିବା ଅର୍ଥ ହ୍ରାସ ପାଇବାରେ ଲାଗିଛି । ୨୦୧୮-୧୯ରେ ବିହନ ପାଇଁ ସରକାର ପ୍ରାୟ ୨୮କୋଟି ଟଙ୍କାର ସବ୍‍ସିଡ୍‍ ପ୍ରଦାନ କରିଥିବାବେଳେ ୨୦୧୯-୨୦ ରେ ଏହା ୨୬କୋଟି ୫୦ଲକ୍ଷ ଟଙ୍କାକୁ ହ୍ରାସ ପାଇଥିଲା । ୨୦୨୦-୨୧ ବର୍ଷରେ ଏହା ୧୫କୋଟି ଟଙ୍କା ମଧ୍ୟରେ ସୀମିତ ଥିଲା ।

ସାର, ବିହନ ଓ କୃଷିଯନ୍ତ୍ରପାତି ବ୍ୟତିତ ରାଜ୍ୟ ସରକାର ଅଣୁ ଜଳସେଚନ ପାଇଁ ମଧ୍ୟ ଚାଷୀଙ୍କୁ ରିହାତି ଅର୍ଥ ଯୋଗାଇ ଦେଇଥାନ୍ତି । ଏହି ଯେଜାନାରେ ଉଭୟ ଚାଷୀଙ୍କ ସଂଖ୍ୟା ଓ ରିହାତି ଅର୍ଥ ପରିମାଣ ପ୍ରତିବର୍ଷ ବଢିବାରେ ଲାଗିଛି । ୨୦୧୪-୧୫ ବର୍ଷରେ ୪୬୪୫ ଜଣ ଚାଷୀଙ୍କୁ ଏ ବାବଦରେ ୧୦କୋଟି ୫୭ଲକ୍ଷ ଟଙ୍କା ଯୋଗା ଯାଇଥିବାବେଳେ ୨୦୧୮-୧୯ ରେ ୮୨୭୦ ଜଣ ଚାଷୀଙ୍କୁ ୨୫କୋଟି ୩୬ଲକ୍ଷ ଟଙ୍କା, ୨୦୧୯-୨୦ ବର୍ଷରେ ୧୬,୪୦୧ ଜଣ ଚାଷୀଙ୍କୁ ପାଖପାଖି ୩୦କୋଟି ଟଙ୍କା ଓ ୨୦୨୦-୨୧ ବର୍ଷରେ ୩୦ହଜାରରୁ ଉର୍ଧ ଚାଷୀଙ୍କୁ ପ୍ରାୟ ୬୨କୋଟି ଟଙ୍କା ଯୋଗାଇ ଦିଆଯାଇଛି ।

ଚାଷ କାର୍ଯ୍ୟ ପାଇଁ ବିଭିନ୍ନ ଯୋଜନା ଯୋଗାଯାଉଥିବା ସବ୍‍ସିଡ୍‍ ଅର୍ଥ ପରିମାଣ ବଢି ଚାଲିଥିବାବେଳେ ରାଜ୍ୟରେ ଧାନକୁ ବାଦ ଦେଲେ ଅନ୍ୟ କୌଣସି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଲକ୍ଷ୍ୟ କରାଯାଉନାହିଁ । ଡାଲି ଠାରୁ ଆରମ୍ଭକରି ଖାଇବା ତେଲ ଏପରିକି ଆଳୁ, ପିଆଜ ଭଳି ସାମଗ୍ରୀ ଓଡିଶା ବର୍ଷସାରା ଅନ୍ୟ ରାଜ୍ୟରୁ ଆମଦାନୀ କରୁଛି ଓ ଏ ବାବଦରେ ଆମ ରାଜ୍ୟରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ବାହାରକୁ ଚାଲିଯାଉଛି । (ତଥ୍ୟ)