Home Administration ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କର

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କର

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନରେ ରାଜ୍ୟର ପଶ୍ଚିମାଞ୍ଚଳର ଜିଲ୍ଲାଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତି୍ରପାଠୀ ଜିଲ୍ଲାଗୁଡ଼ିକୁ ତାଗିଦ୍‌ କରିଛନ୍ତି ।

ଆଜି ଏକ ଭିଡ଼ିଓ କନ୍‌ଫରେନ୍ସରେ ସେ ଏଗାରଟି ଜିଲ୍ଲାର ଜିଲ୍ଲା ଯୋଜନା ଓ ତଦାରଖ ୟୁନିଟ୍‌ର ଉପନିର୍ଦ୍ଦେଶକମାନଙ୍କ ସହ ବାର୍ତ୍ତାଳାପ କରି ଅସଂପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ଶୀଘ୍ର ସାରିବାକୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ସେ ପୁରୁଣା ଢାଞ୍ଚାରେ କେତେକ ସଂସ୍କାର ଆଣି କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ପାରଦର୍ଶୀ ଓ ତ୍ୱରିତ ସଂପାଦନ ସକାଶେ ପଦକ୍ଷେପ ଗ୍ରହଣ କରିଥିବା ସୂଚିତ କରିଥିଲେ ।

ପରିଷଦର ବଜେଟ ବୃଦ୍ଧି ହେବା ସହ ଗୁରୁତ୍ୱ ମଧ୍ୟ ବୃଦ୍ଧି ପାଇଛି । ଜିଲ୍ଲାଗୁଡ଼ିକ ସେଥିପାଇଁ ନୂତନ ପ୍ରକଳ୍ପ ନିମନ୍ତେ ପ୍ରସ୍ତାବ ଦେବାକୁ ସେ କହିଥିଲେ । ଏଣିକି ଜିଲ୍ଲାଗୁଡ଼ିକରୁ ଫିଜିବିଲିଟି ରିପୋର୍ଟ ପାଇବା ପରେ ଅର୍ଥ ମଞ୍ଜୁରୀ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।

ପୂର୍ବରୁ ଅର୍ଥ ମଞ୍ଜୁରୀ ପରେ ଫିଜିବିଲିଟି ରିପୋର୍ଟ ଆସୁଥିବାରୁ କେତେକ କ୍ଷେତ୍ରରେ କାମ ଆରମ୍ଭ କରାଯାଇ ପାରୁନଥିଲା ଏବଂ ପ୍ରାପ୍ତ ଅନୁଦାନ ଫେରସ୍ତ କରିବାକୁ ପଡ଼ୁଥିଲା । ତେଣୁ ସେଥିରେ ଏବେ ପରିବର୍ତ୍ତନ ଅଣାଯାଇ ନୂଆ ଫରମାଟ୍‌ ପ୍ରସ୍ତୁତ କରି ଜିଲ୍ଲାମାନଙ୍କୁ ଯୋଗାଇ ଦିଆଯାଇଛି ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଶାଖା କାର୍ଯ୍ୟାଳୟଗୁଡ଼ିକ ସଂପୃକ୍ତ ଜିଲ୍ଲାଗୁଡ଼ିକରେ କାର୍ଯ୍ୟାରମ୍ଭ କରିଥିବାରୁ ଏଣିକି ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ଆଶା କରାଯାଉଛି । ଏ ଯାବତ୍‌ ଏସବୁ ଜିଲ୍ଲାରେ ୧୧୪୩ଟି ପ୍ରକଳ୍ପ କାର୍ଯ୍ୟାରମ୍ଭ ହୋଇ ନପାରି ପଡ଼ି ରହିଥିବା ଯୋଗୁଁ ସେ କ୍ଷୋଭ ପ୍ରକାଶ କରି ଆସନ୍ତା ଅପ୍ରେଲ ୧୫ ତାରିଖ ମଧ୍ୟରେ ଏଗୁଡ଼ିକୁ କାର୍ଯ୍ୟ ଆରମ୍ଭ କରିବାକୁ କହିଥିଲେ ।

ସେ ପ୍ରତି ପନ୍ଦର ଦିନରେ ଥରେ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଉପରେ ସମୀକ୍ଷା କରିବେ ବୋଲି ଜଣାଇଛନ୍ତି । ଯେଉଁସବୁ ପ୍ରକଳ୍ପ ଅନୁଦାନ ଜିଲ୍ଲାରେ ରହିଛି ଏବଂ ସଂପୃକ୍ତ ପ୍ରକଳ୍ପ କାର୍ଯ୍ୟ ପାଇଁ ଫିଜିବିଲିଟି ନାହିଁ ସେହି ଅର୍ଥକୁ ତୁରନ୍ତ ଫେରସ୍ତ କରିବାକୁ ସେ କହିଥିଲେ ।

ଏଣିକି ଅନୁଦାନ ଅର୍ଥ ଜିଲ୍ଲାକୁ ଦେବା ପରିବର୍ତ୍ତେ ସିଧାସଳଖ ନିର୍ବାହୀ ସଂସ୍ଥାକୁ ପ୍ରଦାନ କରବାକୁ ପଦକ୍ଷେପ ନିଆଯାଇଥିବା ସେ ପ୍ରକାଶ କରିଥିଲେ । ଏହି ନୂତନ ପଦକ୍ଷେପଗୁଡ଼ିକ ଉପରେ ଜିଲ୍ଲାଗୁଡ଼ିକରୁ ସେ ମତାମତ ଲୋଡ଼ିଥିଲେ । ସଂପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ବିନିଯୋଗ ପତ୍ର ତୁରନ୍ତ ପ୍ରେରଣ କରିବାକୁ କୁହାଯାଇଥିଲା ।

ଏହି ବୈଠକରେ ପରିଷଦର ମୁଖ୍ୟ ନର୍ବାହୀ ଅଧିକାରୀ ସରୋଜ କୁମାର ପଟେଲ, ଉପନିର୍ଦ୍ଦେଶକ ଦେବୀପ୍ରସାଦ ମହାନ୍ତି, ଡି.ଓ ସୁଜାତା ମହାରଣା, ବିତ୍ତ ଅଧିକାରୀ ଦେବରାଜ ମଣ୍ଡଳ, କାର୍ଯ୍ୟକ୍ରମ ପରିଚାଳକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ ।