Home General ପୌର ନିର୍ବାଚନ ପ୍ରସ୍ତୁତି ଆରମ୍ଭ

ପୌର ନିର୍ବାଚନ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ବିଧିବଦ୍ଧ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଏଥିପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ଶ୍ରୀ ଜେନା ଦେଇଥିବା ସୂଚନା ଅନୁଯାୟୀ ଆସନ୍ତା ନଭେମ୍ବର ୨୦ତାରିଖ ଦିନ ପୌରାଞ୍ଚଳ ମାନଙ୍କରେ ୱାର୍ଡ ସୀମାନିର୍ଦ୍ଧାରଣ ଓ ସ୍ଥାନ ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ପାଇବ । ଜିଲ୍ଲାପାଳମାନେ ମ୍ୟୁନିସପାଲ ଅଧିନିୟମ ୧୯୫୦ ଅନ୍ତର୍ଗତ ନିୟମ ୨ଏ(୫) ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ କରିବେ । ଜିଲ୍ଲାପାଳ ମାନଙ୍କୁ ଏ ନେଇ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି ।

ଜିଲ୍ଲାପାଳ ମାନଙ୍କୁ ପଠାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ଜିଲ୍ଲାପାଳମାନେ ଆସନ୍ତା ନଭେମ୍ବର ୯ତାରିଖ ସୁଦ୍ଧା ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । ଏ ନେଇ ଆପତି ଅଭିଯୋଗ ନଭେମ୍ବର ୧୮ ପର୍ଯ୍ୟନ୍ତ ଗ୍ରହଣ କରାଯିବ ଏବଂ ନଭେମ୍ବର ୨୯ତାରିଖ ଦିନ ବିଜ୍ଞପ୍ତି ପ୍ରକାଶ ପାଇବ ।

ଜିଲ୍ଲାପାଳ ମାନଙ୍କ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଉପରେ ଗୃହ ଓ ନଗର ଉନ୍ନୟନ ବିଭାଗ ପାଖରେ ନଭେମ୍ବର ୨୯ ରୁ ଡିସେମ୍ବର ୧୩ତାରିଖ ପର୍ଯ୍ୟନ୍ତ ଆପତି( ଅପିଲ୍ ) ଦାଖଲ କରାଯାଇ ପାରିବ । ଉପରୋକ୍ତ କାର୍ଯ୍ୟସୂଚୀ ଅନୁଯାୟି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

ସେହିପରି ୫ ଟି ମହାନଗର ନିଗମ ମଧ୍ୟରୁ କଟକ , ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସ୍ଥାନ ସଂରକ୍ଷଣ ସଂପର୍କିତ ତଥ୍ୟ ଆସନ୍ତା ନଭେମ୍ବର ୧୫ ସୁଦ୍ଧା ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗରେ ଦାଖଲ କରିବାକୁ କୁହାଯାଇଛି । ବିଭାଗ ତରଫରୁ ଡିସେମ୍ବର ୧୦ତାରିଖ ଦିନ ଏ ନେଇ ଚିଠା ତାଲିକା ପ୍ରକାଶ ପାଇବ ।

ପ୍ରକାଶିତ ଚିଠା ତାଲିକା ଉପରେ ଡିସେମ୍ବର ୧୯ତାରିଖ ପର୍ଯ୍ୟନ୍ତ ଆପତି ଅଭିଯୋଗ ଗ୍ରହଣ କରାଯିବା ସହିତ ୨୦୨୨ ଜାନୁୟାରୀ ୨୦ତାରିଖ ପୂର୍ବରୁ ଚୁଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ । ଏ ନେଇ ଉପରୋକ୍ତ ୩ ଗୋଟି ମହାନଗର ନିଗମର କମିଶନର ମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି ।

ଆମର ୧୧୪ ଗୋଟି ୟୁ.ଏଲ୍‌.ବି ମଧ୍ୟରେ ୫ଟି ମହାନଗର ନିଗମ, ୪୮ ଟି ମ୍ୟୁନିସପାଲିଟି ଓ ୬୧ ଟି ଏନ୍‌.ଏ.ସି ରହିଛି । ୫ ଟି ମହାନଗର ନିଗମ ମଧ୍ୟରୁ ଅଦାଲତରେ ମାମଲା ଯୋଗୁଁ ସମ୍ବଲପୁର ଓ ରାଉରକେଲା ମହାନଗର ନିଗମରେ ନିର୍ବାଚନ ପ୍ରକ୍ରିଆ ଆରମ୍ଭ କରାଯାଇ ନାହିଁ ।

LEAVE A REPLY

Please enter your comment!
Please enter your name here