Home Administration ପୌରାଞ୍ଚଳରେ ଗଠନ ହେବ ୱାର୍ଡ କମିଟି

ପୌରାଞ୍ଚଳରେ ଗଠନ ହେବ ୱାର୍ଡ କମିଟି

ଭୁବନେଶ୍ୱର : ତିନି ଲକ୍ଷ କିମ୍ବା ଏହାଠାରୁ ଅଧିକ ଜନସଂଖ୍ୟା ଥିବା ପୌରାଞ୍ଚଳରେ ୱାର୍ଡ କମିଟିମାନ ଗଠନ କରାଯିବ । ଏହି କମିଟି ହାତରେ ବାର୍ଷିକ ବଜେଟ୍‍ ପ୍ରସ୍ତୁତି ଠାରୁ ଆରମ୍ଭ କରି ବିପର୍ଯ୍ୟୟ ମୁକାବିଲା ପଦକ୍ଷେପ ଆଦି ରହିବ ।

ରାଜ୍ୟର ସହରାଞ୍ଚଳରେ ଜନସଂଖ୍ୟା ଦ୍ରୁତ ହାରରେ ବଢୁଥିବାରୁ ବିଭିନ୍ନ ପୌରାଞ୍ଚଳରେ କାର୍ଯ୍ୟର ଭାର ବି ବଢିବାରେ ଲାଗିଛି । ଏଥି ସହିତ ପୌରାଞ୍ଚଳର ବିକାଶ କାର୍ଯ୍ୟରେ ଗୋଷ୍ଠିଗୁଡିକୁ ସାମିଲ ପାଇଁ ଗୁରୁତ୍ୱ ଦିଆଯାଉଛି । ଏହାକୁ ଦୃଷ୍ଟିରେ ରଖି ତିନି ଲକ୍ଷ କିମ୍ବା ଏହା ଠାରୁ ଅଧିକ ଜନସଂଖ୍ୟା ଥିବା ପୌରାଞ୍ଚଳରେ ୱାର୍ଡ କମିଟି ଗଠନ ଲାଗି ହୋଇଥିବା ନିଷ୍ପତ୍ତି ଉପରେ ଗତ କାଲି ରାଜ୍ୟ କ୍ୟାବିନେଟ୍‍ ମୋହର ମାରିଛି ।

ତଦନୁଯାୟୀ ଗଠନ ହେବାକୁ ଥିବା ୱାର୍ଡ କମିଟି ପୌରାଞ୍ଚଳ ପାଇଁ ବାର୍ଷିକ ବଜେଟ୍‍ ପ୍ରସ୍ତୁତରେ ସହାୟତା କରିବେ । ବଜେଟ୍‍ ପ୍ରସ୍ତୁତ ସମୟରେ ବସ୍ତି ବାସିନ୍ଦା ସଂଘର ପ୍ରସ୍ତାବକୁ ିବଚାରକୁ ନେବେ । ସେମାନଙ୍କ ବସ୍ତିରେ କି ପ୍ରକାର କାର୍ଯ୍ୟ ବା ବିକାଶ ଆବଶ୍ୟକ ତାହା ବସ୍ତିବାସିନ୍ଦାମାନେ କମିଟିକୁ ଅବଗତ କଲେ ସେଥିପାଇଁ ବଜେଟ୍‍ରେ ବ୍ୟବସ୍ଥା ହେବ । ବଜେଟ୍‍ ପ୍ରସ୍ତୁତ ସହିତ ବାର୍ଷିକ କାର୍ଯ୍ୟ ଯୋଜନା ପ୍ରସ୍ତୁତରେ ମଧ୍ୟ ୱାର୍ଡ କମିଟି ପ୍ରମୁଖ ଭୂମିକା ଗ୍ରହଣ କରିବ ।

ରାଜ୍ୟ ସରକାର ଏବେ ପୌରାଞ୍ଚଳରେ ବିପର୍ଯ୍ୟୟ ମୁକାବିଲା ପାଇଁ ପୌରସଂସ୍ଥା ଉପରେ ଗୁରୁତ୍ୱ ଦେଉଥିବାବେଳେ ପ୍ରସ୍ତାବିତ ୱାର୍ଡ କମିଟି ଏ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ୱାର୍ଡ କମିଟିର ସଦସ୍ୟମାନଙ୍କୁ ବାତ୍ୟା, ବର୍ଷା ଜନିତ ସହରାଞ୍ଚଳ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ତାଲିମ ପ୍ରଦାନ କରାଯିବ ଏବଂ ଆଗାମୀ ଦିନରେ ଏହାର ମୁକାବିଲା କ୍ଷେତ୍ରରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ସହଯୋଗମାନ ରହିବ ।

ଏହାକୁ ଦୃଷ୍ଟରେ ରଖି ୱାର୍ଡ କମିଟି ଜରିଆରେ ପୌରାଞ୍ଚଳବାସୀଙ୍କୁ ଉନ୍ନତ ସେବା ଯୋଗାଣ ଲାଗି ଓଡିଶା ପୌରସଂସ୍ଥା ଅଧିନିୟମ ୧୯୫୦ ଏବଂ ଓଡିଶା ମହାନଗର ନିଗମ ଅଧିନିୟମ ୨୦୦୩ରେ ପରିବର୍ତ୍ତନ ପ୍ରସ୍ତାବକୁ କ୍ୟାବିନେଟ୍‍ ମଞ୍ଜୁରୀ ମିଳିଛି । ଏହା ଫଳରେ ପୌରାଞ୍ଚଳର ବିକାଶରେ ସ୍ଥାନୀୟ ଗୋଷ୍ଠିଗୁଡିକ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହିତ ସେମାନଙ୍କର ବିକାଶ ଯୋଜନା ନିଜେ ସ୍ଥିର କରିପାରିବେ । (ତଥ୍ୟ)