Home News in Odia ପୋଷ୍ଟର ରାଜନୀତିକୁ ଲୋକଙ୍କ ନାପସନ୍ଦ

ପୋଷ୍ଟର ରାଜନୀତିକୁ ଲୋକଙ୍କ ନାପସନ୍ଦ

ଭୁବନେଶ୍ୱର : କରୋନା ଟିକାକରଣ ସାର୍ଟିଫିକେଟରେ ନେତାଙ୍କ ଫଟୋ ରହୁଥିବାବେଳେ ଶିଶୁମାନଙ୍କୁ ଦିଆଯାଉଥିବା ଅନ୍ୟ ଟିକା ଠାରୁ ଆରମ୍ଭକରି ଶିକ୍ଷାଗତ, ଜନ୍ମମୃତ୍ୟୁ ଓ ଜମିବାଡି ଆଦି ପ୍ରମାଣପତ୍ରରେ ମଧ୍ୟ ନେତାମାନଙ୍କ ଫଟୋ ରହିବାପାଇଁ ଦଳୀୟ କର୍ମୀମାନେ ମତପ୍ରକାଶ କରୁଥିବାବେଳେ ସାଧାରଣ ଲୋକେ କିନ୍ତୁ ଏହାକୁ ନାପସନ୍ଦ କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ କରୋନା ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ୍‍ ନେଉଥିବା ବ୍ୟକ୍ତିଙ୍କ ଲାଗି କୋ-ୱିନ୍‍ ପୋର୍ଟାଲରେ ସାର୍ଟିଫିକେଟ ମିଳୁଛି । ତେବେ ଏହି ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହୁଛି । ତେବେ ଛତିଶଗଡ, ପଶ୍ଚିମବଙ୍ଗ ଭଳି କେତେକ ରାଜ୍ୟରେ ଟିକାକରଣ ସାର୍ଟିଫିକେଟରେ ମୁଖ୍ୟମନ୍ତ୍ରୀମାନଙ୍କ ଫଟୋ ବି ରହୁଛି । ଅନ୍ୟ ରାଜ୍ୟରେ ଏହି ଟିକା ସାର୍ଟିଫିକେଟରେ ମୁଖ୍ୟମନ୍ତ୍ରୀମାନଙ୍କ ଫଟୋ କାହିଁକି ନରହିବ ସେଥିଘେନି ପ୍ରଶ୍ନବାଚୀ ଉଠୁଛି ।

ଇତି ମଧ୍ୟରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏହି ବିବାଦ ମଧ୍ୟକୁ ଲମ୍ଫ ପ୍ରଦାନ କରି ଯୁବବର୍ଗଙ୍କୁ ଟିକାକରଣ ଲାଗି ଉତ୍ସାହିତ କରିବାପାଇଁ ବିଶ୍ୱବିଦ୍ୟାଳୟ ପରିସରରେ ଟିକାଦାନ ସଂକ୍ରାନ୍ତୀୟ ପ୍ରଚାରପତ୍ର ଓ ଫ୍ଲେକ୍ସରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରଖିବାପାଇଁ ସର୍କୁଲାର ଜାରି କରିଛି ।

ଓଡିଶାର କେତେକ ଟିକାଦାନ କେନ୍ଦ୍ରରେ ଟିକା ନେବାପାଇଁ ଜନସାଧାରଣଙ୍କୁ ନିବେଦନ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଫଟୋ ବ୍ୟାନର ବି ଲାଗିଛି । କେଉଁଠି ବିଜେପି ନେତା ମୁଖ୍ୟମନ୍ତ୍ରୀଙ୍କ ଫଟୋ ବ୍ୟାନର ଚିରି ଦେଉଛନ୍ତି ତ ଅନ୍ୟ କେଉଁଠି ଅଣ ବିଜେପି କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କ ଫଟୋ ମଧ୍ୟ ଚିରୁଛନ୍ତି । ଟିକାଦାନ ଅପେକ୍ଷା ଫଟୋ ରାଜନୀତି ଏବେ ପ୍ରତିଦିନ ଗଣମାଧ୍ୟମରେ ଚର୍ଚ୍ଚିତ ହେଉଛି ।

ବିଜେପି ନେତାମାନେ କହୁଛନ୍ତି ଯେ କେନ୍ଦ୍ର ସରକାର ଟିକା ଯୋଗାଉଥିବାରୁ ସାର୍ଟିଫିକେଟ ଓ ପ୍ରଚାର ସାମଗ୍ରୀରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବା ଯୁକ୍ତିସଙ୍ଗତ । ତେବେ ଟିକାକରଣ କାର୍ଯ୍ୟକ୍ରମ କେନ୍ଦ୍ରୀୟ ମାର୍ଗନିର୍ଦ୍ଦେଶିକା ଅନୁଯାୟୀ ରାଜ୍ୟ ସରକର ଚଳାଉଥିବା ଏବଂ ରାଜ୍ୟ ମଧ୍ୟ ଏଥିପାଇଁ କିଛି ଟିକା କିଣିଥିବାରୁ ଏହି ସାର୍ଟିଫିକେଟ ଓ ପ୍ରଚାର ସାମଗ୍ରୀରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିବା ଆବଶ୍ୟକ ବୋଲି ଆଉ କେତେକ ମଧ୍ୟ ଯୁକ୍ତି ବାଢୁଛନ୍ତି ।

ଯଦି କରୋନା ଟିକା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀମାନଙ୍କ ଫଟୋ ରହିବା ନିହାତି ଆବଶ୍ୟକ ତେବେ ଜନ୍ମମୃତ୍ୟୁ ପ୍ରମାଣପତ୍ର ଠାରୁ ଆରମ୍ଭକରି ଦିଆଯାଉଥିବା ଅନ୍ୟ ଟିକା ଲାଗି ବି ଏମାନଙ୍କ ଫଟୋ କାହିଁକି ନଲାଗିବ ବୋଲି ଯୁକ୍ତି ଉଠିଲାଣି । କେବେଳ ସେତିକି ନୁହେଁ ସରକାରୀ ପଇସାରେ ପ୍ରାଥମିକ ବିଦ୍ୟ।।ଳୟରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ଶ୍ରେଣୀ ପାଇଁ ଦିଆଯାଉଥିବା ସାର୍ଟିଫିକେଟରେ ଶିକ୍ଷାବୋର୍ଡ କି ବିଶ୍ୱବିଦ୍ୟାଳୟ ପରିବର୍ତ୍ତେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀମାନଙ୍କର ଫଟୋ କାହିଁକି ରହିବନାହିଁ ବୋଲି ପ୍ରଶ୍ନ ଉଠିଲାଣି ।

ଏହାଛଡା ଜାତିଗତ ପ୍ରମାଣପତ୍ର, ବାସସ୍ଥାନ, ଆର୍ଥିକ ସ୍ୱଚ୍ଛଳତା ଆଦି ଯେତେସବୁ ପ୍ରମାଣପତ୍ର ରାଜସ୍ୱ ପ୍ରଶାସନ ମାଧ୍ୟମରେ ଦିଆଯାଉଛି ସେଗୁଡିକ ବି ଅନୁରୂପ ଭାବେ ଫଟୋ ରଖିବାକୁ କେତେକ ମତ ଦେଲେଣି ।

ଇତି ମଧ୍ୟରେ ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ନେତାଙ୍କ ପରିବର୍ତ୍ତେ ସରକାରଙ୍କ ପ୍ରତୀକକୁ କରୋନା ଟିକା ସାର୍ଟିଫିକେଟରେ ରଖିବାଲାଗି ମତ ଦେଉଥିବାବେଳେ ସରକାରୀ ପ୍ରମାଣପତ୍ରରେ ନେତାମାନଙ୍କ ଫଟୋ କାହିଁକି ରହିବ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇ ଏଭଳି ପ୍ରଚାର ସର୍ବସ୍ୱ ମନୋଭାବରୁ ରାଜନୈତିକ ନେତାମାନେ ଦୂରେଇ ରହିବାକୁ କହୁଛନ୍ତି । (ତଥ୍ୟ)