Home Finance ପେଟ୍ରୋଲ ଦର ୩୦୦ ପ୍ରତିଶତ ବୃଦ୍ଧି

ପେଟ୍ରୋଲ ଦର ୩୦୦ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର : ସାତ ବର୍ଷ ଭିତରେ ପେଟ୍ରୋଲ ଓ ଡିଜେଲ ଉପରେ ଟିକସର ପରିମାଣ ପ୍ରାୟ ୩୦୦ ପ୍ରତିଶତ ବଢିଲାଣି । ଏହି ଧାରା ଅବ୍ୟାହତ ରହିଲେ ଆଉ କିଛି ବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨୦୦ଟଙ୍କା ଆଡକୁ ଗତି କରିବ ବୋଲି ଖାଉଟିମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ।

ଏବେ ପ୍ରତି ଲିଟର ପେଟ୍ରୋଲ ଓ ଡିଜେଲରେ କେନ୍ଦ୍ର ସରକାର ହାରାହାରି ୨୨ଟଙ୍କା ପର୍ଯ୍ୟନ୍ତ ସେସ ଆଦାୟ କରୁଛନ୍ତି । ଏହାଛଡା ଅନ୍ୟାନ୍ୟ କେନ୍ଦ୍ରୀୟ ଓ ରାଜ୍ୟ ଟିକସ ରହିଛି । ଡିଲରମାନଙ୍କୁ ବି ଦିଆଯାଉଥିବା କମିଶନ ଖାଉଟିମାନଙ୍କୁ ଦେବାକୁ ପଡୁଛି । କୃଷି ଭିତ୍ତିଭୂମି ଓ ସଡକ ଭିତ୍ତିଭୂମି ବିକାଶ ଲାଗି ପ୍ରତି ଲିଟର ପେଟ୍ରୋଲରେ ପାଖାପାଖି ୨୧ଟଙ୍କା ସେସ କେନ୍ଦ୍ର ସରକାର ଆଦାୟ କରୁଥିବାବେଳେ ପ୍ରତି ଲିଟର ଡିଜେଲରେ ବି ପ୍ରାୟ ୨୨ଟଙ୍କା ସେସ୍‍ ନେଉଛନ୍ତି । ଏହାଛଡା କେନ୍ଦ୍ର ଓ ରାଜ୍ୟର ଟିକସ ଚାପ ରହିଛି ।

୨୦୧୪ରେ କେନ୍ଦ୍ର ସରକାର ପେଟ୍ରୋଲରୁ ୨୯,୨୭୯ କୋଟି ଟଙ୍କା ଓ ଡିଜେଲରୁ ପ୍ରାୟ ୪୩ହଜାର କୋଟି ଟଙ୍କାର ଏକ୍ସାଇଜ ଡ୍ୟୁଟି ଆଦାୟ କରିଥିବାବେଳେ ଗତ ଆର୍ଥିକବର୍ଷରେ ୩ଲକ୍ଷ କୋଟି ଟଙ୍କାରୁ ଅଧିକ ଏକ୍ସାଇଜ୍‍ ଡ୍ୟୁଟି ପାଇଛନ୍ତି । ହିସାବରୁ ଜଣାଯାଉଛି ଯେ ୭ବର୍ଷ ମଧ୍ୟରେ ଟିକସ ପରିମାଣ ପ୍ରାୟ ୩୦୦ ପ୍ରତିଶତ ବଢିଛି । ଏବର୍ଷ ଏ ବାବଦରେ କେନ୍ଦ୍ର ସରକାର ଆଉ ପ୍ରାୟ ୪୦ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି । ବିଶେଷକରି କରୋନା ପରିଚାଳନା ଠାରୁ ଆରମ୍ଭକରି ସଡକ ଓ କୃଷିର ବିକାଶ ଲାଗି ପେଟ୍ରୋଲ ଓ ଡିଜେଲରୁ ଆଦାୟ କରାଯାଉଥିବା ସେସ୍‍ରୁ ବିପୁଳ ପରିମାଣର ଅର୍ଥ ମିଳୁଛି ।

ଆର୍ନ୍ତଜାତିକ ବଜାରରେ ତୈଳ ଦର ବୃଦ୍ଧି ସହିତ ଟିକସ ଓ ସେସ ବୃଦ୍ଧି ଯୋଗୁଁ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ସାଧାରଣ ଲୋକଙ୍କୁ ବିଶେଷ ବାଧୁଥିବାବେଳେ ରନ୍ଧନଗ୍ୟାସ ଦରବୃଦ୍ଧି ଯୋଗୁଁ ଅନେକ ପରିବାର ଏବେ ଗ୍ୟାସ ବ୍ୟବହାର ନକରି ପୁଣି କାଠଚୂଲିକୁ ଫେରିବା ଆରମ୍ଭ କରିଛନ୍ତି ।

ଓଡିଶାରେ ଦୈନିକ ହାରାହାରି ୨୮ଲକ୍ଷ ଲିଟର ପେଟ୍ରୋଲ ଓ ୮୩ଲକ୍ଷ ଲିଟର ଡିଜେଲ ବ୍ୟବହୃତ ହେଉଥିବା ବ୍ୟବସାୟୀମାନେ କହୁଛନ୍ତି । ଏହା ଉପରେ ଯେତେ ପରିମାଣର ସେସ ଲାଗୁଛି ତାହା ସିଧାସଳଖ କେନ୍ଦ୍ର ସରକାରଙ୍କ ପାଖକୁ ଯାଉଛି । ତେବେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲରୁ ସେସ୍‍ ବାଦ୍‍ ଯେଉଁ ଏକ୍ସାଇଜ୍‍ ଡ୍ୟୁଟି ଆଦାୟ କରୁଛନ୍ତି ତାହାର ପ୍ରାୟ ୪୧ପ୍ରତିଶତ ରାଜ୍ୟମାନଙ୍କୁ ବାଣ୍ଟୁଛନ୍ତି । ତେଣୁ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଯୋଗୁଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ଟିକସ ଭାଗ ବଢୁଛି ।

କିନ୍ତୁ ଅନ୍ୟ ପକ୍ଷରେ ଏଥିଯୋଗୁଁ ଯାତ୍ରୀ ଓ ମାଲପରିବହନ ଭଡା ଉଦ୍‍ବେଗଜନକ ହାରରେ ବଢୁଛି । ଏଥିଲାଗି ଦରଦାମ ବୃଦ୍ଧି ମଧ୍ୟ ଲଗାମଛଡା ହେଉଥିବା ଅର୍ଥନୀତି ବିଶାରଦମାନେ କହୁଛନ୍ତି । ତେବେ କରୋନାର କରାଳ ଗ୍ରାସ ଯୋଗୁଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଉପରେ ଆର୍ଥିକ ଚାପ ବଢି ଚାଲୁଥିବାରୁ ଟିକସ କିମ୍ବା ସେସ୍‍ କମିବା ସମ୍ଭାବନା ଅତି କ୍ଷୀଣ । ଦୁଇମାସ ଭିତରେ ପେଟ୍ରୋଲ ଓ ଡିଜେଲ ଦର ପ୍ରାୟ ୩୪ଥର ବଢିଲାଣି । ଏବେ ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପେଟ୍ରୋଲ ଲିଟର ପିଛା ଦର ୧୦୦ ଟଙ୍କାରୁ ଅଧିକ ଥିବାବେଳେ ଆଗାମୀ ଦିନରେ ଏହା ଅଧିକ ବଢିବା ଆଶଙ୍କା କରାଯାଉଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here