Home Judiciary ପୁରୀ ବାହାରେ ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ

ପୁରୀ ବାହାରେ ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ : ଭାରତର ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମକୋର୍ଟ) ଆଜି ସ୍ପଷ୍ଟ କରିଛନ୍ତି ଯେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା କେବଳ ପୁରୀରେ ହିଁ କରାଯିବ । ରାଜ୍ୟ ଅନ୍ୟ କୌଣସି ସ୍ଥାନରେ ଏହା ହୋଇପାରିବ ନାହିଁ ।

ପୁରୀ ଜଗନ୍ନାଥ ମନ୍ଦିର ବ୍ୟତୀତ ଅନ୍ୟାନ୍ୟ ସ୍ଥାନ ଯଥା କେନ୍ଦ୍ରାପଡା, ଭଟଲୀ ଓ ନୀଳଗିରିରେ ରଥଯାତ୍ରା କରିବାପାଇଁ ଦାଖଲ ହୋଇଥିବା ସମସ୍ତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି.ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଏହି ବେଞ୍ଚ ଦର୍ଶାଇଛନ୍ତି ଯେ ସୁପ୍ରିମକୋର୍ଟ ଆଶା ଓ ବିଶ୍ୱାସ କରୁଛନ୍ତି ଯେ ଆସନ୍ତା ବର୍ଷ ରଥାଯାତ୍ରା ପାଇଁ ମହାପ୍ରଭୁ ନିଶ୍ଚୟ ଅନୁମତି ଦେବେ ।

ଏହା ପୂର୍ବରୁ ବରଗଡ ଜିଲ୍ଲାର ଭଟଲି, କେନ୍ଦ୍ରାପଡା ଆଦି ସ୍ଥାନରେ ବାର୍ଷିକ ରଥଯାତ୍ରା ଅନୁଷ୍ଠିତ ପାଇଁ ହୋଇଥିବା ଆବେଦନକୁ ଓଡିଶା ହାଇକୋର୍ଟ ଖାରଜ କରିଦେଇଥିଲେ । ଚଳିତବର୍ଷ କେବଳ ପୁରୀରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ଅନୁମତି ଦେବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନାକରି ଦେଇଥିଲେ ।

ଓଡିଶା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ବାରିପଦା, ନିଳଗିରି ଏବଂ ଅନ୍ୟାନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜନ କରିବାକୁ ଅନୁମତି ଲୋଡି ଆବେଦନକାରୀମାନେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ।