Home General ପୁରୀରେ ବିମାନବନ୍ଦର ପାଇଁ ପ୍ରସ୍ତାବ ଆସିନି

ପୁରୀରେ ବିମାନବନ୍ଦର ପାଇଁ ପ୍ରସ୍ତାବ ଆସିନି

ନୂଆଦିଲ୍ଲୀ : ଶ୍ରୀ ଜଗନ୍ନାଥ ଧାମ ପୁରୀରେ ଏକ ଆନ୍ତର୍ଜାତୀୟ ବିମାନବନ୍ଦର ର୍ନିମାଣ ପାଇଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ପ୍ରସ୍ତାବ ଦାଖଲ କରିନାହାଁନ୍ତି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭି.କେ ସିଂହ ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି ।

ଦୁଇ ବିଜେଡି ସାଂସଦ ପିନାକୀ ମିଶ୍ର ଏବଂ ଶର୍ମିଷ୍ଠା ସେଠୀଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ପୁରୀରେ ନୂତନ ବିମାନବନ୍ଦର ପ୍ରତିଷ୍ଠା ପାଇଁ ର୍ନିଦ୍ଦିଷ୍ଟ ବ୍ୟବସ୍ଥାରେ କୌଣସି ପ୍ରସ୍ତାବ ଗ୍ରହଣ କରାଯାଇ ନାହିଁ ।

ତେବେ ସେ କହିଛନ୍ତି ଯେ ଓଡିଶା ସରକାରଙ୍କ ଅନୁରୋଧ କ୍ରମେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ର ଏକ ମଲ୍ଟି-ଡିସପ୍ଲିନାରୀ ଟିମ୍ ଜୁନ୍ ୨୦୨୧ ରେ ପୁରୀ ପରିଦର୍ଶନ କରି ପ୍ରସ୍ତାବିତ ବିମାନବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଚିହ୍ନଟ କରିଥିବା ସ୍ଥାନର ପ୍ରାରମ୍ଭିକ ଅନୁଧ୍ୟାନ କରିଥିଲେ ।

ପୁରୀ-ବ୍ରହ୍ମଗିରି ରାସ୍ତାରେ ସିପାସାରୁବାଲି ଅଞ୍ଚଳ ନିକଟ ଜିରାଲା ଠାରେ ଏହି ଟିମ୍ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଥିଲେ । ଟିମ୍‍ ତାଙ୍କର ଗସ୍ତ ରିପୋର୍ଟ ୫ ଅଗଷ୍ଟ ୨୦୨୧ ରେ ଓଡ଼ିଶା ସରକାରଙ୍କ ନିକଟକୁ ପଠାଇଛନ୍ତି ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି ।

ରାଜ୍ୟ କୋର୍ଟରେ ବଲ୍ ରଖି ସେ କହିଛନ୍ତି ଯେ ବିମାନବନ୍ଦର ପ୍ରକଳ୍ପ କାର୍ଯ୍ୟକାରୀ କରିବାର ଦାୟିତ୍ୱ ଏବଂ ଅନୁମୋଦନ ଭାରତ ସରକାରଙ୍କ ହୋଇଥିବାବେଳେ ଅବଶିଷ୍ଟ କାର୍ଯ୍ୟ ସମ୍ପୃକ୍ତ ପ୍ରକଳ୍ପ ପ୍ରସ୍ତାବକ ବା ରାଜ୍ୟ ସରକାରଙ୍କ ଉପରେ ରହିଛି ।

ଚଳିତ ବର୍ଷ ନୂଆ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନାମରେ ପୁରୀରେ ଏକ ଆନ୍ତର୍ଜାତୀୟ ବିମାନବନ୍ଦର ସ୍ଥାପନ କରିବାକୁ ପ୍ରସ୍ତାବ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିôଥିଲେ ।

ପୁରୀର ରଥଯାତ୍ରା ଏକ ବିଶ୍ୱ ପ୍ରସିଦ୍ଧ ବାର୍ଷିକ କାର୍ଯ୍ୟକ୍ରମ ଯାହାକି ସମଗ୍ର ବିଶ୍ୱରୁ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ତେଣୁ ଜଗନ୍ନାଥ ଭକ୍ତମାନଙ୍କୁ ପୁରୀକୁ ଆଣିବା ଏବଂ ଜଗନ୍ନାଥ ସଂସ୍କୃତିକୁ ସମଗ୍ର ବିଶ୍ୱରେ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବାକୁ ରାଜ୍ୟ ସରକାର ବିମାନବନ୍ଦର ପ୍ରତିଷ୍ଠା ଲାଗି ପ୍ରସ୍ତାବ ଦେଇଛନ୍ତି ।