Home News in Odia ପୁଣି ଚର୍ଚ୍ଚାରେ ମାହାଙ୍ଗା ହତ୍ୟାକାଣ୍ଡ

ପୁଣି ଚର୍ଚ୍ଚାରେ ମାହାଙ୍ଗା ହତ୍ୟାକାଣ୍ଡ

ଭୁବନେଶ୍ୱର : ନୂଆବର୍ଷରେ ଘଟିଥିବା ମାହାଙ୍ଗା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ ବିଶ୍ୱାଳର ମୃତଦେହ ମିଳିବା ପରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟଣା ପୁଣିଥରେ ଚର୍ଚ୍ଚାକୁ ଆସିଯାଇଛି । ପ୍ରଫୁଲ ବିଶ୍ୱାଳର ମୃତ୍ୟୁକୁ ଉଭୟ ବିଜେପି ଓ କଂଗ୍ରେସ ହତ୍ୟାକାଣ୍ଡ ବୋଲି ଦର୍ଶାଇବା ପରେ ଏହାକୁ ନେଇ ରାଜନୀତି ବି ଜୋର ଧରିଛି ।

ଜାନୁୟାରୀ ପହିଲା ଦିନ ମାହାଙ୍ଗାର ଦୁଇଜଣ ବୟସ୍କ ବ୍ୟକ୍ତି ଦିବ୍ୟସିଂହ ବରାଳ ଓ କୁଳମଣି ବରାଳ ମୋଟରସାଇକେଲରେ ଯାଉଥିବାବେଳେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା । ବିଜେପି ସହ ସମ୍ପୃକ୍ତ ଦୁଇଜଣଙ୍କର ମୃତ୍ୟୁ ଘଟିବାପରେ ଏହାକୁ ନେଇ ରାଜନୀତି ଜୋର ଧରିଥିଲା ।

ବିଜେପି ଏହି ପ୍ରସଙ୍ଗରେ ମାହାଙ୍ଗାରେ ବିକ୍ଷୋଭ କରିବା ସହିତ କଟକରେ ଡିଜି ଅଫିସର ଘେରାଉ କରିବାକୁ ବି ପଛାଇ ନଥିଲା । ଏହି ଘଟଣାରେ ମୋଟ୍‍ ୧୩ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବାବେଳେ କେତେ ଜଣ ଆସି ଥାନାରେ ଆତ୍ମସମର୍ପଣ କରିଥିଲେ ଓ ଆଉ କେତେଜଣଙ୍କୁ ପୁଲିସ୍‍ ଗିରଫ କରିଥିଲା । ହେଲେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ ବିଶ୍ୱାଳ ସେବେଠାରୁ ନିଖୋଜ ଥିଲା ।

ଗତକାଲି ଟାଙ୍ଗିର ନୂଆବନ୍ଦର ଛକ ଠାରେ ପ୍ରଫୁଲ ବିଶ୍ୱାଳର କ୍ଷତ ବିକ୍ଷତ ଶବ ମିଳିବାପରେ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା । ପରିବାର ଲୋକେ ଡାକ୍ତରଖାନା ଆସି ଏହାକୁ ଚିହ୍ନଟ କରିଥିଲେ । ତେବେ ପ୍ରଫୁଲର ମା’ ଡଲି ବିଶ୍ୱାଳ ତାଙ୍କ ପୁଅକୁ ମାରି ଦିଆଯାଇଛି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ।

ଅନ୍ୟ ପକ୍ଷରେ ପ୍ରଫୁଲ ବିଶ୍ୱାଳର ଶବ ମିଳିବାପରେ କଟକ ଜିଲ୍ଲା ବିଜେପି ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରା ପ୍ରଫୁଲକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି । ଦିବ୍ୟସିଂହ ଓ କୁଳମଣିଙ୍କ ହତ୍ୟାକାଣ୍ଡ ସମ୍ପର୍କରେ ପ୍ରକାଶ ବହୁ ଗୁମର ଜାଣିଥିବାରୁ ତାକୁ ସୁଚିନ୍ତିତ ଭାବେ ହତ୍ୟା କରାଯାଇଥିବା ଶ୍ରୀ ବେହେରା କହିଥିବାବେଳେ ଜିଲ୍ଲା କଂଗ୍ରେସ ସଭାପତି ଦେବେନ୍ଦ୍ର ସାହୁ ବି ସମାନ ଆରୋପ କରିଛନ୍ତି ।

ତେବେ ହତ୍ୟାକାଣ୍ଡର ମାସକ ପରେ ଘଟଣା ଥଣ୍ଡାପଡି ଆସୁଥିବାବେଳେ ପ୍ରଫୁଲ ବିଶ୍ୱାଳର ମର୍ମନ୍ତୁଦ ମୃତ୍ୟୁ ପୁଣିଥରେ ଏହି ଘଟଣାକୁ ତାଜା କରିଦେଇଛି । ଆଗାମୀ ଦିନରେ ଏହାକୁ ନେଇ ରାଜନୈତିକ ବୟାନବାଜି ଜୋର ଧରିବାର ଆଶଙ୍କା ଥିବାବେଳେ ପ୍ରଫୁଲର ମୃତ୍ୟୁ କିଭଳି ହେଲା ତାହା ଉପରେ ପୁଲିସ୍‍ ପକ୍ଷରୁ ତନାଘନା ଜାରି ରହିଛି ।