Home Culture ଧଉଳି କଳିଙ୍ଗ ମହୋତ୍ସବ ଆରମ୍ଭ

ଧଉଳି କଳିଙ୍ଗ ମହୋତ୍ସବ ଆରମ୍ଭ

ଭୁବନେଶ୍ୱର : ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଏବଂ ଆର୍ଟ ଭିଜନ୍‍ ଦ୍ୱାରା ଆୟୋଜିତ ୧୭ତମ ଧଉଳି କଳିଙ୍ଗ ମହୋତ୍ସବର ଆଜି ଉଦ୍‍ଘାଟନ ହୋଇଛି । ସଂଧ୍ୟାର ପ୍ରଥମ ପରିବେଷଣ ଥିଲା ଓଡ଼ିଶୀ ନୃତ୍ୟରେ ଭଗବାନ ବିଷ୍ଣୁଙ୍କ ଦଶାବତାର – ଜୟ ଜଗଦିଶ ହରେ ଯାହାକୁ ପରିବେଷଣ କରିଥିଲେ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ଶିଳ୍ପୀମାନେ ଯାହାର ନୃତ୍ୟ ପରିକଳ୍ପନା ତଥା ବ୍ୟାଖ୍ୟା କରିଥିଲେ ଡ଼. ସୁବାସ ପାଣି ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ ସର୍ମିଳା ବିଶ୍ୱାସ ।

ସଂଧ୍ୟାର ଦ୍ୱିତୀୟ ପ୍ରସ୍ତୁତିରେ ଥିଲା କଥକ ନୃତ୍ୟ ଯାହାକୁ ପରିବେଶଣ କରିଥିଲେ କଲିକତାର ଉପାସନା ସେଣ୍ଟର ଫର ଡ଼୍ୟାନ୍ସ ଅନୁଷ୍ଠାନର ଶିଳ୍ପିମାନେ । ସେମାନଙ୍କର ପ୍ରସ୍ତୁତିରେ ଥିଲା ପ୍ରତିମ୍ବିବ ଯାହା ଜୀବନର ପ୍ରତିଛାଇ ଆମେ ଏକା ଭାବିଲେ ମଧ୍ୟ ଏକା ନୁହେଁ, ପାପ-ପୂର୍ଣ୍ଣ୍ୟ, ଭଲ-ମନ୍ଦ, ଧର୍ମ-ଅଧର୍ମର ସମନ୍ନୟ ହେଉଛି ଜୀବନ ଯାହା ମାୟାରେ ପରିପୂର୍ଣ୍ଣ । ଯାହାର ନୃତ୍ୟ ସଂରଚନା କରିଥିଲେ ଅସିମବନ୍ଧୁ ଭଟ୍ଟାଚାରର୍ଜୀ ।

ଅନ୍ତିମ ପ୍ରସ୍ତୁତିରେ ଥିଲା ମୟୁରଭଞ୍ଜ ଛଉ ନୃତ୍ୟ କପତ କଥା ଯାହାକୁ ପରିବେଶଣ କରିଥିଲେ ଅଙ୍ଗିକା ଅନୁଷ୍ଠାନର ଶିଳ୍ପୀମାନେ । କପତ କଥା ହେଉଛି ମହାଭାରତ ଉପାଖ୍ୟାନର ଭୀଷ୍ମପର୍ବ, ଚକ୍ରବ୍ୟୁହ, ପଦ୍ମବ୍ୟୁହ, କନିଷ୍କପର୍ବ ଆଦି ଯୁଦ୍ଧ ଉପାଖ୍ୟାନର ସମ୍ମିଶ୍ରଣ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ସଦାଶିବ ପ୍ରଧାନ । ଛଉ ସମରକଳା ନୃତ୍ୟ ପରିବେଷଣ ଯାହା ଦର୍ଶକମାନଙ୍କୁ ଆଶ୍ଚର୍ଯ୍ୟ ଓ ବିସ୍ମିତ କରିଥିଲା ।

ଉଦ୍‍ଘାଟନୀ ସନ୍ଧ୍ୟାରେ ଅତିଥି ଭାବରେ ଯୋଗଦେଇଥିଲେ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ଼. ପ୍ରୀୟମ୍ବଦା ମହାନ୍ତି ହେଜମାଦୀ; ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା; ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ; ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ; ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ; ନାଲକୋର ଅଧକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର; ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଚିବ ଗୁରୁ ଅରୁଣା ମହାନ୍ତି ଏବଂ ଆର୍ଟ ଭିଜନ୍‍ର ସଚିବ ଇଲିୟାନା ସିତାରିଷ୍ଟ । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼. ଇ. ଶ୍ରୀନିବାସ ଘଟୁଆରୀ ଏବଂ ନାଜିଆ ସାୟିଦ୍‍ ।