Home Finance ପୁଞ୍ଜି ବ୍ୟୟରେ ଓଡିଶା ପଛେଇଛି

ପୁଞ୍ଜି ବ୍ୟୟରେ ଓଡିଶା ପଛେଇଛି

ଭୁବନେଶ୍ୱର : ଓଡିଶା ପୁଞ୍ଜି ବ୍ୟୟ କ୍ଷେତ୍ରରେ ପଛେଇଯିବା ଫଳରେ ଅଧିକ ଋଣ ସଂଗ୍ରହ କରି ଉନ୍ନୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାପାଇଁ କେନ୍ଦ୍ର ଯୋଗାଉଥିବା ସୁଯୋଗକୁ ହାତଛଡା କରିଛି ।

ଚଳିତ ଆର୍ଥିକ ବର୍ଷରେ ୮ମାସ ମଧ୍ୟରେ ରାଜ୍ୟ ସରକାର ପୁଞ୍ଜିଗତ ବ୍ୟୟ କରିବା କ୍ଷେତ୍ରରେ ପଛେଇ ଯାଇଥିବା ଯୋଗୁଁ କେନ୍ଦ୍ର ସରକାର ଅତିରିକ୍ତ ସମ୍ବଳ ସଂଗ୍ରହପାଇଁ ଅନ୍ୟ ରାଜ୍ୟକୁ ଅନୁମୋଦନ ଦେଉଥିବାବେଳେ ଆମ ରାଜ୍ୟ କିନ୍ତୁ ବଞ୍ଚିତ ହେଉଛି ।

ଆଜି କେନ୍ଦ୍ର ସରକାର ୭ଟି ରାଜ୍ୟକୁ ପୁଞ୍ଜିଗତ ବ୍ୟୟର ଲକ୍ଷ୍ୟ ହାସଲ କରିଥିବା ଯୋଗୁଁ ୧୬ହଜାର କୋଟିରୁ ଅଧିକ ଅତିରିକ୍ତ ସମ୍ବଳ ସଂଗ୍ରହପାଇଁ ଅନୁମୋଦନ ଦେଇଛନ୍ତି । ଏହା ଫଳରେ ତେଲେଙ୍ଗାନା, ଛତିଶଗଡ ଭଳି ପଡୋଶୀ ରାଜ୍ୟମାନେ ଉପକୃତ ହେଉଥିବାବେଳେ ଓଡିଶା ଏ କ୍ଷେତ୍ରରେ ପଛରେ ପଡିଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଆର୍ଥିକ ବ୍ୟବସ୍ଥାକୁ ସମ୍ଭାଳିବା କ୍ଷେତ୍ରରେ ଓଡିଶା ଦେଶର ଅନ୍ୟତମ ଅଗ୍ରଣୀ ରାଜ୍ୟ ହୋଇଥିବାବେଳେ ତେଲଙ୍ଗାନା ଓ ଛତିଶଗଡଭଳି ରାଜ୍ୟମାନେ ଓଡିଶାକୁ ଏ କ୍ଷେତ୍ରରେ ପଛରେ ପକାଇବା ରାଜ୍ୟ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

କରୋନା ମହାମାରୀ ପରିସ୍ଥିତି ଯୋଗୁଁ ବଜାରରେ ମାନ୍ଦା ଅବସ୍ଥା ଉପୁଜିଥିବା ଫଳରେ କେନ୍ଦ୍ର ସରକାର ରାଜ୍ୟମାନେ ଯେଭଳି ପୁଞ୍ଜିଗତ ବ୍ୟୟ କରିପାରିବେ ସେଥିପାଇଁ ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଛନ୍ତି । ଅତିରିକ୍ତ ସମ୍ବଳ ସଂଗ୍ରହ ପାଇଁ ଏଭଳି ବ୍ୟବସ୍ଥା ଆରମ୍ଭ ହୋଇଛି । ପ୍ରଥମ ୩ମାସରେ ଓଡିଶା ଏ କ୍ଷେତ୍ରରେ ମଧ୍ୟ ପଛରେ ପଡିଥିଲା ।

ଏପ୍ରିଲ୍‍-ମଇ-ଜୁନ୍‍ ରେ ହୋଇଥିବା ପୁଞ୍ଜଗତ ବ୍ୟୟକୁ ହିସାବକୁ ନେଇ ୧୧ଟି ରାଜ୍ୟକୁ ଏଥିପାଇଁ ସ୍ୱତନ୍ତ୍ର ଅନୁମତି ଦିଆଯାଇଥିଲା । କେନ୍ଦ୍ର ସରକାର ଲକ୍ଷ୍ୟଧାର୍ଯ୍ୟ କରିଥିଲେ ଯେ ପ୍ରଥମ କ୍ୱାର୍ଟରରେ ୧୫ ପ୍ରତିଶତ, ଦ୍ୱିତୀୟ କ୍ୱାର୍ଟରରେ ୪୫ ପ୍ରତିଶତ ଅର୍ଥ ବ୍ୟୟ ହେବା ଉଚିତ୍‍ । ପ୍ରଥମ ତିନି ମାସରେ ଫେଲ ମାରିବାପରେ ଦ୍ୱିତୀୟ ତିନି ମାସରେ ଏହା ଲକ୍ଷ୍ୟ ପୂରଣ କରିବାର ଆଶା କରାଯାଉଥିଲା । ତେବେ ତାହା ହେଲା ନାହିଁ ।

ଏହା ଫଳରେ ଓଡିଶା ଖୋଲା ବଜାରରୁ ସମ୍ବଳ ସଂଗ୍ରହ ପାଇଁ କେନ୍ଦ୍ରୀୟ ଅନୁମତି ପାଇଲା ନାହିଁ । ପ୍ରଥମ ତିନି ମାସରେ କେନ୍ଦ୍ର ସରକାର ୧୫,୭୨୧ କୋଟି ଓ ଦ୍ୱିତୀୟ ତିନିମାସରେ କେନ୍ଦ୍ରୀୟ କର୍ତ୍ତୃପକ୍ଷ ୧୬,୬୯୧ କୋଟି, ଏହିଭଳି ମୋଟ୍‍ ୩୨,୪୧୨ କୋଟିର ଅତିରିକ୍ତ ସମ୍ବଳ ସଂଗ୍ରହପାଇଁ ଅନୁମତି ଦେଇ ସାରିଲେଣି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପୁଞ୍ଜିଗତ ବ୍ୟୟର ପରିମାଣ ଆଶାନୁରୂପ ଭାବେ ବୃଦ୍ଧି ପାଉନଥିବା ଯୋଗୁଁ ଭାରତୀୟ ମହାଲେଖାକାର ତାଙ୍କର ଆର୍ଥିକ ସମୀକ୍ଷା ରିପୋର୍ଟରେ ପ୍ରତିକୂଳ ମନ୍ତବ୍ୟ ପ୍ରଦାନ କରିଥିବାରୁ ରାଜ୍ୟ ସରକାର ଏ କ୍ଷେତ୍ରରେ ଉନ୍ନତି ଆଣିବାପାଇଁ ପଦକ୍ଷେପ ନେଉଛନ୍ତି । କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷମାନଙ୍କର ଉଦାସୀନତା ଯୋଗୁଁ ପୁଞ୍ଜିଗତ ବ୍ୟୟ ପାଇଁ ଯେତିକି ଅର୍ଥ ବଜେଟ୍‍ରେ ବ୍ୟବସ୍ଥା କରାଯାଉଛି ତାହା ଖର୍ଚ୍ଚହୋଇ ପାରୁନାହିଁ । ଏହା ରାଜ୍ୟପାଇଁ ଚିନ୍ତାଜନକ ଅବସ୍ଥା ସୃଷ୍ଟି କରିଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here