Home News in Odia ପିପିଲି ପାଇଁ ସଜବାଜ

ପିପିଲି ପାଇଁ ସଜବାଜ

ପିପିଲି ବିଧାନସଭା ଉପନିର୍ବାଚନ ଲଢିବାପାଇଁ ବିଜୁ ଜନତାଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଅପେକ୍ଷା କେବଳ ନିର୍ବାଚନ ତାରିଖ ଘୋଷଣାକୁ । ତେବେ ଏହି ଉପନିର୍ବାଚନ ବିଜେପି ଓ କଂଗ୍ରେସ ପାଇଁ ବାଧ୍ୟ ବାଧକତା ପରିସ୍ଥିତି ସୃଷ୍ଟି କରୁଛି ।

ପିପିଲି ବିଧାନସଭା କ୍ଷେତ୍ରରୁ ଅନ୍ୟୁନ ୭ଥର ନିର୍ବାଚିତ ହେବା ସଂଗେ ସଂଗେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନପାଇ ଆସିଥିବା ପ୍ରଦୀପ ମହାରଥୀ ପ୍ରାୟ ୩୫ବର୍ଷ ଧରି ଏଠାରେ ଅଣକଂଗ୍ରେସ ନେତାଭାବେ ତାଙ୍କ ଦବ୍‍ଦବା ଜାହିର କରିଆସୁଥିଲେ । ତାଙ୍କର ଆକଷ୍ମିକ ମୃତ୍ୟୁପରେ ଏଠାରେ ଉପନିର୍ବାଚନ ହେବାକୁ ଯାଉଥିବାବେଳେ ଡେଲାଙ୍ଗ ଓ ପିପିଲି ବ୍ଲକ ଏବଂ ପିପିଲି ପୌରାଞ୍ଚଳରେ ମହାରଥୀଙ୍କ ପରିବାର ସପକ୍ଷରେ ଯେଭଳି ପ୍ରବଳ ଅନୁକମ୍ପା ହାୱା ରହିଛି ତାହାକୁ ମୁକାବିଲା କରିବା ପ୍ରତିପକ୍ଷ ଦଳମାନଙ୍କ ପାଇଁ ସହଜ ନୁହେଁ । ରାଜଧାନୀର ପଡୋଶୀ ନିର୍ବାଚନମଣ୍ଡଳୀ ହୋଇଥିବାରୁ ପିପିଲି ଉପରେ ଏବେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି ।

ପିପିଲି ନିର୍ବାଚନମଣ୍ଡଳୀର ଜନସଂଖ୍ୟା ପ୍ରାୟ ୩ଲକ୍ଷ ୨୦ହଜାର ହୋଇଥିବାବେଳେ ଏଠାରେ ଭୋଟରଙ୍କ ସଂଖ୍ୟା ପ୍ରାୟ ୨ଲକ୍ଷ ୩୦ହଜାର । ୨୦୧୯ ନିର୍ବାଚନରେ ମହାରଥୀ ଏଠାରୁ ୮୮,୫୧୮ଖଣ୍ଡ ଭୋଟ ପାଇ ବିଜେଡି ପ୍ରାର୍ଥୀ ଭାବେ ପୁନଃ ନିର୍ବାଚିତ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ଆଶ୍ରିତ ପଟ୍ଟନାୟକ ୭୨,୭୩୧ଖଣ୍ଡ ଭୋଟ ଭୋଟ ପାଇଥିଲେ । ସେତେବେଳେ ଏଠାରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ୯୮୩୦ଖଣ୍ଡ ଭୋଟ ପାଇଥିବାବେଳେ ବିଏସ୍‍ପି, ସିପିଆଇଏମ୍‍ଏଲ୍‍ ଓ ଏସ୍‍ୟୁସିଆଇ ଦଳର ପ୍ରାର୍ଥୀମାନେ ଢେର କମ୍‍ ସଂଖ୍ୟକ ଭୋଟ ପାଇ ଅମାନତ ହରାଇଥିଲେ ।

ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପିପିଲିରୁ ୫୦.୬୬ ପ୍ରତିଶତ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ୪୧.୬୨ ପ୍ରତିଶତ ଓ କଂଗ୍ରେସ ପ୍ରାର୍ଥୀ ମାତ୍ର ୫.୬୩ ପ୍ରତିଶତ ଭୋଟ ପାଇବାରେ ସକ୍ଷମ ହୋଇଥିଲେ । ଗତ ଥର ବିଜେଡି ପ୍ରାର୍ଥୀ ପିପିଲିରୁ ୧୫,୭୮୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବାବେଳେ ହେବାକୁ ଯାଉଥିବା ଉପନିର୍ବାଚନରେ ଭୋଟ ବ୍ୟବଧାନ ୪୦ରୁ ୫୦ହଜାର ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆକଳନ କରୁଛନ୍ତି ।

ଇତି ମଧ୍ୟରେ ମହାରଥୀଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ନିର୍ବାଚନମଣ୍ଡଳୀର ସବୁ ପଞ୍ଚାୟତ ଓ ପୌରାଞ୍ଚଳରେ ବ୍ୟାପକ ଜନସମାଗମ ହୋଇଥିବାବେଳେ ଅନେକ ସ୍ଥାନରେ ଶହ ଶହ ଲୋକଙ୍କ ତାଙ୍କ ଦଶାହରେ ବି ଲଣ୍ଡା ହୋଇଛନ୍ତି । ଏଡାଛଡା ନିର୍ବାଚନମଣ୍ଡଳୀର ଛାମୁଆ ସଂଗଠନ ଓ ବିଜେଡି କର୍ମୀମାନଙ୍କ ଘନ ଘନ ବୈଠକ ଅନୁଷ୍ଠିତ ହେଉଛି । ସବୁ ବୈଠକରେ କର୍ମୀମାନେ ମହାରଥୀଙ୍କ ପତ୍ନୀ ଅଧ୍ୟାପିକା ଡକ୍ଟର ପ୍ରତିଭା ମହାରଥୀଙ୍କୁ ପ୍ରାର୍ଥୀ କରିବାଲାଗି ଖୋଲା ମତବ୍ୟକ୍ତ କରିବା ସହ ଏହି ମର୍ମରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀବନ ପଟନାୟକଙ୍କୁ ମଧ୍ୟ ଅନୁରୋଧ କରିଆସୁଛନ୍ତି ।

ସେହିଭଳି ବିଜେପି ଓ କଂଗ୍ରେସ ପକ୍ଷରୁ ଆଶାୟୀ ପ୍ରାର୍ଥୀମାନେ ସମର୍ଥକଙ୍କ ସହ ଚକ୍କର ମାରୁଥିବା ଦେଖାଯାଉଛି । ତେବେ ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନରେ ବିଜେଡି ଯେପରି ସଫଳତା ପାଇଛି ସେଥିରେ ପିପିଲିର ବିଜେଡି କର୍ମୀମାନେ ବିଶେଷ ଉତ୍ସାହିତ ଥିବାବେଳେ ଅନ୍ୟ ଦଳଗୁଡିକ ପାଇଁ ଏହା ନିରାଶା ସୃଷ୍ଟି କରିଛି । ଡିସେମ୍ବର କିମ୍ବା ଜାନୁୟାରୀମାସରେ ପିପିଲି ପାଇଁ ଉପନିର୍ବାଚନ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି ।