Home News in Odia ପିପିଲି ନିର୍ବାଚ ପାଇଁ ତିନିଦଳ ତତ୍ପର

ପିପିଲି ନିର୍ବାଚ ପାଇଁ ତିନିଦଳ ତତ୍ପର

169
0

ଭୁବନେଶ୍ୱର : ପିପିଲି ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଆପାତତଃ ପ୍ରାର୍ଥୀ ସ୍ଥିର କରିସାରିଥିବା ବେଳେ କେବଳ ଔପଚାରିକ ଘୋଷଣା ବାକି ରହିଛି ।

ପିପିଲିର ବିଧାୟକ ଥିବା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏହି ଆସନ ଲାଗି ଉପନିର୍ବାଚନ ଆସନ୍ତା ଏପ୍ରିଲ ୧୭ ତାରିଖରେ ହେବ । ଏଥିଲାଗି ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ମହାରଥୀଙ୍କ ପରିବାରରୁ ତାଙ୍କ ପତ୍ନୀ, ପୁତ୍ର କିମ୍ବା କନ୍ୟାଙ୍କ ମଧ୍ୟରୁ ଜଣକୁ ପ୍ରାର୍ଥୀ କରିବା ପାଇଁ ତାଙ୍କର କେତେକ ଅନୁଗତ ମତପ୍ରକାଶ କରୁଥିବା ବେଳେ ଆଉ କେତେକ ଏହି ନିର୍ବାଚନ ମଣ୍ଡଳୀର ଜଣେ ଟାଣୁଆ ସଂଗଠକ ତଥା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନଙ୍କୁ ପ୍ରାର୍ଥୀ କରିବା ଲାଗି ମଧ୍ୟ ଦାବି ଉଠୁଛି । ଏମାନଙ୍କ ଛଡ଼ା ପିପିଲି ରାଜନୀତି ସହ ଜଡ଼ିତ ନଥିବା ଆଉ କେତେକ ବ୍ୟକ୍ତି ମଧ୍ୟ ବିଜେଡି ଟିକେଟ୍‍ ଲାଗି ଆଶାୟୀ । ତେବେ ମହାରଥୀଙ୍କ ପୁତ୍ର କିମ୍ବା ପତ୍ନୀଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

ଗତ ବିଧାନସଭା ନିର୍ବାଚନରେ ପିପିଲିରୁ ବିଜେପି ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକଙ୍କଠାରୁ ବିଜେଡି ପ୍ରାର୍ଥୀ ମହାରଥୀ ୧୪ହଜାର ଭୋଟ୍‍ ବ୍ୟବଧାନରେ ଜିଣିଥିଲେ । ୨୦୧୪ ତୁଳନାରେ ଏହି ବ୍ୟବଧାନ ୨୦୧୯ ନିର୍ବାଚନରେ ବିଜେଡିର ଭୋଟ୍‍ ବ୍ୟବଧାନ ଢେର୍‍ କମିଥିଲା ।

ଗତଥର ଏଠାରୁ ବିଜେପି ପ୍ରାର୍ଥୀ ହୋଇଥିବା ଆଶ୍ରୀତ ପଟ୍ଟନାୟକ ଏବେ ପୁରୀ ଜିଲ୍ଲା ବିଜେପି ସଭାପତି ଅଛନ୍ତି । ତାଙ୍କ ବାପା ପ୍ରଫୁଲ୍ଲ ଗୋପାଳ ପଟ୍ଟନାୟକ ପୂର୍ବରୁ ଅଣକଂଗ୍ରେସ ରାଜନୀତିରେ ବେଶ୍‍ ସକ୍ରିୟ ଥିଲେ । କିନ୍ତୁ ଆଶ୍ରୀତ ପରବର୍ତ୍ତୀ ସମୟରେ କଂଗ୍ରେସରେ ଯୋଗଦେଇ ପିପିଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ହୋଇଥିଲେ । କଂଗ୍ରେସ ଛାଡ଼ି ସେ ବିଜେପିର ମଙ୍ଗ ଧରିଛନ୍ତି । ଏଥର ବିଜେପି ତାଙ୍କୁ ପ୍ରାର୍ଥୀ କରିବା ଏକପ୍ରକାର ନିଶ୍ଚିତ ବୋଲି ଅନେକ ବିଜେପି ନେତା ଖୋଲା ମତବ୍ୟକ୍ତ କରୁଛନ୍ତି ।

କଂଗ୍ରେସ ପ୍ରାର୍ଥୀ ଅଜିତ୍‍ ମଙ୍ଗରାଜ ୨୦୧୯ ନିର୍ବାଚନରେ ଖୁବ୍‍ କମ୍‍ ଭୋଟ୍‍ ପାଇ ତୃତୀୟ ସ୍ଥାନରେ ରହିଥିଲେ । ଏବେ ଶ୍ରୀ ମଙ୍ଗରାଜ ଜିଲ୍ଲା କଂଗ୍ରେସ ସଭାପତି ଅଛନ୍ତି । ସେ ପିପିଲି ଆସନରୁ ପୁନର୍ବାର ନିର୍ବାଚନ ଲଢ଼ିପାରନ୍ତି । ଅନ୍ୟପକ୍ଷରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଥିବା ଆଇନ୍‍ଜୀବୀ ନିଶିକାନ୍ତ ମିଶ୍ରଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି ।

ବିଜେଡ଼ି ଏଠାରେ ମହିଳା ପ୍ରାର୍ଥୀ ଦେଲେ କଂଗ୍ରେସ ମଧ୍ୟ ମହିଳା କାର୍ଡ ଖେଳିପାରେ । ପ୍ରାର୍ଥୀପତ୍ର ଦାଖଲ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ତିନିଦଳର ଟିକେଟ୍‍ ଆଶାୟୀମାନେ ବେଶ୍‍ ତତ୍ପର ହୋଇପଡ଼ିଛନ୍ତି । ବିଜେପି ଓ କଂଗ୍ରେସର ଟିକେଟ୍‍ କିଏ ପାଇବ ତାହା କେନ୍ଦ୍ରୀୟ ନେତୃତ୍ୱ ଦିଲ୍ଲୀରେ ନିଷ୍ପତ୍ତି କରିବେ । କିନ୍ତୁ ବିଜେଡି ଟିକେଟ୍‍ ସମ୍ପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରୁଛି ।

ଯିଏ ବି ଟିକେଟ୍‍ ପାଆନ୍ତୁ ନା ନାହିଁ ଏହି ତିନିଦଳର ବହୁ ନେତା ଏବେ ପିପିଲି ବ୍ଲକ୍‍ ଓ ଏନ୍‍ଏସି ଏବଂ ଡେଲାଙ୍ଗ ବ୍ଲକ୍‍ ଅଞ୍ଚଳରେ ଚକ୍କର୍‍ କାଟୁଛନ୍ତି । ପ୍ରାର୍ଥୀଙ୍କ ନାମରେ ପୋଷ୍ଟର ବ୍ୟାନର ଲାଗିନଥିଲେ ମଧ୍ୟ ବିଭିନ୍ନ ଦଳର ପତାକା ଠାଏ ଠାଏ ଦେଖିବାକୁ ମିଳୁଛି । ଏସ୍‍ୟୁସିୟାଇ, ସିପିଆଇ(ଏମ୍‍ଏଲ୍‍), ସମାଜବାଦୀ ଜନତା ପାର୍ଟି, ବହୁଜନ ସମାଜ ପାର୍ଟି ଆଦି ଗତ ନିର୍ବାଚନରେ ଏଠାରୁ ପ୍ରାର୍ଥୀ ଦେଇଥିବା ବେଳେ ଏଥର ମଧ୍ୟ ଏହି ଦଳମାନେ ପ୍ରାର୍ଥୀ ଦେବା ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ । ମୋଟାମୋଟି ଭାବେ ଏପ୍ରିଲ୍‍ ୧୫ ତାରିଖ ପର୍ଯ୍ୟନ୍ତ ପିପିଲିର ରାଜନୈତିକ ଉଷ୍ଣତା ଖରାଦିନର ତାତିଠାରୁ ଅଧିକ ରହିବ ।

LEAVE A REPLY

Please enter your comment!
Please enter your name here