Home News in Odia ପିପିଲି ଉପନିର୍ବାଚନ କେବେ ?

ପିପିଲି ଉପନିର୍ବାଚନ କେବେ ?

ଭୁବନେଶ୍ୱର : ନଅ ମାସରୁ ଅଧିକ ସମୟ ଧରି ପିପିଲି ବିଧାନସଭା ଆସନ ଖାଲିପଡିଛି । ନିର୍ବାଚିତ ଲୋକପ୍ରତିନିଧି ନଥିବାରୁ ଅଞ୍ଚଳବାସୀ ସେମାନଙ୍କର ସୁବିଧା ଅସୁବିଧା ପାଇଁ ବାହାରର ନେତାମାନଙ୍କ ଉପରେ ନିର୍ଭର କରୁଛନ୍ତି । କୋଭିଡ କଟକଣା ଭିତରେ ବାଲେଶ୍ୱର ଓ ତିର୍ତ୍ତୋଲ ଆସନପାଇଁ ଉପନିର୍ବାଚନ ହୋଇଯାଇଥିବାବେଳେ ପିପିଲି ପାଇଁ କିନ୍ତୁ ପ୍ରଚାର ମଝିରୁ ନିର୍ବାଚନ ବନ୍ଦ ରହିଛି ।

ପିପିଲି ବିଧାନସଭାକୁ ୭ଥର ନିର୍ବାଚିତ ହୋଇଥିବା ପ୍ରଦୀପ ମହାରଥୀ ଉପମୁଖ୍ୟ ସଚେତକ, ମୁଖ୍ୟ ସଚେତକ ଏବଂ ବିଭିନ୍ନ ବିଭାଗର ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ଗତବର୍ଷ ସେ କରୋନା ସଂକ୍ରମିତ ହୋଇଥିଲେ । କରୋନାରୁ ମୁକ୍ତ ହେବାପରେ ଏହି ମହମାରୀର ପରବର୍ତ୍ତୀ ପ୍ରତିକ୍ରିୟାରେ ୨୦୨୦ ଅକ୍ଟୋବର ୪ତାରିଖରେ ତାଙ୍କର ମୃତ୍ୟୁ ହେଲା । ସେବେଠାରୁ ପିପିଲି ବିଧାନସଭା ଆସନଟି ଖାଲିପଡିଛି ।

ଦୀର୍ଘଦିନର ବ୍ୟବଧାନ ପରେ ଗତ ମାର୍ଚ୍ଚମାସରେ ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି କାର୍ଯ୍ୟସୂଚୀ ଅନୁଯାୟୀ ୨୦୨୧ ଅପ୍ରେଲ ୧୭ତାରିଖରେ ପିପିଲି ନିର୍ବାଚନମଣ୍ଡଳୀର ୩୪୮ଟି ବୁଥ୍‍ରେ ମତଗ୍ରହଣ କରାଯିବାର ଥିଲା । ଏଥିପାଇଁ ପ୍ରାର୍ଥୀମାନେ ନାମାଙ୍କନ କରିବା ସହ ପ୍ରଚାର କାମରେ ବି ମାତିଥିଲେ ।

ତେବେ ନିର୍ବାଚନ ପ୍ରଚାର ସରିଆସୁଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ମୃତ୍ୟୁ ହେବାରୁ ଏଠି ଉପନିର୍ବାଚନ ସ୍ଥଗିତ ରହିଥିଲା । ପରବର୍ତ୍ତୀ ବିଜ୍ଞପ୍ତି ଅନୁଯାୟୀ ପିପିଲି ଉପନିର୍ବାଚନ ଗତ ମଇ ୧୩ତାରିଖରେ ହେବାର ଥିଲା । ଏଥିଲାଗି କଂଗ୍ରେସର ନୂଆ ପ୍ରାର୍ଥୀ ମନୋନୟନ ଦାଖଲ କରି ନିର୍ବାଚନ ମଇଦାନକୁ ଆସିଥିଲେ ।

ମୁଖ୍ୟତଃ ବିଜେଡି, ବିଜେପି, କଂଗ୍ରେସ ଓ ସିପିଆଇଏମ୍‍ଏଲ୍‍ ପ୍ରାର୍ଥୀଙ୍କ ମଧ୍ୟରେ ଏଠି କଡା ମୁକାବିଲା ଚାଲିଥିଲା । ଏଠି ଉପନିର୍ବାଚନ ପ୍ରଚାର ଚାଲିଥିବାବେଳେ ପଶ୍ଚିମବଙ୍ଗ, ତାମିଲନାଡୁ ସମେତ ୫ଟି ରାଜ୍ୟରେ ନିର୍ବାଚନ ହୋଇଥିଲା । ବିଭିନ୍ନ ଦଳର ନେତାମାନେ କରୋନା କଟକଣା ଉଲ୍ଲଙ୍ଘନ କରି ପ୍ରଚାର ଅଭିଯାନ ଚଳାଇବାରେ କରୋନା ବ୍ୟାପିଥିଲା ଏବଂ ଏଥିଲାଗି ନିର୍ବାଚନ କମିଶନଙ୍କ ବିରୁଦ୍ଧରେ କାହିଁକି ହତ୍ୟା ମାମଲା ରୁଜୁ କରାଯିବ ନାହିଁ ବୋଲି ଅଦାଲତ ପ୍ରଶ୍ନ ଉଠାଇଥିଲେ । ପଶ୍ଚିମବଙ୍ଗ ନିର୍ବାଚନର ଦୁଇଜଣ ପ୍ରାର୍ଥୀଙ୍କର ମଧ୍ୟ ସେତେବେଳେ ମୃତ୍ୟୁ ଘଟିଥିଲା ।

କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଉଥିବା ଏବଂ ପିପିଲି ଡେଲାଙ୍ଗ ଅଞ୍ଚଳରେ କରୋନାରେ ପ୍ରାର୍ଥୀଙ୍କ ମୃତ୍ୟୁ ସହ ଆଉ ଅନେକ ଲୋକ ଆକ୍ରାନ୍ତ ହୋଇଥିବା ପରିପ୍ରେକ୍ଷୀରେ ନିର୍ବାଚନ କମିଶନ ପିପିଲି ଉପନିର୍ବାଚନ ସ୍ଥଗିତ ରଖିଥିଲେ । ପଶ୍ଚିମବଙ୍ଗରେ ହେବାକୁ ଥିବା ଉପର୍ନିବାଚନ ସାଙ୍ଗରେ ପିପିଲି ଉପନିର୍ବାଚନ ହେବାକଥା ।

କିନ୍ତୁ ଏବେ କରୋନାର ତୃତୀୟ ଲହର ଘେନି ସାରା ଦେଶ ତଥା ବିଶ୍ୱ ଚିନ୍ତିତ ଥିବା ପରିପ୍ରେକ୍ଷୀରେ ନିକଟରେ ପିପିଲି ବିଧାନସଭା ଉପନିର୍ବାଚନ ହେବା ସମ୍ଭାବନା କ୍ଷୀଣ । ଏଠାରେ ଉଲ୍ଲେଖନୀୟ ଯେ କରୋନା ପରିପ୍ରେକ୍ଷୀରେ ଉତ୍ତରାଖଣ୍ଡରେ ଉପନିର୍ବାଚନ କରାଯାଇ ନପାରିବାରୁ ସେଠାରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରାଯାଇଛି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ବିଧାନସଭାର ସଦସ୍ୟା ନଥିବାରୁ ତାଙ୍କୁ ବି ଉପନିର୍ବାଚନ ଲଢିବାକୁ ପଡିବ । ତେବେ ରାଜନୈତିକ ଓ ମହାମାରୀ ଅବସ୍ଥା ଦୃଷ୍ଟିରୁ ସେଠି ଶୀଘ୍ର ଉପନିର୍ବାଚନ ହେଉନଥିବାର ପରପ୍ରେକ୍ଷୀରେ ପିପିଲି ଉପନିର୍ବାଚନ ମଧ୍ୟ ମହାମରୀଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ପୂର୍ବରୁ ହେବା ସମ୍ଭାବନା କ୍ଷୀଣ । (ତଥ୍ୟ)