Home News in Odia ପିପିଲିରେ ପ୍ରାର୍ଥୀଙ୍କ ପତିଆରା ପ୍ରଦର୍ଶନ

ପିପିଲିରେ ପ୍ରାର୍ଥୀଙ୍କ ପତିଆରା ପ୍ରଦର୍ଶନ

ଭୁବନେଶ୍ୱର : ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ମତଗ୍ରହଣ କେବେ ହେବ ତାହା ଅନିଶ୍ଚିତତା ଘେରରେ ଥିବାବେଳେ ପ୍ରମୁଖ ରାଜନୈତିକଦଳଗୁଡିକର ପ୍ରାର୍ଥୀମାନେ କିନ୍ତୁ ଏବେ ସେଠାରେ ନିଜ ନିଜର ପତିଆରା ଜାହିର କରିବାପାଇଁ ପୌର ଓ ପଞ୍ଚାୟତ ନିର୍ବାଚନ ଲାଗି ସାଂଗଠନିକ ପ୍ରସ୍ତୁତି ଚଳାଇଛନ୍ତି ।

ବିଶେଷକରି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ଓ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ବେଶ୍‍ କିଛିଦିନ ହେବ ପିପିଲି ଓ ଡେଲାଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତ ସମେତ ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡମାନଙ୍କୁ ଗସ୍ତକରି ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କୁ ଭେଟୁଛନ୍ତି । ତେବେ ଏହି ନିର୍ବାଚନରେ କେଉଁ ପଦବୀ ପାଇଁ କିଏ ପ୍ରାର୍ଥୀହେବ ତାହାର ନିଷ୍ପତ୍ତି ଦଳୀୟ କର୍ତ୍ତୃପକ୍ଷଙ୍କ ଉପରେ ନିର୍ଭର କରୁଥିଲେ ମଧ୍ୟ ଆଶାୟୀ ପ୍ରାର୍ଥୀମାନେ କିନ୍ତୁ ଏମାନଙ୍କ ନିକଟରେ ଲବି ଚଳାଇଛନ୍ତି ।

ତେବେ ବିଧାନସଭା ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକଦଳ ପକ୍ଷରୁ ଜୋନ୍‍ ଓ ପଞ୍ଚାୟତ ସ୍ତରରୁ ଯେଉଁମାନଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ସେମାନଙ୍କ ମତାମତ ଉପରେ ପ୍ରାର୍ଥୀ ଚୟନ ହୋଇପାରେ ବୋଲି ଦଳୀୟ ନେତାମାନେ କହୁଛନ୍ତି । ଏହି ଦୃଷ୍ଟିରୁ ଅନେକ ଆଶାୟୀ ପ୍ରାର୍ଥୀ ପର୍ଯ୍ୟବେକ୍ଷକମାନଙ୍କ ସହ ସିଧାସଳଖ ଯୋଗାଯୋଗରେ ରହିବା ସଂଗେ ସଂଗେ ନିଜ ନିଜ ଅଞ୍ଚଳରେ ପତିଆରା ଜାହିର ଲାଗି ପ୍ରତିଯୋଗିତା ଆରମ୍ଭ କରିଦେଇଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଗତବର୍ଷ ଅକ୍ଟୋବର ୪ତାରିଖରେ ପିପିଲିର ବିଧାୟକ ଥିବା ପ୍ରଦୀପ ମହାରଥୀଙ୍କର ମୃତ୍ୟୁ ହେବାରୁ ଏହି ଆସନଟି ଖାଲିପଡିଛି । ଏଠାରେ ଉପନିର୍ବାଚନ ଲାଗି ହାଇକୋର୍ଟରେ ମାମଲା ରୁଜୁ ପରେ ଗତ ଏପ୍ରିଲ ୧୭ତାରିଖରେ ନିର୍ବାଚନ କରାଇବାପାଇଁ ବ୍ୟବସ୍ଥା ହୋଇଥିଲା । ତେବେ ର୍ନିବାଚନର ଦୁଇଦିନ ପୂର୍ବରୁ କରୋନାରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁହେବାରୁ ପିପିଲି ଉପନିର୍ବାଚନ ସ୍ଥଗିତ ରହିଥିଲା । ପରବର୍ତ୍ତୀ ସମୟରେ ଏଠାରେ ମଇ ୧୩ତାରିଖରେ ନିର୍ବାଚନ ଲାଗି ପୁଣିଥରେ ବିଜ୍ଞପ୍ତି ପ୍ରକାଶ ପାଇଲା ଓ ତଦନୁଯାୟୀ କଂଗ୍ରେସର ନୂଆ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଥିଲେ ।

କିନ୍ତୁ କରୋନାର ଦ୍ୱିତୀୟ ଲହର ପିପିଲି-ଡେଲାଙ୍ଗ ସମେତ ରାଜ୍ୟ ତଥା ଦେଶରେ ବ୍ୟାପକ ହେବାରୁ ଆଉଥରେ ନିର୍ବାଚନ କମିଶନ ଏହି ଉପନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳପାଇଁ ସ୍ଥଗିତ ରଖିଛନ୍ତି । ୨୦୨୨ ପ୍ରଥମାର୍ଦ୍ଧରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ବର୍ଷ ବର୍ଷ ଧରି ପୌରସଂସ୍ଥାଗୁଡିକରେ ର୍ନିବାଚିତ ପ୍ରତିନିଧି ନଥିବାରୁ ଆସନ୍ତା ଶୀତଋତୁରେ ପୌର ନିର୍ବାଚନ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଏ ପରିପ୍ରେକ୍ଷୀରେ ବିଧାନସଭା ଉପନିର୍ବାଚନ ହେଉ କି ନହେଉ ପଞ୍ଚାୟତ ଓ ପୌର ଉପନିର୍ବାଚନ ପାଇଁ ପିପିଲିରେ ଦଳୀୟ ପ୍ରାର୍ଥୀମାନେ ପୂରା ଦମ୍‍ରେ ଲାଗି ପଡିଛନ୍ତି । (ତଥ୍ୟ)