Home News in Odia ପିପିଲିରେ ପ୍ରଚାର ମାନ୍ଦା

ପିପିଲିରେ ପ୍ରଚାର ମାନ୍ଦା

ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ସଂକ୍ରମଣର ଭୟାବହତା ଓ ନିର୍ବାଚନୀ ଭିଡ଼ ନିୟନ୍ତ୍ରଣ କରିବାରେ ବ୍ୟବସ୍ଥାର ବିଫଳତା ଯୋଗୁ ନିର୍ବାଚନ କମିଶନଙ୍କ ବିରୁଦ୍ଧରେ ନରହତ୍ୟା ମାମଲା ରୁଜୁ କରିବା ପାଇଁ ଅଦାଲତଙ୍କ ଧମକ ପରିପ୍ରେକ୍ଷୀରେ ପିପିଲି ବିଧାନସଭା ଉପନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଅଭିଯାନ ପୂରା ଶିଥିଳ ହୋଇଯାଇଛି ।

ଭୋଟ୍‍ ଗ୍ରହଣର ଦୁଇଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ୍‍ ମଙ୍ଗରାଜଙ୍କ କରୋନାରେ ମୃତ୍ୟୁ ପୂର୍ବରୁ ସାରା ପିପିଲି-ଡେଲାଙ୍ଗ ଦୁଲୁକୁଥିଲା । ଛତିଶଗଡ଼, ପଶ୍ଚିମବଙ୍ଗର ସୀମାନ୍ତବର୍ତ୍ତୀ ଅଞ୍ଚଳଠାରୁ ଆରମ୍ଭ କରି ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳର ବହୁ ନେତା ଓ କର୍ମୀ ବିଜେଡି, ବିଜେପି ଓ କଂଗ୍ରେସ୍‍ ଭଳି ତିନି ପ୍ରମୁଖ ରାଜନୈତିକ ଦଳ ପାଇଁ ପିପିଲିରେ ଡେରା ମାରିଥିଲେ । ମଦ, ମାଂସର ସୁଅ ସହିତ ଅର୍ଥବଳ ଓ ବାହୁବଳ ପ୍ରୟୋଗ ଯୋଗୁ ହିଂସାକାଣ୍ଡ ଘଟି ଜଣେ ମରିବା ସହିତ ୨୦ରୁ ଅଧିକ ବି ଆହତ ହୋଇଥିଲେ । ସଭା ସମିତି, ଶୋଭାଯାତ୍ରା ଆଦିରେ ପିପିଲି-ଡେଲାଙ୍ଗ କମ୍ପୁଥିଲା । ସତେଯେମିତି ଏହି ନିର୍ବାଚନ ମଣ୍ଡଳୀ ବିଭିନ୍ନ ଦଳର ନେତାଙ୍କ ପାଇଁ ତୀର୍ଥଭୂମି ହୋଇପଡ଼ିଥିଲା ।

କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ଉପନିର୍ବାଚନ ସ୍ଥଗିତ ରହି ପୁଣି ମତଗ୍ରହଣ ତାରିଖ ଘୋଷଣା ସରିଛି । ତେଣୁ ଆଶା କରାଯାଉଥିଲା ପୁଣି ପିପିଲି-ଡେଲାଙ୍ଗରେ ପ୍ରଚଣ୍ଡ ରୌଦ୍ରତାପ ମଧ୍ୟରେ ପ୍ରଚାର ଅଭିଯାନ ସରଗରମ୍‍ ରହିବ । କିନ୍ତୁ ଅନିୟନ୍ତ୍ରିତ ସଭା ସମିତି, ଶୋଭାଯାତ୍ରା ଆଦି ଯୋଗୁ ଏହି ନିର୍ବାଚନ ମଣ୍ଡଳୀରେ ବହୁ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ଏବଂ କେତେକ ମୃତ୍ୟୁବରଣ କରିଥିବା ପରିପ୍ରେକ୍ଷୀରେ ସାଧାରଣ ଲୋକଙ୍କ ମନରେ ବ୍ୟାପକ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏମିତିକି ଏଠି ପ୍ରଚାର ଅଭିଯାନର ନେତୃତ୍ୱ ନେଉଥିବା ସ୍ଥାନୀୟ ଅଞ୍ଚଳର କେତେକ ନେତା ଓ କର୍ମୀ ଏବଂ ବାହାରୁ ଆସିଥିବା ଆଉ କେତେକ ନେତା ଓ କର୍ମୀ କରୋନା ସଂକ୍ରମିତ ହୋଇଛନ୍ତି ।

ଏ ପରିପ୍ରେକ୍ଷୀରେ ଉଭୟ କରୋନା ଓ ଲୋକମତ ଭୟରେ ଆଉ ସଭା ସମିତି, ଶୋଭାଯାତ୍ରା କରିବାକୁ କୌଣସି ପ୍ରାର୍ଥୀ କି ଦଳ ସାହସ କରିପାରୁନାହାନ୍ତି । ତେବେ ନିର୍ବାଚନ ପରିଚାଳନା ପାଇଁ ବାହାରେ ରହି ପିପିଲି-ଡେଲାଙ୍ଗ ଅଞ୍ଚଳରେ କେତେକ ନେତା ମୋବାଇଲ ବ୍ୟାଙ୍କିଙ୍ଗ୍‍ ପଲିଟିକ୍ସ ଚଳାଉଥିବା ଘେନି ଚର୍ଚ୍ଚା ଚାଲିଛି । ଏମାନେ ବିଭିନ୍ନ ମାଧ୍ୟମରେ ଯୋଗାଯୋଗ କରି ଅନ୍ୟ ଦଳର ନେତା ଓ କର୍ମୀମାନଙ୍କୁ କିଭଳି ନିଜ ଦଳକୁ ଟାଣି ଅଣାଯାଇପାରିବ ସେ କାମରେ ମାତିଛନ୍ତି ।

ରାଜଧାନୀ ଉପକଣ୍ଠରେ ପିପିଲି ନିର୍ବାଚନ ମଣ୍ଡଳୀ ଥିବାରୁ ଅତ୍ୟନ୍ତ ସତର୍କତାର ସହ ତୁଣ୍ଡି ବାନ୍ଧି ଶୀତତାପ ନିୟନ୍ତ୍ରିତ ଦାମୀ ଗାଡ଼ିରେ କେତେକ ନେତା ମଝିରେ ମଝିରେ ସ୍ଥାନୀୟ ଯୋଗସୂତ୍ର ରକ୍ଷାକାରୀମାନଙ୍କ ନିକଟକୁ ଆସୁଥିଲେ ବି ଭୟରେ ଗାଡ଼ିରୁ ନ ବାହାରି କଥାବାର୍ତ୍ତା ହୋଇ ଚାଲି ଯାଉଛନ୍ତି । ଏହା ଏବେ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି ।

ପଶ୍ଚିମବଙ୍ଗ ସମେତ ଅନ୍ୟ କେତେକ ରାଜ୍ୟରେ ନିର୍ବାଚନ ବେଳେ କରୋନା କଟକଣାର ଅନୁପାଳନ କରାଯାଇନଥିବାରୁ ଏହି ମହାମାରୀ ଭୟଙ୍କର ଭାବେ ବ୍ୟାପିଛି । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଏ କଥା ସ୍ୱୀକାର କରିଛି । ଏମିତିକି କୁମ୍ଭମେଳାର ଜନସମାଗମକୁ ଏହାର ଅନ୍ୟ ଏକ କାରଣ ଭାବେ ଦର୍ଶାଯାଉଛି ।

ଏ ପ୍ରସଙ୍ଗରେ ବିଭିନ୍ନ ହାଇକୋର୍ଟ ଯେଭଳି ପ୍ରତିକୂଳ ମତ ପୋଷଣ କରି ବ୍ୟବସ୍ଥା ପ୍ରତି ବିରକ୍ତ ହୋଇଛନ୍ତି ସେଥିରେ ସ୍ଥାନୀୟ ପ୍ରଶାସନ ଓ ପୁଲିସ ଏବଂ ନିର୍ବାଚନ କମିଶନଙ୍କ ଜିଲ୍ଲାସ୍ତରୀୟ ଅଧିକାରୀମାନେ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ କହୁଥିବାରୁ ରାଜନୈତିକ ନେତାମାନେ ଅକଳରେ ପଡ଼ିଛନ୍ତି । ଫଳରେ ଝଡ଼ ପୂର୍ବର ନିସ୍ତବ୍ଧତା ଭଳି ପିପିଲି-ଡେଲାଙ୍ଗର ଅବସ୍ଥା ଅନୁଭୂତ ହେଉଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here