Home General ପିଏମଏଜିୱାଇରେ ହୋଇଛି ୭୩ଟି ଘର

ପିଏମଏଜିୱାଇରେ ହୋଇଛି ୭୩ଟି ଘର

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମୀଣ ଯୋଜନା (ପିଏମଏଜିୱାଇ) ରେ ଓଡିଶାରେ ମାତ୍ର ୭୩ଟି ପକ୍କାଘର ତିଆରି ହୋଇଛି । କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଏ ନାରାୟଣସ୍ୱାମୀ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଏକ ପ୍ରଶ୍ନର ଉତ୍ତରରେ ସଂସଦରେ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ପିଏମଏଜିୱାଇ ୨୦୦୯-୧୦ ମସିହାରୁ ଅନୁସୂଚିତ ଜନଜାତିଙ୍କ ସମନ୍ୱିତ ବିକାଶ ପାଇଁ କାର୍ଯ୍ୟକାରୀ ହେଉଛି । ୨୦୨୧-୨୨ ମସିହାରେ ଏହି ଯୋଜନାଟି ବଳବତ୍ତର ଥିବା ଆଉ ଦୁଇ ଯେଜାନା ସହିତ ମିଶି ପ୍ରଧାନ ମନ୍ତ୍ରୀ ଅନୁସୂଚିତ ଜାତି ଅଭୂଦ୍ୟୟ ଯୋଜନା (ପିଏମ-ଏଜେଏୱାଇ) ହୋଇଛି ଏବଂ ଏଥିରେ ୨୦୨୧-୨୨ ବର୍ଷପାଇଁ ୧୮୦୦ କୋଟି ଟଙ୍କା କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ।

ଓଡିଶା ସରକାର ବର୍ତ୍ତମାନ ସୁଦ୍ଧା ପିଏମ୍‍ଏଜିୱାଇ ପୋର୍ଟଲରେ ଅପ୍‍ଲୋଡ କରିଥିବା ସୂଚନା ଅନୁଯାୟୀ ମୋଟ୍‍ ୬୧,୫୫୪ ପରିବାର ପିଏମ୍‍ଏୱାଇ-ଜି ଅଧିରେ ପିଏମ୍‍ଏଜିୱାଇ ଗ୍ରାମଗୁଡିକରେ ଘର ପାଇବାକୁ ଯୋଗ୍ୟ ଥିବାବେଳେ ମାତ୍ର ୭୩ଜଣଙ୍କୁ ଘର ମିଳିଛି । ଏହି ସୂଚନା ଅନୁଯାୟୀ ବୌଦ ଜିଲ୍ଲାରେ ୬୩ଟି ଘର ଦିଆଯାଇଥିବାବେଳେ ଖୋରଧାରେ ୪ଟି ଓ ଓ ଭଦ୍ରକ ଜିଲ୍ଲାରେ ଏହି ଯୋଜନାରେ ୩ଟି ଘର ଦିଆଯାଇଛି । ଅନ୍ୟ ୨୭ଟି ଜିଲ୍ଲାରେ ପ୍ରଦର୍ଶନ ଶୂନ ରହିଛି ।

ଏହି ଯୋଜନାରେ ୨୦୨୧-୨୨ ବର୍ଷ ପାଇଁ କେନ୍ଦ୍ର ସରକାର ଓଡିଶାକୁ ୮୧.୭୨କୋଟି ଟଙ୍କା ପ୍ରଦାନ କରିଥିବାବେଳେ ୨୦୧୮-୧୯ ରେ ୨୮.୧୮କୋଟି, ୨୦୧୯-୨୦ରେ ୧୭.୮୭ କୋଟି ଟଙ୍କା ମଞ୍ଜୁର କରିଥିଲେ । ତେବେ ୨୦୨୦-୨୧ ବର୍ଷରେ ଏହି ଯୋଜନାରେ ଓଡିଶାକୁ କୌଣସି ଅର୍ଥ ମିଳିନଥିଲା । ମିଳିଥିବା ମୋଟ୍‍ ପାଣ୍ଠିରୁ ଓଡିଶା ମାତ୍ର ୨୫.୯୧ କୋଟି ଟଙ୍କା ବ୍ୟୟ କରିପାରିଛି ।

ଇତି ମଧ୍ୟରେ ଆଦର୍ଶ ଗ୍ରାମ କାର୍ଯ୍ୟକ୍ରମ ପିଏମ୍‍-ଏଜେଏୱାଇ ସହିତ ମିଶି ଅନୁସୂଚିତ ଜାତି ବହୁ ଗ୍ରାମରେ ସମନ୍ୱିତ ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଛି । ୨୦୧୪-୧୫ବର୍ଷରେ ଏହି ଯୋଜନାରେ ୧୦୦୦ ଟି ଗ୍ରାମକୁ ପାଇଲଟ ପ୍ରକଳ୍ପ ଭାବେ ଚିହ୍ନଟ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହାକୁ ୧୫୦୦ ଗ୍ରାମକୁ ବୃଦ୍ଧି କରାଯାଇଥିଲା । ୨୦୧୮-୧୯ ରେ ଏହି ଯୋଜନାରେ ୧୯,୦୮୦ ଗ୍ରାମକୁ ଚିହ୍ନଟ କରାଯାଇଛି ।

୨୦୧୭-୧୮ ପର୍ଯ୍ୟନ୍ତ ଏଭଳି ଗ୍ରାମରେ ୫୦ ପ୍ରତିଶତରୁ ଅଧିକ ଅନୁସୂଚିତ ଜାତି ବର୍ଗର ଲୋକେ ସାମିଲ ପାଇଁ ଚିହ୍ନଟ ହୋଇଥିଲେ । ୨୦୧୮-୧୯ରୁ ଯେଉଁ ଗ୍ରାମରେ ମୋଟ୍‍ ଜନସଂଖ୍ୟା ୫୦୦ କିମ୍ବା ଅଧିକ ଏବଂ ୫୦ ପ୍ରତିଶତ ଅନୁସୂଚିତ ଜାତି ଲୋକେ ରହିଛନ୍ତି ସେମାନେ ଏହି ଯୋଜନାରେ ସାମିଲ ପାଇଁ ଯୋଗ୍ୟ ଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।

୨୦୧୪-୧୫ରେ ଓଡିଶାରେ ମୋଟ୍‍ ୧୭୫ ଟି ଗ୍ରାମ ଚିହ୍ନଟ ହୋଇଥିବାବେଳେ ଏଥି ମଧ୍ୟରୁ ୧୬୯ ହିତାଧିକାରୀ ଯୋଗ୍ୟ ବିବେଚିତ ହୋଇଥିଲେ । ୨୦୧୮-୧୯ ରେ ୯୪୬ଟି ଗ୍ରାମ ଚିହ୍ନଟ ହୋଇଥିବାବେଳେ ଏଥି ମଧ୍ୟରେ ୯୦୪ ହିତାଧିକାରୀ ଯୋଗ୍ୟ ଥିଲେ । ସମଗ୍ର ଦେଶରେ ମୋଟ୍‍ ୨୪୮୭ ଟି ଆଦର୍ଶ ଗ୍ରାମ ଥିବାବେଳେ ଏଥି ମଧ୍ୟରେ ଓଡିଶାର ୮୩ଟି ଥିବା ଜଣାଯାଇଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here