Home News in Odia ପିଆଜ କିଲୋ ୨୦ ଟଙ୍କା

ପିଆଜ କିଲୋ ୨୦ ଟଙ୍କା

ଭୁବନେଶ୍ୱର : ପିଆଜ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଦେଶ ଛାତ୍ର କଂଗ୍ରେସ ସଭାପତି ୟାସିରଙ୍କ ନେତୃତ୍ୱରେ ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନକୁ ଘେରାଉ କରାଯାଇ ସେଠାରେ କିଲୋପ୍ରତି ୨୦ ଟଙ୍କା ଦରରେ ପିଆଜ ବିକ୍ରି କରାଯାଇଥିଲା । ରାସ୍ତାରେ ଯାଉଥିବା ଲୋକମାନେ ଏହି ପିଆଜକୁ କ୍ରୟ କରିଥିଲେ ।

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଶିଶୁ ଭବନ ଛକଠାରୁ ଏକ ରାଲି କୃଷିମନ୍ତ୍ରୀଙ୍କ ବାସଗୃହ ପର୍ଯ୍ୟନ୍ତ ଆସିଥିଲା ଏବଂ ସେଠାରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଏହି ଅବସରରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଛନ୍ତି ଯେ ଦୁଇକୋଲା ପିଆଜ ହେଲେ ଜଣେ ଓଡ଼ିଆ ଦୁଇମୁଠା ପଖାଳ ଖାଏ । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଓ କୃଷି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପାଇଁ ଆଜି ପିଆଜ ଦର ଆଜି ଆକାଶଛୁଆଁ । ଲୋକଙ୍କୁ ପିଆଜ କନ୍ଦାଉଛି । ଏହାର ଜବାବ ମୋଦି, ନବୀନ ଓ ରଣେନ୍ଦ୍ର ଦିଅନ୍ତୁ ।

କେବେ ଟମାଟୋ କିଲୋପ୍ରତି ୩୦୦ ହେଉଛି ତ କେବେ ପିଆଜ ଦର କିଲୋପ୍ରତି ୧୦୦ ଟଙ୍କା ହେଇଯାଉଛି । ଏବେ ବଜାରରେ ପିଆଜ ଦର ୮୦ ଟଙ୍କା । ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ବା ରାଜ୍ୟ ସରକାରଙ୍କର କୌଣସି ଯୋଜନା ନାହିଁ । ଓଡ଼ିଶାରେ ପିଆଜ ଚାଷୀଙ୍କୁ ପ୍ରୋତ୍ସାହନ ନାହିଁ । ୨୦୧୫ ମସିହାରେ ନବୀନ ସରକାର ପିଆଜ ମିଶନ କଲେ । ଏଥିରେ ୧୨ କୋଟି ୧୨ଲକ୍ଷ ଟଙ୍କା ବ୍ୟୟବରାଦ ହେଲା । ମାତ୍ର ଏବେ ସେ “ପିଆଜ ମିଶନ” ଗଲା କୁଆଡ଼େ? ଏବେ ସରକାର ହିସାବ ଦେଉଛନ୍ତି ଓଡ଼ିଶାରେ ପାଖାପାଖି ୪ଲକ୍ଷ ମେଟ୍ରିକ ଟନ ପିଆଜ ବାର୍ଷିକ ଉତ୍ପାଦନ ହେଉଛି ଏବଂ ୩ଲକ୍ଷ ମେଟ୍ରିକ ଟନ ଦରକାର ପଡ଼ୁଛି ।

ତେଣୁ ଏହି ପିଆଜକୁ ଚାଷୀ ଶାଗମାଛ ଦରରେ ଅମଳ ସମୟରେ ବିକି ଦେଉଛି । ରାଜ୍ୟ ବାହାରକୁ ମଧ୍ୟ ପିଆଜ ପଳାଉଛି । କୃଷିମନ୍ତ୍ରୀ ବିଧାନସଭାରେ ଉପସ୍ଥାପିତ କରିଥିବା ତଥ୍ୟ ଅନୁଯାୟୀ ଓଡ଼ିଶାରେ ମାତ୍ର ଶୀତଳ ଭଣ୍ଡାର କାମ କରୁଛି ଏବଂ ୯୭ଟି ଅଚଳ ହୋଇପଡ଼ିଛି । ଏଣୁ ପିଆଜକୁ ସମ୍ପାଦିବା ପାଇଁ ଓଡ଼ିଶାରେ ଶୀତଳ ଭଣ୍ଡାର ନାହିଁ । ଅନେକ କ୍ଷେତ୍ରରେ ପିଆଜର କଳାବଜାରି କରାଯାଉଛି । ଏଣୁ ଓଡ଼ିଶା ପିଆଜ ପାଇଁ ମହାରଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଛି । ସେହିପରି ଜାତୀୟ ସ୍ତରରେ ପିଆଜ ଦରକୁ ନିୟନ୍ତ୍ରିତ ରଖିବାପାଇଁ ଏବଂ ପିଆଜ ଉତ୍ପାଦନକୁ ପ୍ରୋତ୍ସାହନ ଏବଂ ପିଆଜକୁ ସାଇତି ରଖିବାପାଇଁ ସରକାରଙ୍କର ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ । ତେଣୁ ପିଆଜ ଦର ଉପରେ ସରକାରଙ୍କର ଲଗାମ ରହୁନାହିଁ ।

ତୁରନ୍ତ ପିଆଜଦର ଖସାଇବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ପ୍ରଦେଶ ଛାତ୍ର କଂଗ୍ରେସ ଦାବି କରିଛି । ଓଡ଼ିଶାରେ ପର୍ଯ୍ୟାପ୍ତ ଶୀତଳ ଭଣ୍ଡାର ଏବଂ ପିଆଜ ଚାଷୀଙ୍କୁ ପ୍ରୋତ୍ସାହନ ଦେବାପାଇଁ ମଧ୍ୟ ଛାତ୍ର କଂଗ୍ରେସ ଦାବି କରିଛି । ଆଜିର ଏହି କାର୍ଯ୍ୟକ୍ରମରେ ପିସିସି ସାଧାରଣ ସଂପାଦକ ଶ୍ରୀ ପ୍ରକାଶ ମିଶ୍ର, ମନୋଜ ସାହୁ, ଆଲୋକ ଲେଙ୍କା, ଅଜୟ ସାହୁ, ନିହାର ବେହେରା, ସୁନିଲ ମାଟିଆ, ସାଗର ପଟ୍ଟନାୟକ, ରଣଜିତ ସେନାପତି, କାର୍ତିକେଶ୍ୱର କାଣ୍ଡି, ଜଗଦିଶ ଗଜେନ୍ଦ୍ର, ଆଲୋକ ଦାସ, ମହମ୍ମଦ ଗୁଲଫାମ, ରାଜେଶ କୁମାର ଦାସ, ସ୍ପନ୍ଦନ ସ୍ୱାଇଁ, ଆର୍ଯ୍ୟାନ ସାସମଲ, ସୁନିଲ ସାହୁ ଗାନ୍ଦୀ, ଶୁଭମ ଦାସ, ରାଜଦ୍ୱୀପ ବେହେରା, ସୌମ୍ୟ ବରାଳ, ପ୍ରଭୁଶକ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।