Home Infrastructure ପାନୀୟଜଳ ପ୍ରକଳ୍ପରେ ସଡକ ସାଜିଛି ବାଧକ

ପାନୀୟଜଳ ପ୍ରକଳ୍ପରେ ସଡକ ସାଜିଛି ବାଧକ

ଭୁବନେଶ୍ୱର : ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ କ୍ଷେତ୍ରରେ ଏବେ ରାଜପଥ ବାଧକ । କେବଳ ରାଜପଥ ନୁହେଁ ବିଦ୍ୟୁତ୍‍ ବିଭାଗ ଠାରୁ ଆରମ୍ଭକରି ରେଳ ବିଭାଗ ଯୋଗୁଁ ବି ଅନେକ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନାହିଁ ।

ରାଜ୍ୟ ସରକାର ପ୍ରତ୍ୟେକ ପରିବାରକୁ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ କାର୍ଯ୍ୟ ତ୍ୱରାନ୍ୱିତ କରୁଥିବାବେଳେ ବହୁ ଜିଲ୍ଲାରେ ରାଜପଥଗୁଡିକ ଏ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିଛି । ରାଜ୍ୟ ରାଜପଥରେ ସଡକ କାଟି ପାଇପ୍‍ ବିଛାଇବା ପାଇଁ ଅନୁମତି ମିଳୁନଥିବାରୁ କୋରାପୁଟ, ନୟାଗଡ, ମାଲକାନଗିରି ଓ ଫୁଲବାଣୀରେ ପାନୀୟଜଳ ପ୍ରକଳ୍ପ ଆଗେଇ ପାରୁନାହିଁ । ସେହିଭଳି ଜାତୀୟ ରାଜପଥ କର୍ତ୍ତୃପକ୍ଷ ପାଇପ୍‍ ବିଛାଇବା ପାଇଁ ଅନୁମତି ଦେଉନଥିବାରୁ କେନ୍ଦୁଝର, ସମ୍ବଲପୁର, ଦେବଗଡ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାରେ କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଯାଇଛି ।

କେବଳ ରାଜପଥ ନୁହେଁ ରେଳବାଇରୁ ଅନୁମତି ମିଳୁନଥିବାରୁ କେନ୍ଦୁଝର, ସୁନ୍ଦରଗଡ ଓ କୋରାପୁଟ ଜିଲ୍ଲାରେ ପାଇପ୍‍ ବିଛା କାମ ଆଗେଇ ପାରୁନଥିବାବେଳେ ଶକ୍ତି ବିଭାଗର ୧୧କେଭି, ୩୩ କେଭି ଅନୁମତି ସହିତ ବିଦ୍ୟୁତ୍‍ ଖୁଣ୍ଟ ହଟାଯାଉ ନଥିବାରୁ ଖୋରଧା, ଢେଙ୍କାନାଳ, ମୟୁରଭଞ୍ଜ, ଅନୁଗୁଳ, କେନ୍ଦୁଝର, କୋରାପୁଟ ଓ ବରଗଡ ଜିଲ୍ଲାରେ ପାଇପ ବିଛା କାର୍ଯ୍ୟ ବହୁ ସ୍ଥାନରେ ଅଟକି ଯାଇଛି । ସେହିଭଳି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପାଇପ୍‍ ବିଛା ସହିତ ଜଳ ମହଜୁଦ ରଖିବାପାଇଁ ଖନନ ପାଇଁ ଅନୁମତି ମିଳୁନାହିଁ । ଏଥିଯୋଗୁଁ ନବରଙ୍ଗପୁର, ଝାରସୁଗୁଡା, କୋରାପୁଟ, ଦେବଗଡ ଓ କେନ୍ଦୁଝର ଜିଲ୍ଲାରେ ବି କାର୍ଯ୍ୟ ଆଗେଇ ପାରୁନାହିଁ ।

ଗୋଟିଏ ପଟେ ରାଜ୍ୟ ସରକାର ୨୦୨୪ ସୁଦ୍ଧା ପ୍ରତ୍ୟେକ ପରିବାରକୁ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣର ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ରାଜପଥ ଠାରୁ ଆରମ୍ଭ କରି ରେଳବାଇ ପର୍ଯ୍ୟନ୍ତ ଏ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରୁଛନ୍ତି । ତେବେ ଜାତୀୟ ରାଜପଥ ଓ ରେଳବାଇ କେନ୍ଦ୍ରୀୟ ଅନୁଷ୍ଠାନ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ଅଧିନରେ ଥିବା ସଡକ, ବିଦ୍ୟୁତ୍‍ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଅନୁମତି ଦେବାରେ କାହିଁକି ବିଳମ୍ବ ହେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ ନକଲେ ୨୦୨୪ ସୁଦ୍ଧା ସମସ୍ତ ପରିବାରକୁ ପାଇପ୍‍ ଯୋଗେ ଜଳ ଯୋଗାଣ ପାଇଁ ଯେଉଁ ଲକ୍ଷ୍ୟ ରହିଛି ତାହା ପୂରଣ ହେବା ସମ୍ଭବ ନୁହେଁ ବୋଲି କର୍ତ୍ତୃପକ୍ଷ ମତ ଦେଉଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here