Home General ପାନୀୟଜଳ ପାଇଁ ୬୦୦୦ କୋଟି ଆବଶ୍ୟକ

ପାନୀୟଜଳ ପାଇଁ ୬୦୦୦ କୋଟି ଆବଶ୍ୟକ

ଭୁବନେଶ୍ୱର : ଜଳ ଜୀବନ ମିଶନ ଯୋଜନାକୁ ଚଳିତ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ପାଇଁ ଓଡିଶା ସରକାର ୬୦୦୦ କୋଟି ଟଙ୍କା ଆବଶ୍ୟକ କରୁଛନ୍ତି । କେନ୍ଦ୍ର ସରକାର ରାଜ୍ୟଗୁଡିକର ବାର୍ଷିକ କାର୍ଯ୍ୟ ଯୋଜନା ଚୂଡାନ୍ତ କରୁଥିବାବେଳେ ଓଡିଶା ସରକାର ୨୦୨୪ ସୁଦ୍ଧା ସମସ୍ତଙ୍କ ଘରକୁ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି ଯେଉଁଥିପାଇଁ ଅଧିକ ଅର୍ଥ ଆବଶ୍ୟକ ପଡୁଛି ।

୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ସମସ୍ତ ଘରକୁ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ ପାଇଁ ଜଳ ଜୀବନ ମିଶନ କାର୍ଯ୍ୟକାରୀ ହେଉଛି । ତୃତୀୟ ବର୍ଷରେ ଯୋଜନା ପଦାର୍ପଣ କରିଥିବାବେଳେ ୨୦୨୧-୨୨ ବର୍ଷ ଲାଗି କେନ୍ଦ୍ରୀୟ ଅନୁଦାନ ପରିମାଣ ୫୦,୦୧୧କୋଟି ଟଙ୍କା ରହିଛି । ଓଡିଶା ସରକାର ୨୦୨୧-୨୨ ବର୍ଷ ପାଇଁ ୬୦୦୦ କୋଟି ଟଙ୍କାପାଇଁ କହିଥିବାବେଳେ ପରବର୍ତ୍ତୀ ଦୁଇ ଆର୍ଥିକ ବର୍ଷ ପାଇଁ ଅଧିକ ପାଣ୍ଠି ଆବଶ୍ୟକ ପଡିବ ।

ଜଳ ଶକ୍ତି ମନ୍ତ୍ରଣାଳୟ ଅଧିନରେ ଥିବା ଜାତୀୟ ଜଳ ଜୀବନ ମିଶନ ପକ୍ଷରୁ ଏପ୍ରିଲ୍‍ ୯ତାରିଖରୁ ବାର୍ଷିକ କାର୍ଯ୍ୟ ଯୋଜନା ପ୍ରସ୍ତୁତି ଆରମ୍ଭ ହୋଇଛି । ଚୂଡାନ୍ତ ତାଲିକା ପୂର୍ବରୁ ଆସନ୍ତା ୧୩ତାରିଖରେ ଓଡିଶା ସଂକ୍ରାନ୍ତରେ ପାନୀୟଜଳ ଏବଂ ପରିମଳ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ମନ୍ତ୍ରାଳୟର ସଦସ୍ୟ ଏବଂ ନୀତିଆୟୋଗ ପକ୍ଷରୁ ରାଜ୍ୟ ଦ୍ୱାରା ପ୍ରସ୍ତୁତ ବାର୍ଷିକ ଆକ୍ସନ ପ୍ଲାନ ଉପରେ ଆଲୋଚନା ହେବ । ଏହାପରେ ବର୍ଷ ସାରା ଅର୍ଥ ପ୍ରଦାନ ସହିତ ଜଳ ଜୀବନ ମିଶନର ଲକ୍ଷ୍ୟ ପୂରଣ ପାଇଁ ନିୟମିତ କ୍ଷେତ୍ର ପରିଦର୍ଶନ, ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ।

ଚଳିତବର୍ଷ ଜଳ ଜୀବନ ମିଶନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗତ ଦୁଇବର୍ଷର ଅଗ୍ରଗତି ଆଧାରରେ ତଥ୍ୟ ବିଶ୍ଲେଷଣ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ପ୍ରଦର୍ଶନ ଏବଂ ପ୍ରସ୍ତୁତି ଅନୁଧ୍ୟାନ ହେବ ।

ଯୋଜନା କାର୍ଯ୍ୟକାରୀ ସମୟରେ ଗୁଣାତ୍ମକ ଜଳ ପ୍ରଭାବିତ ଅଞ୍ଚଳ, ମରୁଡି ପ୍ରଭାବିତ ଗ୍ରାମ ଏବଂ ମରୁଭୂମି ଅଞ୍ଚଳ, ଅନୁସୂଚିତ ଜାତି ବହୁଳ ଗ୍ରାମ, ଜାପାନୀ ଜ୍ୱର ପ୍ରଭାବିତ ୬୦ ଜିଲ୍ଲା ଓ ୧୧୭ ଆଙ୍କାକ୍ଷୀ ଜିଲ୍ଲା ସମେତ ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ସାମିଲ ଜିଲ୍ଲାଗୁଡିକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପାଇପ୍‍ ଜଳ ଯୋଗାଣକୁ ଅଗ୍ରାଧିକାର ଦିଆଯିବ ।

ଜଳ ଜୀବନ ମିଶନ ପାଇଁ ବଜେଟ୍‍ରେ ୫୦ହଜାର କୋଟି ଟଙ୍କାର ବ୍ୟବସ୍ଥା ଥିବାବେଳେ ପଞ୍ଚାୟତ ଗୁଡିକରେ ଜଳ ଓ ପରିମଳ ପାଇଁ ପଞ୍ଚଦର୍ଶ ଅର୍ଥ କମିଶନ ପକ୍ଷରୁ ୨୬,୯୪୦କୋଟି ଟଙ୍କାର ଅନୁଦାନ ରହିଛି । ତେଣୁ ୨୦୨୧-୨୨ ବର୍ଷରେ ଗ୍ରାମାଞ୍ଚଳରେ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ ପାଇଁ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କାର ବ୍ୟବସ୍ଥା ଅଛି ।

ପ୍ରତ୍ୟେକ ଘରକୁ ଜଳ ଲକ୍ଷ୍ୟ ପୂରଣ ପାଇଁ ଲଗାତାର ୩ବର୍ଷ ଧରି ଏହି ଅର୍ଥ ଯୋଗାଣ ହୋଇପାରେ । ରାଜ୍ୟ ପକ୍ଷରୁ ପ୍ରସ୍ତୁତ ଆକ୍ସନ ପ୍ଲାନରେ ଶତ ପ୍ରତିଶତ ଘରକୁ ପାଇପ୍‍ ସଂଯୋଗ ସହିତ ସାମଗ୍ରିକ ଭାବେ ସୁରକ୍ଷିତ ପାନୀୟ ଜଳ ଲକ୍ଷ୍ୟ ହାସଲ ରହିବ । ଏଥିରେ ବିଭିନ୍ନ ଯୋଜନା ସଂକ୍ରାନ୍ତରେ ବିସ୍ତୃତ ସୂଚନା, ନୂଆ ଯୋଜନା, କାର୍ଯ୍ୟ ଆରମ୍ଭ ଓ ଶେଷ ଆଦିର ତଥ୍ୟ ରହିବ । ଠିକଣା ସମୟରେ ଯୋଜନା କାର୍ଯ୍ୟକାରୀ ପାଇଁ ସେନ୍‍ସର ଯୁକ୍ତ ଜ୍ଞାନକୌଶଳ ବ୍ୟବହାର ଏବଂ ଜଳର ମାନ ସଂକ୍ରାନ୍ତରେ ସଚେତନତା କାର୍ଯ୍ୟକ୍ରମ ଚଳାଯିବ । (ତଥ୍ୟ)