Home News in Odia ପର୍ଯ୍ୟଟନର ପୁନରୁଦ୍ଧାର ପାଇଁ ପରିବର୍ତନକାରୀ ରଣନୀତି ଜରୁରୀ

ପର୍ଯ୍ୟଟନର ପୁନରୁଦ୍ଧାର ପାଇଁ ପରିବର୍ତନକାରୀ ରଣନୀତି ଜରୁରୀ

ଭୁବନେଶ୍ୱର : କୋଭିଡ ମହାମାରୀ ବିଶ୍ୱସ୍ତରରେ ପର୍ଯ୍ୟଟନ ଶିଳ୍ପକୁ ଗଭୀର ଭାବେ କ୍ଷତି ପହଂଚାଇଛି । ତେଣୁ ଏଭଳି ପରିସ୍ଥିତିରେ ପରିବର୍ତନକାରୀ ରଣନୀତିକୁ ଆପଣାଇବା ସହିତ ନୂତନ ବୈଷୟିକ ବିକଳ୍ପ ଓ ବିଘଟନକାରୀ ପଦକ୍ଷେପ ଦ୍ୱାରା ପର୍ଯ୍ୟଟନ କ୍ଷେତ୍ରକୁ ଉପଯୁକ୍ତ ପଥକୁ ଆଣିହେବ ବୋଲି ଶୁକ୍ରବାର ଶିକ୍ଷା ଏବଂ ବର୍ହିବ୍ୟାପାର ବିଭାଗର କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଡକ୍ଟର ରାଜକୁମାର ରଞ୍ଜନ ସିଂହ ମତ ଦେଇଛନ୍ତି ।

କୋଭିଡ-୧୯ ଅନେକ ମହାଦେଶକୁ ବିପର୍ଯ୍ୟସ୍ତ କରିଦେଇଥିବା ବେଳେ ମାନବ ସମାଜ ନିଜକୁ ବଂଚାଇବା ପାଇଁ ଏକ ବିଶ୍ୱ ଯୁଦ୍ଧରେ ନିଜକୁ ସାମିଲ କରିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ଫଳରେ ୨.୮୬ ଟ୍ରିଲିୟନ୍ ଆମେରିକୀୟ ଡ଼ଲାର କ୍ଷତି ହୋଇଛି ଯାହା ୫୦ ରୁ ଅଧିକ ପ୍ରତିଶତ ରାଜସ୍ୱ କ୍ଷତି ବୋଲି କୁହାଯାଇପାରେ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ “ଟ୍ରେଣ୍ଡସ ଆଣ୍ଡ ଡିସ୍‌ରପ୍ସନ୍ ଇନ୍ ହସ୍ପିଟାଲିଟି ଆଣ୍ଡ ଟୁରିଜିମ” ଶୀର୍ଷକ ଦୁଇ ଦିନିଆ ଆନ୍ତର୍ଜାତିକ କର୍ମଶାଳାରେ ଯୋଗ ଦେଇ ଏହା କହିଛନ୍ତି ଡକ୍ଟର ସିଂହ । ବର୍ତମାନ ପର୍ଯ୍ୟଟନ କ୍ଷେତ୍ରର ପୁନରୁଦ୍ଧାର ନିମନ୍ତେ ସମ୍ଭାବିତ ନୂତନ ମାର୍ଗ ଆପଣାଇବାକୁ ପଡିବ ବୋଲି ସେ କହିଛନ୍ତି ।

ଡ଼କ୍ଟର ସିଂହ କହିଛନ୍ତି ଯେ ଭାରତୀୟ ପର୍ଯ୍ୟଟନ କ୍ଷେତ୍ରକୁ ସୁଦୃଢ଼ କରିବାକୁ ହେଲେ ଧାର୍ମିକ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ବିଶେଷ କରି ଥାଇଲାଣ୍ଡ, ମ୍ୟାନ୍‌ମାର୍‌, ଭୁଟାନ୍ ଏବଂ ଶ୍ରୀଲଙ୍କା ଭଳି ଦକ୍ଷିଣ-ପୂର୍ବ ଏସିଆର ଦେଶଗୁଡ଼ିକ ଯେଉଁଠାରେ ବୌଦ୍ଧ ଧର୍ମର ପ୍ରାଧାନ୍ୟ ରହିଛି ସେ ଦେଶଗୁଡ଼ିକ ସହିତ ଭାରତର ପର୍ଯ୍ୟଟନ ସମ୍ପର୍କକୁ ସୁଦୃଢ଼ କରିବା ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ବେ ଅଫ ବେଙ୍ଗଲ ଇନିସିଏଟିଭ ଫର ମଲ୍ଟିସେକ୍ଟରାଲ୍ ଟେକ୍ନିକାଲ୍ ଆଣ୍ଡ ଇକୋନୋମିକ କୋଅପରେସନ୍ (ବିମଷ୍ଟେକ) ଏବଂ ଆସୋସିଏସନ୍ ଅଫ୍ ସାଉଥ-ଇଷ୍ଟ ଏସିଆନ୍ ନାସନ୍ସ (ଆସିଆନ୍‌) ଦେଶଗୁଡ଼ିକର ଭାରତ ସହିତ ସମ୍ପର୍କକୁ ସୁଦୃଢ଼ କରି ପର୍ଯ୍ୟଟନ କ୍ଷେତ୍ରକୁ ପୁନରୁଦ୍ଧାର କରାଯିବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।

ସ୍କୁଲ ଅଫ ହୋଟେଲ ମ୍ୟାନେଜମେଂଟ (ଏସଏଚଏମ), ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫାକଲ୍ଟି ଅଫ୍ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ ପକ୍ଷରୁ “ଆତିଥ୍ୟ-ପାଷ୍ଟ, ପ୍ରେଜେଂଟ ଆଣ୍ଡ ଫ୍ୟୁଚର ୩.୦” ସମ୍ମିଳନୀର ଆୟୋଜନ କରାଯାଇଥିବା ବେଳେ ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ସୋଆର କୁଳାଧିପତି ପ୍ରଫେସର ଡି.ପି.ରାୟ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଓ ସାହିତ୍ୟିକ ଓ ଲେଖକ ଶ୍ରୀ ହରପ୍ରସାଦ ଦାସ, ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ) ର ପୂର୍ବତନ ଅଧ୍ୟକ୍ଷ ତଥା ଆନ୍ଧ୍ର ପ୍ରଦେଶ କେ.ଏଲ୍‌. ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଏସ୍‌.ଏସ୍‌. ମାନ୍‌ଥା, ୟୁଏସ୍‌ଏ ଡେଲାୱେୟର ସ୍ଥିତ କ୍ରେଜଗୋର ପ୍ରତିଷ୍ଠାତା ତଥା ସିଇଓ ଶ୍ରୀ ନୀତିନ୍ ଭଲ୍ଲା ଏବଂ ହାଇଦ୍ରାବାଦ ସ୍ଥିତ ନର୍ସି ମୋଞ୍ଜି ଇନ୍‌ଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଂଟ ଷ୍ଟଡିଜ୍‌ର ନିର୍ଦ୍ଦେଶକ ଡକ୍ଟର ତପନ କୁମାର ପଣ୍ଡା ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।

ବିମଷ୍ଟେକ ଏବଂ ଆସିଆନ୍ ଦେଶଗୁଡ଼ିକର ବୌଦ୍ଧ ଧର୍ମ ସହ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରି ଡକ୍ଟର ସିଂହ କହିଥିଲେ ଯେ ଭାରତରେ ବୌଦ୍ଧ ପର୍ଯ୍ୟଟନ ସର୍କିଟ ଦ୍ୱାରା ହିଁ ପର୍ଯ୍ୟଟନ କ୍ଷେତ୍ରକୁ ଉନ୍ନତ କରାଯାଇପାରିବ । କାରଣ ସମ୍ପୃକ୍ତ ଦେଶର ଲୋକମାନେ ଏହିସବୁ ସ୍ଥାନକୁ ଭ୍ରମଣ କରିବାକୁ ଭଲ ପାଇଥାନ୍ତି ।

ମନ୍ତ୍ରୀ କହିଥିଲେ ଯେ ଯେତେବେଳେ କୌଣସି ସମସ୍ୟା କିମ୍ବା ଆବଶ୍ୟକତା ପଡ଼ିଥାଏ ସେତେବେଳେ ହିଁ ନୂତନ ଉଦ୍‌ଭାବନ ସମ୍ପର୍କରେ ଚିନ୍ତା କରାଯାଇଥାଏ । ପର୍ଯ୍ୟଟନ ହେଉଛି ସେହିଭଳି ଏକ ଦିଗ ଯେଉଁଠାରେ ନୂତନ ଉଦ୍‌ଭାବନ ଏବଂ ଅଗ୍ରଗତିର ସୁଯୋଗ ରହିଛି ।

ଶ୍ରୀ ଦାସ ନିଜ ବକ୍ତବ୍ୟରେ କହିଥିଲେ ଯେ ପର୍ଯ୍ୟଟନ ଶିଳ୍ପ ପର୍ଯ୍ୟଟକମାନଙ୍କୁ କିଭଳି ଆକୃଷ୍ଟ କରିପାରିବ ସେ ଦିଗରେ ଗୁରୁତ୍ୱ ଦେବା ଆବଶ୍ୟକ । ବର୍ତମାନ କୌଣସି ପର୍ଯ୍ୟଟକ ହୋଟେଲ୍‌ରେ ପହଂଚିଲେ ତାଙ୍କ ଉପରେ ଗୋଲାପ ଫୁଲ ପକେଇବା ଆବଶ୍ୟକ ନୁହେଁ । ସେମାନେ ବରଂ ହୋଟେଲ୍‌ରେ କେଉଁଭଳି ବୌଦ୍ଧିକ ଆତିଥ୍ୟ ପ୍ରଦାନ କରାଯାଉଛି ତାହା ଖୋଜୁଛନ୍ତି ।

ଶ୍ରୀ ଦାସ ଯିଏକି ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀ ଏବଂ ଜାତିସଂଘର ଅନେକ ସଂଗଠନର ଜଣେ ବିଶେଷଜ୍ଞ ଭାବେ କାର୍ଯ୍ୟ କରିଛନ୍ତି କହିଥିଲେ ଯେ ହୋଟେଲ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ପୁରୁଣା ପ୍ରଥାକୁ ବନ୍ଦ କରିଦେବା ଉଚିତ୍ । କୌଣସି ପର୍ଯ୍ୟଟକଙ୍କୁ ରାଜାଙ୍କ ଭଳି ଅତିଥି ସତ୍କାର କରିବା ଦରକାର ନାହିଁ । କାରଣ ପର୍ଯ୍ୟଟନ ସୁସ୍ୱାଦୁ ଖାଦ୍ୟ, ସ୍ୱଚ୍ଛ ପରିବେଶ ଓ ଯେଉଁ ବିଷୟରେ ପର୍ଯ୍ୟଟକଙ୍କ ଆଗ୍ରହ ଥିବ ତାହା ଯୋଗାଇ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ହୋଟେଲ୍ ରୁମ୍‌ଗୁଡ଼ିକରେ ଇତିହାସ, ମନ୍ଦିର, ବନ୍ୟ ଜନ୍ତୁ, ଭଗ୍ନାବଶେଷ, ପରମ୍ପରା ଏବଂ ଓଡ଼ିଶା ସହ ସମ୍ପର୍କ ଥିବା କଫିଟେବୁଲ୍ ବୁକ୍ ଉପଲବ୍ଧ ହେଉନାହିଁ । ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ଆସୁଥିବା ପର୍ଯ୍ୟଟକମାନେ ପଢ଼ିବା ପାଇଁ ଏଭିଳ ପୁସ୍ତକଗୁଡ଼ିକର ଆବଶ୍ୟକତା ରହିଛି । ସୋଆ ଭଳି ବିଶ୍ୱବିଦ୍ୟାଳୟ ଏ ଦିଗରେ ମନୋନିବେଶ କରିବା ଉଚିତ୍ ବୋଲି ସେ କହିଥିଲେ ।

ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ଖୁବ୍ ଶୀଘ୍ର ପରିବର୍ତନ ଆଣିବ ବୋଲି ପ୍ରଫେସର ମାନ୍‌ଥା କହିଥିଲେ । ଏହି କାର୍ଯ୍ୟକ୍ରମରେ ଏସ୍‌ଏଚ୍‌ଏମ୍‌ର ଉପଦେଷ୍ଟା ଓ ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର ସ୍ୱାଗତଭାଷଣ ପ୍ରଦାନ କରିଥିବାବେଳେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବି.ବି. ପ୍ରଧାନ ସମ୍ମିଳନୀର ପ୍ରସଙ୍ଗ ଉପରେ ତଥ୍ୟ ରଖିଥିଲେ । ଏସ୍‌ଏଚ୍‌ଏମ୍‌ର ଆସୋସିଏଟ୍ ପ୍ରଫେସର ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।