Home Environment ପରିବେଶକୁ ବିଗାଡିବ ପ୍ଲାଷ୍ଟିକ ବ୍ୟାନର

ପରିବେଶକୁ ବିଗାଡିବ ପ୍ଲାଷ୍ଟିକ ବ୍ୟାନର

ଭୁବନେଶ୍ୱର : ନିର୍ବାଚନକୁ ଆଖିଆଗରେ ରଖି ସହର ଠାରୁ ଗାଁ ପର୍ଯ୍ୟନ୍ତ ଯେଉଁ ହାରରେ ପ୍ଲାଷ୍ଟିକ ତିଆରି ଶୁଭେଚ୍ଛା ବ୍ୟାନର ଟଙ୍ଗା ଯାଉଛି ତାହା ଆଗାମୀ ଦିନରେ ପରିବେଶ ପ୍ରତି ଘୋର ବିପଦ ସୃଷ୍ଟି କରିବ । ଏହା ଉପରେ କୌଣସି କଟକଣା ନଥିବା ଯୋଗୁଁ ଟନ୍‍ ଟନ୍‍ ଓଜନର ପ୍ଲାଷ୍ଟିକ ତିଆରି ଏହି ସାମଗ୍ରୀ ରାଜ୍ୟସାରା ଛାଇହୋଇ ଗଲାଣି ।

ମୁଣ୍ଡ ଉପରେ ପଞ୍ଚାୟତ ଓ ଏହା ପରେ ପରେ ପୌର ନିର୍ବାଚନ ହେବାକୁ ଥିବାରୁ ଏବେ ସହର ଠାରୁ ଗାଁ ଗହଳ ପର୍ଯ୍ୟନ୍ତ ଚାରିଆଡେ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟୁଛି । ଆଶାୟୀ ପ୍ରାର୍ଥୀମାନଙ୍କ ଠାରୁ ଆରମ୍ଭକରି ନିଜର ଦବ୍‍ଦବା ଦେଖାଇବାକୁ ଚାହୁଁଥିବା ଲୋକେ ବି ନେତାମାନଙ୍କ ସହିତ ନିଜ ଫଟୋକୁ ଯୋଡି ଆକର୍ଷଣୀୟ ଫ୍ଲେକ୍ସ ବ୍ୟାନର ପ୍ରସ୍ତୁତ କରି ଚାରିଆଡେ ଟଙ୍ଗାଇବାରେ ଲାଗିଛନ୍ତି । ଏଥିପାଇଁ ପରସ୍ପର ମଧ୍ୟରେ ଏଭଳି ପ୍ରତିଯୋଗିତା ଚାଲିଛି ଯେ ଅନ୍ୟଜଣେ ଯେଭଳି ବ୍ୟାନରଟିଏ ଟଙ୍ଗାଇବାକୁ ସ୍ଥାନଟିକେ ନପାଇବେ ସେଥିପାଇଁ ଜଣେ ଜଣେ ବ୍ୟକ୍ତି ବିପୁଳ ଅର୍ଥ ଖର୍ଚ୍ଚରେ ଏକାଧିକ ଫ୍ଲେକ୍ସ ତିଆରି କରି ପ୍ରମୁଖ ସ୍ଥାନଗୁଡିକରେ ଆଗତୁରା ମାରିଦେଇଛନ୍ତି ।

ତେବେ ଏହି ପ୍ଲାଷ୍ଟିକ ନିର୍ମିତ ବ୍ୟାନରଗୁଡିକରେ ବିପୁଳ ପରିମାଣର ରସାୟନିକ ରଙ୍ଗ ବି ବ୍ୟବହୃତ ହୋଇଛି ଯାହା ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ । କାରଣ ଏହି ବ୍ୟାନରଗୁଡିକ ଆଦୌ ମାଟିରେ ମିଶିବ ନାହିଁ । ସହରାଞ୍ଚଳରେ ଯଦିଓ ରଦି ସାମଗ୍ରୀ ଖରିଦ କରୁଥିବା ବ୍ୟବସାୟୀମାନେ ଏହାକୁ ନେଇଯିବେ, ହେଲେ ଗାଁ ଗହଳରେ ଏହା ରାସ୍ତାଘାଟ ଠାରୁ ଆରମ୍ଭ କରି ଚାଷଜମି ପର୍ଯ୍ୟନ୍ତ ସବୁଆଡେ ପଡିବ ।

ଅନେକ ସ୍ଥାନରେ ଲୋକେ ଏହାକୁ ନଷ୍ଟ କରିବାପାଇଁ ନିଆଁ ଲଗାଇବେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏଭଳି ପ୍ଲାଷ୍ଟିକ ଦହନରୁ ସୃଷ୍ଟି ରସାୟନିକ ପଦାର୍ଥ କର୍କଟ ରୋଗର ଅନ୍ୟତମ କାରଣ । ସେହିଭଳି ଏହା ଯେଉଁଠାରେ ପଡିବ ସେଠାରେ ମୃତ୍ତିକା ଓ ଜଳକୁ ପ୍ରଦୂଷିତ କରିବ ।

ପଞ୍ଚାୟତ ର୍ନିବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାପରେ ଅନେକ ଆଶାୟୀ ମଇଦାରୁ ହଟିବେ ଓ ସେମାନେ ଟଙ୍ଗାଇଥିବା ପ୍ଲାଷ୍ଟିକ ବ୍ୟାନର ଏଣେ ତେଣେ ପଡିବ । ଏଗୁଡିକୁ କେହି ଏକତ୍ର କରିବେ ନାହିଁ କି ଠିକଣା ଭାବେ ବିଘଟନ ପାଇଁ ମଧ୍ୟ ଉଦ୍ୟମ ହେବନାହିଁ । ଚଳିତବର୍ଷ ଗାଁ ଗହଳରେ ଯେତିକି ସଂଖ୍ୟାରେ ପ୍ଲାଷ୍ଟିକ ବ୍ୟାନର ଟଙ୍ଗାଯାଇଛି ତାହା ଆଗାମୀ ଦିନରେ ପରିବେଶ ପାଇଁ ଚିନ୍ତାର କାରଣ ପାଲଟିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ରାଜ୍ୟ ସରକାର ପ୍ରତିବର୍ଷ ଗଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ପରିବେଶ ସୁରକ୍ଷାକୁ ନଜରରେ ରଖି ପ୍ଲାଷ୍ଟିକ ତିଆରି ପତାକା ଉପରେ କଟକଣା ଜାରି କରିବା ସହିତ କେବଳ କାଗଜ ଓ କନାରେ ପ୍ରସ୍ତୁତ ପତାକା ବ୍ୟବହାର ପାଇଁ ଆହ୍ୱାନ ଦେଇଥାନ୍ତି । ହେଲେ ନୂଆବର୍ଷ କିମ୍ବା ନିର୍ବାଚନ ସମୟରେ ଏଭଳି କଟକଣା ନଥିବାରୁ ଲୋକେ ମନଇଚ୍ଛା ପ୍ଲାଷ୍ଟିକ ବ୍ୟବହାର କରୁଛନ୍ତି ଯାହା ଆଗାମୀ ଦିନରେ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇବ । ତେଣୁ ଯେତେଶୀଘ୍ର ସମ୍ଭବ ନିର୍ବାଚନ ସମୟରେ ପ୍ଲାଷ୍ଟିକ ତିଆରି ପ୍ରଚାରପତ୍ର ଉପରେ କଟକଣା ଜାରି କରିବାକୁ ସାଧାରଣରେ ମତପ୍ରକାଶ ପାଉଛି । (ତଥ୍ୟ)