Home Health ପରିବାର ନିୟୋଜନରେ ଗାଁ ମହିଳା ଆଗରେ

ପରିବାର ନିୟୋଜନରେ ଗାଁ ମହିଳା ଆଗରେ

ଭୁବନେଶ୍ୱର : ଅତ୍ୟାଧୁନିକ ପରିବାର ନିୟୋଜନ ପଦ୍ଧତି ଆପଣେଇବା କ୍ଷେତ୍ରରେ ଗାଁ ଗହଳର ମହିଳାମାନେ ସହରୀ ମହିଳାଙ୍କ ଠାରୁ ଆଗରେ ରହିଛନ୍ତି । ୨୦୨୦-୨୧ ବର୍ଷ ପାଇଁ ସଦ୍ୟ ପ୍ରକାଶିତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ରୁ ଏହି ସୂଚନା ମିଳିଛି ।

ସୂଚନା ଅନୁଯାୟୀ ପରିବାର ନିୟୋଜନ ପାଇଁ ରାଜ୍ୟର ୪୮.୮ ପ୍ରତିଶତ ମହିଳା ଅତ୍ୟାଧୁନିକ ପଦ୍ଧତି ଗ୍ରହଣ କରୁଥିବାବେଳେ ଏମାନଙ୍କ ମଧ୍ୟରେ ଗାଁ ଗହଳର ମହିଳାଙ୍କ ସଂଖ୍ୟା ୪୯.୧ ପ୍ରତିଶତ ଥିବାବେଳେ ସହରୀ ମହିଳାଙ୍କ ହାର ୪୭.୨ ପ୍ରତିଶତ ରହିଛି । ୨୦୧୫-୧୬ ରେ ହୋଇଥିବା ଜାତୀୟ ସ୍ୱାସ୍ଥ୍ୟ ସର୍ବେକ୍ଷଣ-୪ ରେ ରାଜ୍ୟରେ ହାରାହାରି ୪୫.୪ ପ୍ରତିଶତ ମହିଳା ପରିବାର ନିୟନ୍ତ୍ରଣ ପାଇଁ ଅତ୍ୟାଧୁନିକ ପଦ୍ଧତି ଗ୍ରହଣ କରିଥିଲେ ।

ସେହିଭଳି ମହିଳା ଓ ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ବି ଗାଁ ଗହଳର ଲୋକେ ଆଗରେ ରହିଛନ୍ତି । ସର୍ଭେ ରିପୋର୍ଟ ଅନୁଯାୟୀ ରାଜ୍ୟରେ ହାରାହାରି ୨୮ ପ୍ରତିଶତ ମହିଳା ବନ୍ଧ୍ୟାକରଣ ପଦ୍ଧତି ଆପଣଉଥିବାବେଳେ ଏମାନଙ୍କ ମଧ୍ୟରେ ଗାଁ ମହିଳା ସଂଖ୍ୟା ୨୮.୮ ଓ ସହରୀ ମହିଳାଙ୍କ ସଂଖ୍ୟା ୨୪.୪ ପ୍ରତିଶତ ରହିଛି । ଗତ ସର୍ଭେ ରିପୋର୍ଟରେ ରାଜ୍ୟରେ ହାରାହାରି ୨୮.୨ ପ୍ରତିଶତ ମହିଳା ବନ୍ଧ୍ୟାକରଣ କରାଉଥିଲେ । ସେହିଭଳି ପୁରୁଷ ବନ୍ଧ୍ୟାକରଣ ସଂଖ୍ୟା ରାଜ୍ୟରେ ହାରାହାରି ୦.୩ ପ୍ରତିଶତ ଥିବାବେଳେ ଗାଁ ଗହଳର ପୁରୁଷଙ୍କ ସଂଖ୍ୟା ଏଥିରେ ୦.୩ ପ୍ରତିଶତ ଓ ସହରୀ ପୁରୁଷଙ୍କ ସଂଖ୍ୟା ୦.୩ ପ୍ରତିଶତ ରହିଛି ।

ତେବେ ପରିବାର ନିୟୋଜନ ପାଇଁ ଗର୍ଭନିରୋଧକ ବଟିକା ସେବନ କ୍ଷେତ୍ରରେ ଗାଁ ଗହଳର ମହିଳା ଆଗରେ ଥିବାବେଳେ କଣ୍ଡୋମ ବ୍ୟବହାର କ୍ଷେତ୍ରରେ କିନ୍ତୁ ସହରୀ ଲୋକେ ଆଗରେ ଥିବା ସର୍ଭେରୁ ଜଣାପଡିଛି । ରାଜ୍ୟରେ ପ୍ରାୟ ୧୦.୮ ପ୍ରତିଶତ ମହିଳା ଗର୍ଭନିରୋଧକ ବଟିକା ସେବନ କରୁଥିବାବେଳେ ଏମାନଙ୍କ ମଧ୍ୟରେ ଗାଁ ଗହଳର ମହିଳାଙ୍କ ସଂଖ୍ୟା ୧୧ ପ୍ରତିଶତ ଓ ସହରୀ ମହିଳାଙ୍କ ସଂଖ୍ୟା ୧୦.୩ ପ୍ରତିଶତ ରହିଛି । ତେବେ ଗର୍ଭନିରୋଧ ବଟିକା ସେବନ ରାଜ୍ୟରେ ପୂର୍ବ ସର୍ଭେକ୍ଷଣ ତୁଳନାରେ ହ୍ରାସ ପାଇଛି । ଜାତୀୟ ସ୍ୱାସ୍ଥ୍ୟ ସର୍ବେକ୍ଷଣ-୪ ସୂଚନା ଅନୁଯାୟୀ ରାଜ୍ୟରେ ଗର୍ଭନିରୋଧ ବଟିକା ସେବନ ୧୨ ପ୍ରତିଶତ ରହିଥିଲା ।

ତେବେ ରାଜ୍ୟରେ କଣ୍ଡୋମ ବ୍ୟବହାର ବୃଦ୍ଧି ପାଇଛି । ପୂର୍ବ ସର୍ଭେ ସମୟରେ ଏହା ୩.୪ ପ୍ରତିଶତ ଥିବାବେଳେ ସଦ୍ୟ ପ୍ରକାଶିତ ସର୍ଭେ ରିପୋର୍ଟରେ ଏହା ୫.୫ ପ୍ରତିଶତ ରହିଛି । ତେବେ ଏଥି ମଧ୍ୟରୁ ସହରରେ ବ୍ୟବହାର ସଂଖ୍ୟା ୮.୮ ପ୍ରତିଶତ ଥିବାବେଳେ ଗାଁ ଗହଳରେ ୪.୯ ପ୍ରତିଶତରେ ସୀମିତ ରହିଛି । ଅନୁରୂପ ଭାବେ ପରିବାର ନିୟୋଜନ ପାଇଁ ଇଞ୍ଜେକସନ ନେବା କ୍ଷେତ୍ରରେ ବି ସହରୀ ଲୋକେ ଆଗରେ ରହିଛନ୍ତି ।

ରାଜ୍ୟରେ ମୋଟ୍‍ ୦.୨ ପ୍ରତିଶତ ଲୋକେ ଏହି ଇଞ୍ଜେକସନ ବ୍ୟବହାର କରୁଥିବାବେଳେ ଏଥି ମଧ୍ୟରେ ସହରୀ ଲୋକଙ୍କ ସଂଖ୍ୟା ୦.୪ ପ୍ରତିଶତ ଥିବାବେଳେ ଗାଁ ଲୋକଙ୍କ ସଂଖ୍ୟା ୦.୨ ପ୍ରତିଶତ ରହିଛି । ତେବେ ପରିବାର ନିୟୋଜନ ପାଇଁ ଇଞ୍ଜେକସନ ବ୍ୟବହାର ଦୁଇଟି ଯାକ ସର୍ଭେରେ ଅପରିବର୍ତ୍ତିତ ଥିବା ଲକ୍ଷ୍ୟ କରାଯାଇଛି । (ତଥ୍ୟ)