Home General ପରଲୋକରେ ରଜତ କର

ପରଲୋକରେ ରଜତ କର

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ପଦ୍ମଶୀ ରଜତ କର ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୮୮ ବର୍ଷ ବୟସରେ ରାଜଧାନୀର ଏକ ଘେରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି ।

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଭାବେ ଓଡିଶା ତଥା ଓଡିଶା ବାହାରେ ଶ୍ରୀ କର ବେଶ୍‍ ପରିଚିତ ଥିଲେ । ରଥଯାତ୍ରା ସମୟରେ ବିଭିନ୍ନ ଟିଭି ଚ୍ୟାନେଲ ଓ ଆକାଶବାଣୀରେ ଶ୍ରୀଜନ୍ନାଥଙ୍କ ଘୋଷଯାତ୍ରାର ସେ ନିୟମିତ ଧାରା ବିବରଣୀ ପ୍ରଦାନ କରୁଥିଲେ ।

ତେବେ ତାଙ୍କ ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ହଠାତ୍‍ ଅସୁସ୍ଥ ଅନୁଭବ କରିବାରୁ ପରିବାର ସଦସ୍ୟ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଯାଇଥିଲେ । ସମସ୍ତ ପରୀକ୍ଷା ନିରୀକ୍ଷା ପରେ ଡାକ୍ତରଖାନା ପକ୍ଷରୁ ତାଙ୍କୁ ମୃତଘୋଷଣା କରାଯାଇଥିଲା ।

ଶ୍ରୀ କରଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇବାରେ ଲାଗିଛି । ଶୋକବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ରଜତ କର ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ କରିଯାଇଛନ୍ତି ।
ଭଞ୍ଜ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ଓଡ଼ିଆ ସଂସ୍କୃତି ଓ ପରମ୍ପରା ବିଶେଷ କରି ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ରେ ତାଙ୍କର ଅବଦାନ ପାଇଁ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ ।

ତାଙ୍କ ବିୟୋଗରେ ଓଡିଶା ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୋକ ସନ୍ତପ୍ତ ପରିବାର କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକ ଗତ ଆତ୍ମାର ସଦଗତି କାମନା କରିଛନ୍ତି ।

ପଚାଂୟତିରାଜ,ପାନୀୟଜଳ , ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ଯେ ବିଶିଷ୍ଟ ସାହିତ୍ୟିକ, ଜଗନ୍ନାଥ ସଂସ୍କୃତି ଗବେଷକ ଓ ଶିକ୍ଷାବିତ ପଦ୍ମଶ୍ରୀ ରଜତ କରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ବିୟୋଗ ଓଡିଆ ସାହିତ୍ୟ ଓ ସଂସ୍କୃତି ଜଗତରେ ଏକ ଯୁଗର ଅବସାନ ଘଟାଇଛି।

LEAVE A REPLY

Please enter your comment!
Please enter your name here