Home General ପରଲୋକରେ ଦେବାଶିଷ ପାଣିଗ୍ରାହୀ

ପରଲୋକରେ ଦେବାଶିଷ ପାଣିଗ୍ରାହୀ

ଭୁବନେଶ୍ୱର : ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ତଥା ୧୯୯୧ ବ୍ୟାଚ୍‍ର ବରିଷ୍ଠ ଆଇପିଏସ୍‍ ଅଫିସର ଦେବାଶିଷ ପାଣିଗ୍ରାହୀ କରୋନାରେ ପ୍ରାଣ ହରାଇଛନ୍ତି । କୋଲକତା ଠାରେ ଚିକିତ୍ସିତ ହେଉଥିବା ଦେବାଶିଷ ଶୁକ୍ରବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଶ୍ରୀ ପାଣିଗ୍ରାହୀ କରୋନା ସଂକ୍ରମିତ ହେବାପରେ ପ୍ରଥମେ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ଇକମୋ ଚିକିତ୍ସା ଲାଗି ତାଙ୍କୁ କୋଲକତା ସ୍ଥିତ ମେଡିକା ହସ୍ପିଟାଲକୁ ଏୟାର ଲିଫ୍ଟ କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି ।

ଶ୍ରୀ ପାଣିଗ୍ରାହୀ ଜଣେ ଦକ୍ଷ ପୁଲିସ୍‍ ଅଫିସର ସହିତ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ୧୯୬୫ ମସିହାରେ ବାଲେଶ୍ୱର ଠାରେ ଜନ୍ମିତ ଦେବାଶିଷ ତାଙ୍କର ସାହିତ୍ୟ କୃତୀ ପାଇଁ ବେଶ୍‍ ପରିଚିତ । ୯ଟି ଉପନ୍ୟାସ ଓ ୭ଟି କ୍ଷୁଦ୍ର ଗଳ୍ପ ସଂଙ୍କଳନ ଥିଲା ତାଙ୍କର ଅନବଦ୍ୟ ସୃଷ୍ଟି । ୨୦୦୨ ମସିହାରେ ତାଙ୍କୁ ମିଳିଥିଲା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ।

ମାତ୍ର ୫୬ବର୍ଷ ବୟସରେ କରୋନାରେ ପ୍ରାଣ ହରାଇଥିବା ଦେବାଶିଷ ପୁଲିସ୍‍ ଓ ବନ୍ଧୁ ମହଲରେ ବେଶ୍‍ ଲୋକ ପ୍ରିୟ ଥିଲେ । ବିଶେଷକରି କେନ୍ଦୁଝର, ଖୋରଧା, କଟକ, ପୁରୀ, ଗଞ୍ଜାମ ଜିଲ୍ଲାରେ ଏସ୍‍ପି ଭାବେ କାର୍ଯ୍ୟକରିବା ସମୟରେ ତାଙ୍କର ବେଶ୍‍ ଲୋକ ପ୍ରିୟତା ଥିଲା । ଦେବାଶିଷଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରୁ ଶୋକର ଛାୟା ଖେଳିଯାଇଛି ।