Home General ପରଲୋକରେ ଅଭିନେତା ମିହିର ଦାସ

ପରଲୋକରେ ଅଭିନେତା ମିହିର ଦାସ

ଭୁବନେଶ୍ୱର : ଓଡିଆ ଚଳଚିତ୍ର ଜଗତର ପ୍ରଖ୍ୟାତ ଅଭିନେତା ମିହିର ଦାସଙ୍କର ପରଲୋକ ହୋଇଯାଇଛି । କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୫୫ବର୍ଷ ବୟସ ହୋଇଥିଲା ।

ମିହିର ଦାସ ତାଙ୍କ କଳାକାର ଜୀବନ ମଞ୍ଚ ନାଟକରୁ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ଅବସ୍ଥାରେ ଚଳଚିତ୍ର ଜଗତରେ ପ୍ରବେଶ କରି ମୁଖ୍ୟ ଅଭିନେତା ଓ ନିର୍ଦ୍ଦେଶକ ଭାବେ ତାଙ୍କର ଦକ୍ଷତା ପ୍ରତିପାଦିତ କରିଯାଇଛନ୍ତି ।

ଓଡିଆ ଚଳଚିତ୍ରରେ ଜୀବନ ଅଭିନୟ ପାଇଁ ୧୯୯୮ରେ ଚଳଚିତ୍ର ଲକ୍ଷ୍ମୀପ୍ରତିମା ପାଇଁ ସେ ଶ୍ରେଷ୍ଠ ସହଅଭିନେତା ପୁରସ୍କାର ପାଇଥିଲେ । ପରେ ୨୦୦୫ରେ ଫେରିଆ ମୋ ସୁନା ଭଉଣୀ ଚଳଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଲାଭ କରିଥିଲେ । ଏହାଛଡା ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ ଓ ପ୍ରେମ ଅଢେଇ ଅକ୍ଷର ଭଳି ଚଳଚିତ୍ରରେ ଅଭିନୟ ଲାଗି ତାଙ୍କୁ ରାଜ୍ୟ ସରକାର ଶ୍ରେଷ୍ଠ ସହ ଅଭିନେତା ପୁରସ୍କାର ପ୍ରଦାନ କରିଥିଲେ । ଏହାଛଡା ଆଉ ଅନେକ ପୁରସ୍କାର ଓ ସମ୍ମାନର ସେ ଅଧିକାରୀ ହୋଇଥିଲେ ।

୧୯୬୬ ମସିହାରେ ଜନ୍ମ ଗ୍ରହଣ କରିଥିବା ମିହରି ଦାସ ଅଭିନେତ୍ରୀ ସଙ୍ଗୀତା ଦାସଙ୍କୁ ବିବାହ କରିଥିଲେ । ଡାକ୍ତରଖାନାରେ ଭର୍ତ୍ତିହେବା ପୂର୍ବରୁ ମିହିର ଦାସଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ଆଶାର ଆଲୋକ ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଥିଲା । ଅନେକ ଅସଜଡା ପରିବାରକୁ ଏହି କାର୍ଯ୍ୟକ୍ରମ ଜରିଆରେ ସେ ସଜାଡିଥିଲେ ।

ମିହିର ଦାସ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଇଛି । ତାଙ୍କ ବିୟୋଗରେ ଓଡିଆ ଚଳଚିତ୍ର ଜଗତର ଅପୂରଣୀୟ କ୍ଷତି ଘଟିଛି ବୋଲି ବହୁ ସିନେ ଅଭିନେତା ଓ ଚଳଚିତ୍ର ଜଗତ ସହ ଜଡିତ ବ୍ୟକ୍ତି ମତ ଦେଇଛନ୍ତି ।