Home Education ପଦବୀ ଖାଲି ଯୋଗୁଁ ବିଶ୍ୱବିଦ୍ୟାଳୟକୁ ନାକ୍‍ ଚିନ୍ତା

ପଦବୀ ଖାଲି ଯୋଗୁଁ ବିଶ୍ୱବିଦ୍ୟାଳୟକୁ ନାକ୍‍ ଚିନ୍ତା

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ବିଶ୍ୱବିଦ୍ୟାଳୟଗୁଡିକ ଏଥର ଯେମିତି ନାକ୍‍ ମାନ୍ୟତା ପ୍ରାପ୍ତିରେ ଉନ୍ନତ ପ୍ରଦର୍ଶନ କରନ୍ତି ତାହା ଉପରେ ସରକାର ତୁହାକୁ ତୁହା ଗୁରୁତ୍ୱଆରୋପ କରୁଥିବାବେଳେ ବିଶ୍ୱବିଦ୍ୟାଳୟଗୁଡିକରେ ଖାଲି ପଡିଥିବା ବ୍ୟାପକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପ୍ରସଙ୍ଗ ପ୍ରତିବନ୍ଧକ ହୋଇପାରେ ।

ସଂଶୋଧିତ ଆଇନ୍‍ ଅନୁଯାୟୀ ବିଶ୍ୱବିଦ୍ୟାଳୟଗୁଡିକ ହାତରେ ଆଉ ଶିକ୍ଷକ ନିଯୁକ୍ତି କ୍ଷମତା ନାହିଁ । ଓଡିଶା ଲୋକସେବା ଆୟୋଗ ମାଧ୍ୟମରେ ଏହି ପଦବୀଗୁଡିକ ପୂରଣ କରାଯିବାପାଇଁ ବ୍ୟବସ୍ଥା ହୋଇଛି । ତେବେ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ୧୦ଟି ବିଶ୍ୱବିଦ୍ୟାଳୟ ଲାଗି ୧୬୬୩ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ସେଥିରୁ ୧୦୩୩ଟି ଖାଲି ରହିଛି । ନାକ୍‍ ପରିଦର୍ଶନକାରୀ ଦଳ ବିଶ୍ୱବିଦ୍ୟାଳୟ ଗସ୍ତରେ ଆସିବା ପୂର୍ବରୁ ଏହି ପଦବୀ ସବୁ ପୂରଣ ହୋଇନଥିଲେ ନାକ୍‍ ରେଟିଂ ପୂର୍ବଥର ଅପେକ୍ଷା ଉନ୍ନତ ହେବା ପରିବର୍ତ୍ତେ ତଳକୁ ଖସିବା ଘେନି ବିଶ୍ୱବିଦ୍ୟାଳୟର ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଆଶଙ୍କା ବ୍ୟକ୍ତ କରିବା ସ୍ୱାଭାବିକ ।

ମୋଟାମୋଟି ଭାବେ ଉତ୍କଳ, ସମ୍ବଲପୁର, ବ୍ରହ୍ମପୁର, ରେଭେନ୍ସା, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର, କଳାହାଣ୍ଡି, ଫକୀରମୋହନ, ଗଙ୍ଗାଧର ମେହେର, ଖଲିକୋଟ ଓ ମହାରାଜା ପୂର୍ଣ୍ଣଚନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ଏବଂ ଅନ୍ୟ କ୍ଷମତାପ୍ରାପ୍ତ ଅଧିକାରୀମାନଙ୍କ ମନରେ ଏବେ ଶିକ୍ଷକ ନିଯୁକ୍ତି ସମସ୍ୟା ଉଙ୍କି ମାରୁଛି ।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପ୍ରାୟ ୭୪ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ରେଭେନ୍ସାରେ ୭୨ପ୍ରତିଶତରୁ ଅଧିକ ଶିକ୍ଷକ ପଦବୀ ଦୀର୍ଘବର୍ଷ ଧରି ଖାଲିଅଛି । ପୁରୀର ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ବି ୭୦ ପ୍ରତିଶତରୁ ଅଧିକ ପଦବୀ ଖାଲିପଡିଛି । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଲାଗି କୁଳପତି ଓ ଅନ୍ୟ ବିଶ୍ୱବିଦ୍ୟାଳୟ ଲାଗି କୁଳପତି ସ ଅନ୍ୟ ଅଧିକାରୀ ନିଯୁକ୍ତି ହୋଇଥିଲେ ବି ଏଠି ଅଦ୍ୟାବଧି ଜଣେ ହେଲେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ନାହିଁ । ଭବାନୀପାଟଣା ଓ ରାଜେନ୍ଦ୍ର ସ୍ୱୟଂଶାସିତ କଲେଜର ଅଧ୍ୟାପକମାନେ ଏହି ଦୁଇଟି ବିଶ୍ୱବିଦ୍ୟାଳୟ କଥା ବୁଝୁଛନ୍ତି ।

ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଖାପାଖି ଅଧା ଶିକ୍ଷକ ପଦବୀ ବର୍ଷାଧିକକାଳ ଧରି ଖାଲି ପଡିଥିବାବେଳେ ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମଧ୍ୟ ଅନୁରୂପ ଅବସ୍ଥା । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଖଲିକୋଟ ବିଶ୍ୱବିଦ୍ୟାଳୟ, ବାରିପଦାର ମହାରାଜା ପୂର୍ଣ୍ଣଚନ୍ଦ୍ରଭଞ୍ଜ ବିଶ୍ୱବିଦ୍ୟାଳୟ, ବାଲେଶ୍ୱରର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ମଧ୍ୟ ବ୍ୟାପକ ସଂଖ୍ୟକ ଶିକ୍ଷକ ପଦବୀ ଖାଲି ପଡିଛି । ଏହାଛଡା ଏହି ୧୨ଟି ସରକାରୀ ବିଶ୍ୱବିଦ୍ୟାଳୟରେ ଦପ୍ତର କାମ ଏବେ ମୁଖ୍ୟତଃ ଠିକା କର୍ମଚାରୀମାନଙ୍କ ଉପରେ ନିର୍ଭର କରୁଛି ।

ବର୍ଷ ବର୍ଷ ଧରି ଠିକାରେ କାମ କରୁଥିବା କର୍ମଚାରୀମାନଙ୍କୁ ନିୟମିତ କରାଯାଉନାହିଁ କିମ୍ବା ଖାଲି ପଦବୀଗୁଡିକୁ ବିଜ୍ଞାପନ ଆଧାରରେ ପୂରଣ କରାଯାଉନାହିଁ । ଏଭଳି ସ୍ଥିତିରେ ନିକଟରେ ଏକ ବିଶ୍ୱବିଦ୍ୟାଳୟର ଜଣେ ଠିକା କର୍ମଚାରୀ ଆତ୍ମାହୂତି ଦେବା ଘଟଣା ଆଲୋଡନ ସୃଷ୍ଟି କରିଥିଲା । ନାକ୍‍ରେ ଭଲ ଗ୍ରେଡ୍‍ ରହିଲେ ଋଷା ଓ ଅନ୍ୟାନ୍ୟ କେନ୍ଦ୍ରୀୟ ପାଣ୍ଠିରୁ ବିଶ୍ୱବିଦ୍ୟାଳୟ ଅଧିକ ଅର୍ଥ ପାଇବାକଥା ।

କିନ୍ତୁ ଦୁର୍ବଳ ଭିତ୍ତିଭୂମି ଯୋଗୁଁ ଗ୍ରେଡ୍‍ କମିଲେ ବିଶ୍ୱବିଦ୍ୟାଳୟଗୁଡିକର କେନ୍ଦ୍ରୀୟ ଅନୁଦାନ କମିଯିବ ଏବଂ ପାଠପଢା ସହିତ ଗବେଷଣା ଓ ପ୍ରଶାସନିକ କାର୍ଯ୍ୟ ମଧ୍ୟ ପ୍ରଭାବିତ ହେବବୋଲି ବରିଷ୍ଠ ପ୍ରଫେସରମାନେ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)