Home Finance ପଟୁ ସଫେଇ ପାଇଁ ଅର୍ଥ ଖର୍ଚ୍ଚ ହୋଇନି

ପଟୁ ସଫେଇ ପାଇଁ ଅର୍ଥ ଖର୍ଚ୍ଚ ହୋଇନି

ଗତ ଦଶବର୍ଷ ମଧ୍ୟରେ ହୀରାକୁଦ ଜଳଭଣ୍ଡାରରୁ ପଟୁ ମାଟି ସଫେଇ ପାଇଁ କୌଣସି ଅର୍ଥ ଖର୍ଚ୍ଚ ହୋଇନାହିଁ । ୨୦୦୯-୧୦ ବର୍ଷରେ ଜଳଭଣ୍ଡାରରୁ ମାଟି ସଫେଇ ପାଇଁ ୧୪କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା ।

ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ବିଧାୟକ ନାଉରୀ ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ୨୦୦୯-୧୦ ରୁ ୨୦୧୯-୨୦ ବର୍ଷ ମଧ୍ୟରେ ହୀରାକୁଦ ଜଳଭଣ୍ଡାରରୁ ପଟୁମାଟି ସଫେଇ ଓ ରକ୍ଷଣା ବେକ୍ଷଣ ନିମେନ୍ତ କେନ୍ଦ୍ର ସରକାର କୌଣସି ଅର୍ଥ ଯୋଗାଇ ନାହାନ୍ତି । କିନ୍ତୁ ୨୦୦୯-୧୦ ବର୍ଷରେ ରାଜ୍ୟ ସରକାରଙ୍କ ଅନୁଦାନରୁ ଏଥିପାଇଁ ୧୪,୫୮,୬୨,୩୦୦ ଟଙ୍କା ଯୋଗାଇ ଦେଇଥିଲେ । ଏହି ଅର୍ଥ ଓସିସି ଲିମିଟେଡ ମାଧ୍ୟମରେ ବ୍ୟୟ ହୋଇଥିଲା ।

ତେବେ ହୀରାକୁଦ ବନ୍ଧର ରକ୍ଷଣାବେକ୍ଷଣ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୨୦୦୯-୧୦ ବର୍ଷରୁ ବଜେଟ୍‍ରେ ବ୍ୟୟ ବରାଦ ହେବା ସହିତ ତାହା ଖର୍ଚ୍ଚ ହେଉଛି । ଗତ ୧୧ବର୍ଷ ମଧ୍ୟରେ ଏ ବାବଦରେ ମୋଟ୍‍ ୧୫୬ କୋଟି ୧୨ଲକ୍ଷ ଟଙ୍କା ବ୍ୟୟ ହୋଇଥିବାବେଳେ ସମସ୍ତ ଅର୍ଥ ଠିକାଦାରମାନଙ୍କ ଦ୍ୱାରା ବ୍ୟୟ ହୋଇଛି । ଏହିସବୁ ଅର୍ଥ ବ୍ୟୟ ପାଇଁ ଟେଣ୍ଡର ହୋଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୦୯-୧୦ ବର୍ଷରେ ବନ୍ଧର ରକ୍ଷଣା ବେକ୍ଷଣ ଓ ଅନ୍ୟାନ୍ୟ ବ୍ୟୟ ପାଇଁ ୧୦କୋଟି ୫୦ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଥିବାବେଳେ ଏଥି ମଧ୍ୟରୁ ୧୦କୋଟି ୪୫ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା । ୨୦୧୪-୧୫ ବର୍ଷରେ ବଜେଟ୍‍ରେ ହୀରାକୁଦ ବନ୍ଧ ପାଇଁ ୧୮କୋଟି ୪୨ଲକ୍ଷ ୫୫ହଜାର ଟଙ୍କାର ବ୍ୟୟ ବରାଦ ହୋଇଥିବାବେଳେ ସେହିବର୍ଷ ଏ ବାବଦରେ ୧୭କୋଟି ୭୬ଲକ୍ଷ ୭୯ହଜାର ଟଙ୍କା ବ୍ୟୟ ହୋଇଥିଲା ।

ତେବେ ୨୦୧୯-୨୦ ବର୍ଷରେ କିନ୍ତୁ ବଜେଟ୍‍ ବ୍ୟୟବରାଦ ପରିମାଣ ୧୬କୋଟି ୩୩ଲକ୍ଷ ୮୧ହଜାର ଟଙ୍କାକୁ ହ୍ରାସ ପାଇଥିବାବେଳେ ସେହିବର୍ଷ ସରକାର ବନ୍ଧ ପାଇଁ ୧୬କୋଟି ୩୩ଲକ୍ଷ ୪୯ହଜାର ୭୩୪ ଟଙ୍କା ବ୍ୟୟ କରିଥିଲେ । ହୀରାକୁଦ ବନ୍ଧର ରକ୍ଷଣା ବେକ୍ଷଣ ପାଇଁ ସରକାର ବରାଦ କରିଥିବା କୌଣସି ଅର୍ଥ ବ୍ୟୟ ନହୋଇ ପଡି ରହିନାହିଁ ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ସ୍ପଷ୍ଟ କରିଛନ୍ତି ।