Home General ପଞ୍ଚାୟତ ଭୋଟକୁ ନେଇ ଆଶାୟୀ ସନ୍ଦେହରେ

ପଞ୍ଚାୟତ ଭୋଟକୁ ନେଇ ଆଶାୟୀ ସନ୍ଦେହରେ

ଭୁବନେଶ୍ୱର : ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଓଡିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ ଏବଂ ଏହା ପୂର୍ବରୁ ୱାର୍ଡ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ବିଭିନ୍ନ ପଦ ପଦବୀ ଲାଗି ସଂରକ୍ଷଣ ସ୍ଥିର ହେବବୋଲି ଜଣାପଡିବା ପରେ ବିଭିନ୍ନ ଦଳର ବହୁ ଆଶାୟୀ ଏବେ ସନ୍ଦେହରେ ପଡିଛନ୍ତି ।

ପଛୁଆବର୍ଗଙ୍କ ପାଇଁ ଥିବା ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଆଇନ ଅଦାଲତରେ କାଟ୍‍ ଖାଇଯିବା ପରେ ଗତ ବିଧାନସଭା ଅଧିବେଶନରେ ରାଜ୍ୟ ସରକାର ଆଇନ୍‍ରେ ସଂଶୋଧନ ଆଣି ସର୍ବାଧିକ ସଂରକ୍ଷଣସୀମା ୫୦ ପ୍ରତିଶତରେ ରହିବ ଏବଂ ଆଞ୍ଚଳିକ ସ୍ତରରେ ପ୍ରତିନିଧି ନିର୍ବାଚନ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ସ୍ଥିର କରିଛନ୍ତି । ଫଳରେ ଆଦିବାସୀ ବହୁଳ ଅଞ୍ଚଳଗୁଡିକରେ ପଛୁଆବର୍ଗଙ୍କ ସଂରକ୍ଷଣ କମିବାର ଆଶଙ୍କା ଥିବାବେଳେ ଅଣଆଦିବାସୀ ଇଲାକାରେ ପଛୁଆବର୍ଗଙ୍କ ପ୍ରତିନିଧିତ୍ୱ ଅଧିକ ରହିପାରେ ।

ରାଜ୍ୟର ୩୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ମଧ୍ୟରୁ ନୂଆ ବ୍ୟବସ୍ଥାନୁଯାୟୀ ୧୫ଟି ଅଣସଂରକ୍ଷିତ ରହିବ ଓ ଅନ୍ୟ ୧୫ଟି ମଧ୍ୟରୁ ପଛୁଆବର୍ଗଙ୍କ ପାଇଁ ୩ଟି, ଅନୁସୂଚିତ ଜନଜାତିପାଇଁ ୭ଟି ଓ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୫ଟି ଆସନ ସଂରକ୍ଷିତ ରହିପାରେ । ତେବେ ଅଣସଂରକ୍ଷିତ ଆସନରୁ ସଂରକ୍ଷିତବର୍ଗର ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବାରେ କିଛି ସମସ୍ୟା ନାହିଁ । ଏହାଛଡା ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ବର୍ଗ ପାଇଁ ଯେଉଁ ଆସନ ସବୁ ଚିହ୍ନଟ ହେବ ସେଥିରୁ ମହିଳାଙ୍କ ଲାଗି ବି ସଂରକ୍ଷଣ ରହିବ । ସେହିପରି ୩୦ଟି ଯାକ ଜିଲ୍ଲାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କ୍ଷେତ୍ରରେ ମଧ୍ୟ ଅନୁରୂପ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବାର ଅଛି ।

ରାଜ୍ୟରେ ଥିବା ୩୧୪ଟି ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦବୀ ଲାଗି ମଧ୍ୟ ଅତି ବେଶିରେ ୧୫୭ଟି ଆସନ ଅଣସଂରକ୍ଷିତ ରହିବ ଏବଂ ଅବଶିଷ୍ଟ ଆସନଗୁଡିକ ମଧ୍ୟରୁ ଅନୁସୂଚିତ ଜାତି ପାଇଁ ୫୦ରୁ ଅଧିକ ଏବଂ ଅନୁସୂଚିତ ଜନଜାତି ପାଇଁ ୭୦ରୁ ଅଧିକ ଆସନ ସଂରକ୍ଷିତ ରହିପାରେ । ଫଳରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ଲାଗି ପଛୁଆବର୍ଗଙ୍କ ପାଇଁ ୩୦ରୁ ୩୩ ପର୍ଯ୍ୟନ୍ତ ଆସନ ରହିବ । ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦବୀ ଲାଗି ମଧ୍ୟ ଅନୁରୂପ ସଂରକ୍ଷଣ ବ୍ୟବସ୍ଥା ହେବ ଏବଂ ଏହି ଦୁଇ ପଦବୀ ଲାଗି କେଉଁ ବ୍ଲକରେ କେଉଁ ବର୍ଗର ମହିଳା ସଂରକ୍ଷିତ ଆସନରୁ ନିର୍ବାଚିତ ହେବେ ସେ ସଂକ୍ରାନ୍ତରେ ନିଷ୍ପତ୍ତି ଏବେ ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି ।

ସେହିପରି ରାଜ୍ୟର ୬୭୯୮ଟି ଗ୍ରାମପଞ୍ଚାୟତ ଲାଗି ପ୍ରତି ପଞ୍ଚାୟତରେ ଜଣେ କରି ସରପଞ୍ଚ, ନାଏବ ସରପଞ୍ଚ ଓ ସମିତି ସଭ୍ୟ ନିର୍ବାଚିତ ହେବେ । ଏ କ୍ଷେତ୍ରରେ ବି ଅନୁରୂପ ହାରରେ ସଂରକ୍ଷଣ ବ୍ୟବସ୍ଥା ରଖାଯିବ । ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟରେ ୧୧୮ଟି ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରହିଥିବାରୁ ଅନ୍ୟବର୍ଗର ଆଶାୟୀମାନଙ୍କ ଚିନ୍ତା ବଢିଯାଇଛି ।

ପ୍ରତି ପଞ୍ଚାୟତରେ ଥିବା ୱାର୍ଡ ଗୁଡିକରୁ ଜଣେ କରି ୱାର୍ଡମେମ୍ବର ନିର୍ବାଚିତ ହେବେ । ଏହି ସଂଖ୍ୟା ୬୦ହଜାରରୁ ଅଧିକ ହେବ । ତେବେ ଏ କ୍ଷେତ୍ରରେ ସଂରକ୍ଷଣ ଆଞ୍ଚଳିକ ସ୍ତରରେ ହେବାର ଅଛି । ଏହାଛଡା ରାଜ୍ୟରେ ଥିବା ୮୫୩ଟି ଜିଲ୍ଲା ପରିଷଦ ଜୋନ୍‍ ମଧ୍ୟ ୪୨୬ଟି ଆସନ ଏସଟି, ଏସ୍‍ସି ଓ ଏସ୍‍ଇବିସିଙ୍କ ପାଇଁ ସଂରକ୍ଷିତ ରହିବ ।

ସାଧାରଣତଃ ଓଡିଶାରେ ଜନସଂଖ୍ୟା ଦୃଷ୍ଟିରୁ ଏସ୍‍ଇବିସିଙ୍କର ସଂଖ୍ୟା ଅଧିକ ରହୁଥିବାରୁ ଏହି ବର୍ଗର ପ୍ରାର୍ଥୀମାନେ ବହୁ ସ୍ଥାନରେ ବିଭିନ୍ନ ପଦ ପଦବୀ ପାଇଁ ଅଣସଂରକ୍ଷିତ ଆସନରୁ ମଧ୍ୟ ଜିଣିଥାନ୍ତି । ତେବେ ପଞ୍ଚାୟତିରାଜ ନିର୍ବାଚନ ଲାଗି ଆଉ ପ୍ରାୟ ୬ମାସ ସମୟ ଥିବା ପରିପ୍ରେକ୍ଷୀରେ ନିର୍ବାଚନମଣ୍ଡଳୀ ୱାରୀ ସଂରକ୍ଷଣ ତାଲିକା ପ୍ରକାଶ ପାଇନଥିବାରୁ ଆଶାୟୀମାନଙ୍କ ରକ୍ତଚାପ ସଂରକ୍ଷଣ ଡରରେ ବଢିବାରେ ଲାଗିଛି । ତେବେ ଚଳିତମାସ ଶେଷସୁଦ୍ଧା ଏହା ସ୍ପଷ୍ଟ ହୋଇଯିବା ଆଶା କରାଯାଉଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here