Home News in Odia ପଞ୍ଚାୟତ ନିର୍ବାଚନ ପାଇଁ ଫ୍ଲେକ୍ସ ଟଙ୍ଗା ହେଲାଣି

ପଞ୍ଚାୟତ ନିର୍ବାଚନ ପାଇଁ ଫ୍ଲେକ୍ସ ଟଙ୍ଗା ହେଲାଣି

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ କିମ୍ବା କେଉଁ ଦଳର କିଏ ପ୍ରାର୍ଥୀ ହେବେ ସେଥିଘେନି ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । ଏହା ସତ୍ୱେ ବି ଏବେ ଗାଁ ଗହଳର ଠାରୁ ଆରମ୍ଭକରି ସହର ବଜାର ପର୍ଯ୍ୟନ୍ତ ଚାରିଆଡେ ମାଳ ମାଳ ନେତା ଓ ସମ୍ଭାବ୍ୟ ପ୍ରାର୍ଥୀଙ୍କ ଫଟୋଚିତ୍ର ଥିବା ଫ୍ଲେକ୍ସମାନ ଦେଖିବାକୁ ମିଳୁଛି ।

ବିଶେଷକରି ଜନସମାଗମ ହେଉଥିବା ବିଭିନ୍ନ ଛକ, ଧର୍ମାନୁଷ୍ଠାନ ଓ ହାଟବଜାର ଆଦିର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକରେ ପ୍ରତିଯୋଗିତା ଭିତ୍ତିରେ ବ୍ୟାନର ଟଙ୍ଗା ଚାଲିଛି । ଏହି ବ୍ୟାନରଗୁଡିକରେ ଯେଉଁମାନଙ୍କର ଫଟୋଚିତ୍ର ଓ ନାମ ରହୁଛି ସେମାନେ କେଉଁଠୁ କେଉଁ ପଦବୀ ପାଇଁ ପ୍ରାର୍ଥୀ ହେବେ ତାହା ଲେଖାଯାଉନାହିଁ । ଆଗକୁ ନୂଆବର୍ଷ ଓ ବଡଦିନ ଆସୁଥିବାରୁ ଗାଁ ଗହଳର ନେତାମାନେ ଏହି ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇ ଏଭଳି ମାଳ ମାଳ ବ୍ୟାନର ଟାଙ୍ଗି ଚାଲିଛନ୍ତି ।

ଏବେ ଠାରୁ ଫ୍ଲେକ୍ସ ବ୍ୟାନର ତିଆରି କରୁଥିବା ସଂସ୍ଥାମାନଙ୍କ ଉପରେ କାମର ଚାପା ଢେର ଅଧିକ ରହିଥିବାବେଳେ ପଞ୍ଚାୟତ ନିର୍ବାଚନ ବେଳକୁ ଆଉ କେତେ ବ୍ୟାନର ତିଆରି ହେବ ତାହା କଳ୍ପନା କରିବା ମୁସ୍କିଲ । ବିଭିନ୍ନ ଦଳର ଯେଉଁ ସ୍ଥାନୀୟ ନେତାମାନେ ନିଜକୁ ସମ୍ଭାବ୍ୟ ପ୍ରାର୍ଥୀ ଭାବି ବ୍ୟାନର ପୋଷ୍ଟର ଲଗାଉଛନ୍ତି ସେମାନେ ସେଥିରେ ନିଜ ନିଜ ଦଳର ସର୍ବୋଚ୍ଚ ନେତାଙ୍କ ଠାରୁ ଆରମ୍ଭକରି ସ୍ଥାନୀୟ ନେତାମାନଙ୍କ ଫଟୋ ବି ରଖୁଛନ୍ତି ।

ବିଜେଡି ନେତାମାନଙ୍କ ବ୍ୟାନରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ମନ୍ତ୍ରୀ ଓ ବିଧାୟକ ଏବଂ ଅନ୍ୟ ପ୍ରଭାବଶାଳୀ ନେତାମାନଙ୍କ ମାଳ ମାଳ ଫଟୋ ରହୁଛି । ଏମିତିକି ଶଙ୍ଖ ଚିହ୍ନ ସହ ବିଜୁ ବାବୁଙ୍କ ଫଟୋ ଥିବା ଅନେକ ଫ୍ଲେକ୍ସ ବି କଳାହାଣ୍ଡି, ମାଲକାନଗିରି, ସୁନ୍ଦରଗଡ ଠାରୁ ଆରମ୍ଭକରି ବାଲେଶ୍ୱର, ପୁରୀ, କଟକ ଆଦି ଜିଲ୍ଲାର ଗାଁ ଗହଳରେ ଦେଖିବାକୁ ମିଳୁଛି ।

ଏହି ପ୍ରତିଯୋଗିତାରେ ବିଜେପି ବି ପଛରେ ନାହିଁ । ବିଜେପି ସମର୍ଥକଙ୍କ ଫ୍ଲେକ୍ସରେ ଅଟଳ ବିହାରୀ ବାଜପେୟୀ, ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭକରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ନେତାମାନଙ୍କର ଫଟୋ ବି ଦେଖିବାକୁ ମିଳୁଛି । ସେହିପରି କଂଗ୍ରେସ ସମର୍ଥିତ ଆଶାୟୀ ପ୍ରାର୍ଥୀମାନେ ବି ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧୀ, ଇନ୍ଦିରା ଗାନ୍ଧୀ ଆଦିଙ୍କ ଫଟୋ ସହ ନିଜ ଫଟୋକୁ ଯୋଡି ବ୍ୟାନର ଟଙ୍ଗାଇବାରେ ବ୍ୟସ୍ତ ।

ଏବେ ନୂଆବର୍ଷ ପାଖେଇ ଆସୁଥିବାରୁ ବିଭିନ୍ନ ଜିଲ୍ଲାର ପ୍ରମୁଖ ସ୍ଥାନ ଗୁଡିକରେ ଆଶାୟୀ ଦଳୀୟ ପ୍ରାର୍ଥୀମାନେ ବଡ ବଡ ତୋରଣ ତିଆରି ପାଇଁ ବାଉଁଶ ପୋତିଲେଣି । ମୋଟାମୋଟି ଭାବେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ କି ଦଳୀୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇନଥିଲେ ମଧ୍ୟ ସମଗ୍ର ରାଜ୍ୟରେ ଏହି ନିର୍ବାଚନକୁ ନେଇ ଗାଁ ସ୍ତରର ରାଜନୀତି ବେଶ୍‍ ସରଗରମ ହେବାରେ ଲାଗିଛି ଏବଂ ଦିନକୁ ଦିନ ବଢି ଚାଲୁଥିବା ରଙ୍ଗ ବେରଙ୍ଗର ଫ୍ଲେକ୍ସ ବ୍ୟାନର ସଂଖ୍ୟାରୁ ଏହା ପ୍ରମାଣିତ ହେଉଛି । ଏଠାରେ ଉଲ୍ଲେଖନୀୟ ଯେ ୮୫୩ଟି ଜିଲ୍ଲା ପରିଷଦ ଜୋନ୍‍ ସଦସ୍ୟ, ୬୭୯୪ଟି ସରପଞ୍ଚ, ୬୭୯୪ଟି ସମିତି ସଦସ୍ୟ ଓ ୯୧,୯୧୬ଟି ୱାର୍ଡମେମ୍ବର ପଦବୀପାଇଁ ନିର୍ବାଚନ ହେଉଛି । (ତଥ୍ୟ)