Home News in Odia ପଞ୍ଚାୟତ ନିର୍ବାଚନ ପାଇଁ ତିନି ଦଳ ଉତ୍ସାହିତ

ପଞ୍ଚାୟତ ନିର୍ବାଚନ ପାଇଁ ତିନି ଦଳ ଉତ୍ସାହିତ

ଭୁବନେଶ୍ୱର : ଚାରୋଟି ବିଧାନସଭା ଉପନିର୍ବାଚନରେ ବିଜୟ ଲାଭ କରିଥିବା ବିଜୁ ଜନତା ଦଳ (ବିଜେଡି) ଏବେ ପଞ୍ଚାୟତ ଓ ପୌର ନିର୍ବାଚନ ଘେନି ବେଶ୍‍ ଉତ୍ସାହିତ । ଇତିମଧ୍ୟରେ ବିଜେଡି ପଞ୍ଚାୟତ ଓ ପୌରସଂସ୍ଥା ଗୁଡିକର ସମସ୍ତ ୱାର୍ଡରେ ତାହାର ସଂଗଠନକୁ ମଜଭୁତ କରିଥିବା ବେଳେ ବିଜେପି ମଧ୍ୟ ବୁଥସ୍ତରୀୟ କମିଟି ଗଠନ କରିସାରିଲାଣି । ତେବେ ଏହି ପ୍ରସ୍ତୁତିରେ କଂଗ୍ରେସ ଦଳ ବେଶ୍‍ ପଛରେ ପଡିଥିବା ଲକ୍ଷ୍ୟ କରାଯାଉଛି ।

ପଞ୍ଚାୟତ ନିର୍ବାଚନ ପାଇଁ ସରକାରୀ ବିଜ୍ଞପ୍ତି ଯେକୌଣସି ସମୟରେ ପ୍ରକାଶ ପାଇପାରେ । ପ୍ରାୟ ୬ ମାସ ଧରି ବିଜେଡି ନିର୍ବାଚନକୁ ଆଖିଆଗରେ ରଖି ପ୍ରତ୍ୟେକ ଜିଲ୍ଲା ଲାଗି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତି କରିବା ସହ ବ୍ଲକ୍‍, ପୌରସଂସ୍ଥା ଓ ପଞ୍ଚାୟତସ୍ତରରେ ମଧ୍ୟ ତାହାର ସ୍ଥିତି ସୁଦୃଢ଼ କରିବାରେ ଲାଗିଛି । ବିଶେଷକରି ଅନ୍ୟ ଦଳରୁ ବହୁ ନେତା ଓ କର୍ମୀଙ୍କୁ ଇତିମଧ୍ୟରେ ବିଜେଡି ନିଜ ଆଡକୁ ଟାଣିବାରେ ସକ୍ଷମ ହୋଇଛି ।

ସାଧାରଣ ନିର୍ବାଚନ ପରେ ହୋଇଥିବା ବିଜେପୁର, ବାଲେଶ୍ୱର, ତିର୍ତ୍ତୋଲ ଓ ପିପିଲି ବିଧାନସଭା ଉପନିର୍ବାଚନରେ ବିଜେଡି ତାହାର ଦୁଇଟି ଆସନ ବଜାୟ ରଖିବା ସହ ବିଜେପିଠାରୁ ଗୋଟିଏ ଆସନ ଛଡାଇ ନେଇଛି । ଏହି ତିନୋଟିଯାକ ଆସନରେ ଗତ ସାଧାରଣ ନିର୍ବାଚନ ତୁଳନାରେ ବିଜେଡି ବେଶ୍‍ ଭଲ ଭୋଟ ପାଇଛି । ବିଶେଷକରି ବାଲେଶ୍ୱର ଆସନକୁ ବଜାୟ ରଖିବା ସହ ପିପିଲି ଆସନ ଛଡାଇ ନେବା ପାଇଁ ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ କରି ସେଥିରେ ବିଫଳ ହୋଇଛି ।

ତିର୍ତ୍ତୋଲ ଆସନରେ କଂଗ୍ରେସ ପ୍ରାର୍ଥୀ ହାରିଥିଲେ ମଧ୍ୟ ଅପେକ୍ଷାକୃତ ଅଧିକ ଭୋଟ ପାଇଥିବା ବେଳେ ବାଲେଶ୍ୱର ଓ ପିପିଲିରେ ଏହି ଦଳର ପ୍ରାର୍ଥୀ ଅମାନତ ହରାଇଛନ୍ତି । ଏହି ତିନୋଟି ବିଧାନସଭା ଉପନିର୍ବାଚନର ଫଳାଫଳ ବିଜେଡିକୁ ବେଶ୍‍ ଉତ୍ସାହିତ କରିଥିବା ବେଳେ ବିରୋଧୀ ଦଳମାନଙ୍କୁ ସେମାନଙ୍କ ଗଡ ରକ୍ଷାଲାଗି ଆହ୍ୱାନ ଭଳି ହୋଇଛି ।

ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ୮ଟି ଜିଲ୍ଲା ଗସ୍ତକରି ବିଭିନ୍ନ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଯୋଗୁଁ ସଂପୃକ୍ତ ଜିଲ୍ଲାଗୁଡିକରେ ବିଜେଡିର ତଳସ୍ତରର କର୍ମୀମାନଙ୍କ ଉତ୍ସାହ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁଙ୍କ ସମେତ ବିଜେପିର ସାଂସଦ ଓ ବିଧାୟକମାନେ ବିଭିନ୍ନ ଅଞ୍ଚଳକୁ ବାରମ୍ବାର ଗସ୍ତକରି ବିଜେପି ଗଡକୁ ନିରାପଦ ରଖିବା ଲାଗି ଉଦ୍ୟମ ଚଳାଇଛନ୍ତି । ବିଜେଡି ଭଳି ବିଜେପିର ପ୍ରଭାରୀମାନେ ବି ରାତିଦିନ ଏକ କରି ଦଳର ଇଜ୍ଜତ ରକ୍ଷା ଲାଗି କାମ କରୁଛନ୍ତି ।

ଅନ୍ୟପକ୍ଷରେ ପ୍ରାୟ ପ୍ରତି ୱାର୍ଡରେ କଂଗ୍ରେସର ଉପସ୍ଥିତି ଥିଲେ ମଧ୍ୟ ବିଭିନ୍ନ କାରଣରୁ ଦଳର ଭୋଟ ବ୍ୟାଙ୍କକୁ ଏକଜୁଟ କରାଯାଇପାରୁ ନାହିଁ । ମୁଣ୍ଡ ଉପରେ ପଞ୍ଚାୟତ ଓ ପୌର ନିର୍ବାଚନର ଖଣ୍ଡା ଝୁଲୁଥିବା ବେଳେ କଂଗ୍ରେସ ଦଳ ଭିତରେ ନେତୃତ୍ୱ କନ୍ଦଳ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ।

ଏଠାରେ ଉଲ୍ଲେଖନୀୟ ଯେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଅନ୍ୟୂନ ୨୦ଟି ଜିଲ୍ଲା ପରିଷଦ ଦଖଲ କରିଥିବା ବେଳେ ବିଜେପି ୯ଟି ଓ କଂଗ୍ରେସ ଗୋଟିଏ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନକୁ ନିଜ କବ୍‍ଜାରେ ରଖିଥିଲା । ଏଥର ସ୍ଥିତି ଗତ ନିର୍ବାଚନ ଅପେକ୍ଷା ଅଧିକ ଭଲ ହେବ ବୋଲି ଉଭୟ ବିଜେପି ଓ କଂଗ୍ରେସର ସ୍ଥାନୀୟ ନେତାମାନେ ଆଶା ରଖିଛନ୍ତି ।

ବିଶେଷକରି ଗତ ସାଧାରଣ ନିର୍ବାଚନରେ ବିଜେପି ୮ଟି ଲୋକସଭା ଆସନ ଜିଣିବା ସହ ବିଧାନସଭାରେ ଦ୍ୱିତୀୟ ସ୍ଥାନ ଅଧିକାର କରି କଂଗ୍ରେସଠାରୁ ବିରୋଧୀ ଦଳ ନେତା ପଦବୀ ଛଡାଇ ନେଇଛି । ଏ ପରିପ୍ରେକ୍ଷୀରେ ଦ୍ୱିତୀୟ ସ୍ଥାନରେ ଏହି ଦୁଇଦଳ ମଧ୍ୟରୁ କିଏ ରହିବ ସେଥି ଘେନି ସେମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ଏବଂ ବିଜେଡି ୩୦ଟି ଯାକ ଜିଲ୍ଲା ପରିଷଦ ଉପରେ ନଜର ରଖିଥିଲେ ମଧ୍ୟ ଅନ୍ୟୂନ ୨୫ଟି ଦଖଲ କରିବ ବୋଲି ଏହି ଦଳର ନେତାମାନେ କହୁଛନ୍ତି । (ତଥ୍ୟ)