Home Finance ପଞ୍ଚାୟତିରାଜ ଅନୁଷ୍ଠାନକୁ ଯାଇଛି ୨୬ହଜାର କୋଟି

ପଞ୍ଚାୟତିରାଜ ଅନୁଷ୍ଠାନକୁ ଯାଇଛି ୨୬ହଜାର କୋଟି

ଭୁବନେଶ୍ୱର କେନ୍ଦ୍ର ଏବଂ ରାଜ୍ୟ ଅର୍ଥ କମିଶନଙ୍କ ଅନୁଦାନ ଆକାରରେ ୨୦୧୦-୧୧ ରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକ ନିକଟକୁ ୨୬,୩୦୮ କୋଟି ଟଙ୍କା ଯାଇଛି । ସରକାରୀ ହିସାବ ଅନୁଯାୟୀ ତ୍ରୟୋଦଶ, ଚତୁର୍ଦ୍ଦଶ ଓ ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିଶନଙ୍କ ପକ୍ଷରୁ ଏ ବାବଦରେ ୧୩,୫୧୮କୋଟି ୧୭ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ଅନୁରୂପ ଭାବେ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ପକ୍ଷରୁ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକୁ ୧୨,୭୮୯ କୋଟି ୭୩ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ୨୦୧୦-୧୧ ମସିହାରେ ତୃତୀୟ ରାଜ୍ୟ ଅର୍ଥ କମିଶନ ଆରମ୍ଭ ହୋଇଥିବାବେଳେ ଏହା ୨୦୨୪-୧୫ ପର୍ଯ୍ୟନ୍ତ ବଳବତ୍ତର ଥିଲା । ଏହି ପାଞ୍ଚବର୍ଷ ମଧ୍ୟରେ ପଞ୍ଚାୟତିରାଜ ସଂସ୍ଥାଗୁଡିକୁ ପ୍ରତିବର୍ଷ ୫୮୪କୋଟି ଟଙ୍କା ହିସାବରେ ୨୯୨୦ କୋଟି ଟଙ୍କା ଦିଆଯାଇଛି ।

ଚତୁର୍ଥ ରାଜ୍ୟ ଅର୍ଥ କମିଶନ, ଯାହାକି ୨୦୧୫-୧୬ ରୁ ୨୦୧୯-୨୦ ପର୍ଯ୍ୟନ୍ତ ଥିଲା ସେହି ସମୟରେ ରାଜ୍ୟର ପଞ୍ଚାୟତିରାଜ ସଂସ୍ଥାକୁ ୭୩୭୯କୋଟି ୩୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଉଭୟ ତୃତୀୟ ଓ ଚତୁର୍ଥ ରାଜ୍ୟ ଅର୍ଥ କମିଶନଙ୍କ ୧୦ବର୍ଷ କାର୍ଯ୍ୟକାଳ ମଧ୍ୟରେ ମୋଟ୍‍ ୧୦,୨୯୯ କୋଟି ଟଙ୍କା ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକ ପାଇଛନ୍ତି । ୨୦୨୦-୨୧ ବର୍ଷରୁ ଆରମ୍ଭ ହୋଇଥିବା ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସମୟରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକ ଲାଗି ୨୪୯୦କୋଟି ୪୩ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ।

୨୦୧୦ ରୁ ୨୦୧୫ ମଧ୍ୟରେ ୧୩ତମ କେନ୍ଦ୍ରୀୟ ଅର୍ଥ କମିଶନ ପଞ୍ଚାୟତିରାଜ ସଂସ୍ଥାଗୁଡିକୁ ୨୧୦୭କୋଟି ୧୬ଲକ୍ଷ ଟଙ୍କା ଦେଇଥିବାବେଳେ ୧୪ତମ କେନ୍ଦ୍ରୀୟ ଅର୍ଥ କମିଶନଙ୍କ ସମୟରେ ଏହା ୭୯୬୫ କୋଟି ୩୦ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା । ତେବେ ଓଡିଶାର ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକ ପାଇଁ ପଞ୍ଚଦଶ ଅର୍ଥ କମିଶନ ୩୪୪୬କୋଟି ୭୧ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ୨୦୨୦-୨୧ ବର୍ଷରେ ୨୨୫୮ କୋଟି ଟଙ୍କା ପଞ୍ଚାୟତିରାଜ ଅନୁଷ୍ଠାନକୁ ପଠାଯାଇଥିବାବେଳେ ଚଳିତ ଆର୍ôଥକ ବର୍ଷରେ ୧୧୮୮କୋଟି ୭୧ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ।

ତେବେ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ଯୋଗାଇଥିବା ୩୪୪୬କୋଟି ୭୧ଲକ୍ଷ ଟଙ୍କା ମଧ୍ୟରୁ ୧୩୦୮କୋଟି ୧୫ଲକ୍ଷ ଟଙ୍କା ରାଜ୍ୟର ପଞ୍ଚାୟତିରାଜ ସଂସ୍ଥାଗୁଡିକ ଖର୍ଚ୍ଚ କରିସାରିଲେଣି । ଅନୁରୂପ ଭାବେ ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ଅର୍ଥରୁ ମଧ୍ୟ ୩୮୫କୋଟି ଟଙ୍କା ବ୍ୟୟ ହୋଇପାରିଛି । (ତଥ୍ୟ)