Home Election ପଞ୍ଚାୟତରେ ହୋଇପାରୁନି ଶକ୍ତି ପ୍ରଦର୍ଶନ

ପଞ୍ଚାୟତରେ ହୋଇପାରୁନି ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏଥର ପ୍ରାର୍ଥୀ ସ ଦଳମାନେ ଶକ୍ତି ପ୍ରଦର୍ଶନରୁ ବଞ୍ଚିତ ହୋଇଛନ୍ତି । ନିର୍ବାଚନ କମିଶନଙ୍କ କଟକଣା ଯୋଗୁଁ ବାହୁବଳୀ ପ୍ରାର୍ଥୀମାନେ ଚାହିଁଲେ ବି ବଡ ଧରଣର ସଭା କିମ୍ବା ଶୋଭାଯାତ୍ରା କରିପାରୁ ନାହାନ୍ତି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ନିର୍ବାଚନରେ ରାଜ୍ୟ ନିର୍ବାଚନ କମିଶନ ସଭା ଶୋଭାଯାତ୍ରା ଉପରେ କଡା କଟକଣା ଲଗାଇଛନ୍ତି । ମାତ୍ର ୫ଜଣଙ୍କୁ ନେଇ ନିର୍ବାଚନ ପ୍ରଚାର ପାଇଁ ଅନୁମତି ମିଳିଥିବାବେଳେ ଡିଜିଟାଲ ପ୍ରଚାର ଉପରେ ଜୋର ଦିଆଯାଉଛି । ତେଣୁ ଦଳୀୟ ଚିହ୍ନରେ ଲଢୁଥିବା ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ର୍ନିଦଳୀୟ ଚିହ୍ନରେ ଲଢୁଥିବା ସମିତିସଭ୍ୟ, ସରପଞ୍ଚ ଓ ୱାର୍ଡମେମ୍ବରମାନେ ଏଥର ନିଜ ନିଜ ଗାଁରେ ଛୋଟକାଟର ରାଲିଟିଏ ବି ବାହାର କରିପାରୁ ନାହାନ୍ତି ।

ପୂର୍ବ ନିର୍ବାଚନଗୁଡିକରେ ନାମାଙ୍କନପତ୍ର ଦାଖଲ ଠାରୁ ଆରମ୍ଭ କରି ବିଜୟ ଶୋଭାଯାତ୍ରା ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଗାଁ ଗହଳରେ ଜୋରଦାର ଶକ୍ତି ପ୍ରଦର୍ଶନ କରୁଥିଲେ । ପଦଯାତ୍ରା ଠାରୁ ଆରମ୍ଭ କରି ଦୁଇ ଚକିଆ ଓ ଚାରିଚକିଆ ଯାନରେ ବିଶାଳ ରାଲି କରୁଥିଲେ । ଏଥିରୁ କେଉଁ ପ୍ରାର୍ଥୀଙ୍କର କେତେ ଦମ୍‍ ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଥିଲା । ଅବଶ୍ୟ ଏହାକୁ ନେଇ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ପରିସ୍ଥିତି ବି ଉପୁଜୁଥିଲା । ବହୁ ସ୍ଥାନରେ ସ୍ଥାନୀୟ ପୁଲିସ୍‍ ଶୋଭାଯାତ୍ରାଗୁଡିକରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ନିଜ ଆଡୁ ମୁତୟନ ହେଉଥିଲେ ।

ଚଳିତ ନିର୍ବାଚନରେ ଶକ୍ତି ପ୍ରଦର୍ଶନ ନଥିବାରୁ ପୁଲିସ୍‍ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଏକ ପ୍ରକାର ଶାନ୍ତିରେ ନିଶ୍ୱାସ ମାରୁଛନ୍ତି । ହେଲେ ନିର୍ବାଚନ ପ୍ରଚାରକୁ ନେଇ ଯେଭଳି ଉଷ୍ମ ବାତାବରଣ ସୃଷ୍ଟି ହେଉଥିଲା ତାହା ଆଉ ଲକ୍ଷ୍ୟ କରାଯାଉ ନାହିଁ । ଏପରିକି ଶବ୍ଦ ପ୍ରଦୂଷଣ ଭୟରେ ଅନେକ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ମାଇକ୍‍ କିମ୍ବା ଡିଜେ ବଜାଇବାକୁ ସାହସ କୁଳାଇ ପାରୁନାହାନ୍ତି ।

ଅନ୍ୟ ପକ୍ଷରେ ଡିଜିଟାଲ ପ୍ରଚାର ସହିତ ଘରକୁ ଘର ବୁଲି ପ୍ରଚାର ଉପରେ ଜୋର ଦିଆଯାଉଥିବାରୁ ପ୍ରାର୍ଥୀମାନେ ସାଙ୍ଗରେ ଜଣେ ଦୁଇ ଜଣଙ୍କୁ ଧରି ବୁଲୁଥିବା ଲକ୍ଷ୍ୟ କରାଯାଉଛି । ଏଥିପାଇଁ ଚଳିତବର୍ଷ ବ୍ୟାପକ ସଂଖ୍ୟା ଛୋଟ ଛୋଟ କାର୍ଡ ଛପାଇବାକୁ ପଡୁଥିବାବେଳେ ସଂଖ୍ୟାଧିକ ପ୍ରାର୍ଥୀ କିନ୍ତୁ ଫେସବୁକ୍‍, ହ୍ୱାଟସ୍‍ଆପ୍‍ ଭଳି ସୋସିଆଲ ମିଡିଆର ସହାୟତା ନେଉଛନ୍ତି ।

ଏଥି ସହିତ ମତଦାନ ପୂର୍ବରୁ ବିଭିନ୍ନ ସ୍ଥାନରେ ଆଖିଦୃଶିଆ ଫ୍ଲେକ୍ସ ଓ ବ୍ୟାନର ଟାଣିବାପାଇଁ ବି ଯୋଜନା ହେଉଛି । ତେବେ ଚଳିତ ନିର୍ବାଚନରେ ସଭା ଶୋଭାଯାତ୍ରା ଉପରେ କଡା କଟକଣା ଲାଗିଥିବାରୁ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଯେଭଳି ପଟୁଆର ବାହାର କରିଥାନ୍ତି ଚଳିତ ନିର୍ବାଚନରେ ତାହା ଆଉ ଦେଖିବାକୁ ମିଳିବ ନାହିଁ ।

କଟକଣା ସତ୍ୱେ କାଳେ କେଉଁ ପ୍ରାର୍ଥୀ କିମ୍ବା ଦଳ ସଭା ଶୋଭାଯାତ୍ରା କରିବେ ତାହା ଉପରେ ଅନ୍ୟ ପ୍ରାର୍ଥୀ ଓ ଦଳମାନେ କଡା ନଜର ରଖିଛନ୍ତି । କେଉଁଠାରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଲେ ତୁରନ୍ତ ମୋବାଇଲ୍‍ରେ ତାହାର ଫଟୋ ଉତ୍ତୋଳନ କରି ନିର୍ବାଚନ କମିଶନଙ୍କ ନିକଟରେ ହାଜର ହେଉଥିବାରୁ ଗାଁ ଗହଳର ପ୍ରାର୍ଥୀ ବି ଭୟରେ ସଭା ଶୋଯାତ୍ରା ଜରିଆରେ ଶକ୍ତି ପ୍ରଦର୍ଶନ ଠାରୁ ଦୂରରେ ଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)