Home General ପଛୁଆବର୍ଗ ସଂରକ୍ଷଣର ସାପ ଶିଡ଼ି ଖେଳ

ପଛୁଆବର୍ଗ ସଂରକ୍ଷଣର ସାପ ଶିଡ଼ି ଖେଳ

ଭୁବନେଶ୍ୱର : ପଛୁଆବର୍ଗଙ୍କ ପାଇଁ ସରକାରୀ ଚାକିରିରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ଓଡ଼ିଶା ସରକାର ବାରମ୍ବାର ଉଦ୍ୟମ କରୁଥିବା ବେଳେ ଆଇନ୍‍ ଅଦାଲତର ଛାଟ ଯୋଗୁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ । ଏ ପ୍ରସଙ୍ଗରେ କେନ୍ଦ୍ରରେ ସରକାର ଚଳାଉଥିବା ବିଜେପିର ରାଜ୍ୟ ନେତାମାନେ ଓଡ଼ିଶା ସରକାରଙ୍କ ଉପରକୁ ଅଙ୍ଗୁଳି ଉଠାଉଥିବା ବେଳେ କେନ୍ଦ୍ର ସରକାରଙ୍କ ଅସହଯୋଗ କାରଣରୁ ଏହା ହୋଇପାରୁନାହିଁ ବୋଲି ଆଇନ୍‍ ବିଶାରଦମାନେ କହୁଛନ୍ତି ।

ମଣ୍ଡଳ କମିଶନଙ୍କ ସୁପାରିଶ କାର୍ଯ୍ୟକାରୀ କରି ବିଶ୍ୱନାଥ ପ୍ରତାପ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ କେନ୍ଦ୍ର ସରକାର ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ଆସନ ସଂରକ୍ଷଣ କରିଥିଲେ । ସଂରକ୍ଷଣ ସୀମା ୫୦ ପ୍ରତିଶତରେ ରଖିବା ପାଇଁ ସୁପ୍ରିମ୍‍କୋର୍ଟର ସାମ୍ବିଧାନିକ ବେଞ୍ଚର ରାୟକୁ ଆଖିଆଗରେ ରଖି ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଲାଗି କେନ୍ଦ୍ର ସରକାରୀ ଚାକିରିରେ ୨୨.୫ ପ୍ରତିଶତ ଆସନ ସଂରକ୍ଷଣ ଥିବା ପରିପ୍ରେକ୍ଷୀରେ ପଛୁଆବର୍ଗଙ୍କ ଲାଗି ୨୭ ପ୍ରତିଶତ ବ୍ୟବସ୍ଥା କରାଯାଇଥିଲା । ଅନ୍ୟପକ୍ଷରେ ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଲାଗି ୩୮.୭୫ ପ୍ରତିଶତ ସ୍ଥାନ ସଂରକ୍ଷଣ ଥିବା ବେଳେ ଏଠାରେ ୨୭ ପ୍ରତିଶତ ଲାଗୁ କରାଗଲେ ମୋଟ୍‍ ସଂରକ୍ଷଣ ୨୫ ପ୍ରତିଶତ ସୀମା ଡେଇଁ ୬୫.୭୫ ପ୍ରତିଶତରେ ପହଞ୍ଚିଯିବ ।

ଏ ପ୍ରସଙ୍ଗରେ ସୂଚନା ଦେଇ ପ୍ରଶାସନିକ ଓ ସଂରକ୍ଷଣ ଆଇନ୍‍ ବିଶେଷଜ୍ଞ ପ୍ରହଲାଦ କୁମାର ସିଂହ କହିଛନ୍ତି ଯେ ନବେଦଶକରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଓଡ଼ିଶା ସରକାର ଜଷ୍ଟିସ୍‍ ନବ କୁମାର ଦାସ କମିଶନ ବସାଇଥିଲେ ଏବଂ ଏହି କମିଶନଙ୍କ ସୁପାରିଶ ଆଧାରରେ ୧୯୯୩ ମସିହାରେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ସୀମାକୁ ଆଖି ଆଗରେ ରଖି କରାଯାଇଥିଲା । ପରବର୍ତ୍ତୀ ସମୟରେ ୧୯୯୪ରେ ଏହାକୁ ୨୭ ପ୍ରତିଶତକୁ ବଢ଼ା ଯାଇଥିଲା ।

ତେବେ ଏହି ପ୍ରସଙ୍ଗ ସ୍ୟାଟ୍‍, ହାଇକୋର୍ଟ ଏବଂ ସୁପ୍ରିମ୍‍କୋର୍ଟରେ ନିଷ୍ପତ୍ତି ହେବା ପରେ ପୁଣି ରାଜ୍ୟ ସରକାର ପଛୁଆବର୍ଗଙ୍କ ସଂରକ୍ଷଣକୁ ୧୧.୨୫ ପ୍ରତିଶତକୁ ହ୍ରାସ କରିଥିଲେ । ପରବର୍ତ୍ତୀ ସମୟରେ ୨୦୦୮ରେ ରାଜ୍ୟ ସରକାର ଏକ ବିଧିବଦ୍ଧ ଆଇନ୍‍ ପ୍ରଣୟନ କରି ପୁଣି ପଛୁଆବର୍ଗଙ୍କ ଲାଗି ଚାକିରିରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ଏହା ସ୍ୟାଟ୍‍ ଓ ହାଇକୋର୍ଟରେ ବାତିଲ୍‍ ହେବା ପରେ ଏବେ ସୁପ୍ରିମ୍‍କୋର୍ଟରେ ବିଚାରାଧୀନ ରହିଛି । ଇତିମଧ୍ୟରେ ପୌର ନିର୍ବାଚନ ପାଇଁ ପଛୁଆବର୍ଗଙ୍କ ଲାଗି ରାଜ୍ୟ ସରକାର କରିଥିବା ୨୭ ପ୍ରତିଶତ ଆସନ ସଂରକ୍ଷଣକୁ ଆଇନ୍‍ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି ।

ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ଆଇନ୍‍ ଲାଗୁ କରିବା ପୂର୍ବରୁ ରାଜ୍ୟ ସରକାର ଏହାକୁ ତାମିଲନାଡ଼ୁ ସଂରକ୍ଷଣ ଆଇନ୍‍ ଭଳି ସମ୍ବିଧାନର ନବମ ଅନୁଚ୍ଛେଦରେ ସ୍ଥାନିତ କରିବାକୁ କେନ୍ଦ୍ର ସରକାରକୁ ପ୍ରସ୍ତାବ ଦେଇଥିଲେ । ପ୍ରାୟ ୧୨ ବର୍ଷ ଧରି ଏହି ପ୍ରସ୍ତାବ କେନ୍ଦ୍ର ସରକାର ଝୁଲାଇ ରଖିଛନ୍ତି । ଉଭୟ କଂଗ୍ରେସ ଓ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଅମଳରେ ଓଡ଼ିଶାର ଏହି ପ୍ରସ୍ତାବ ଦିଲ୍ଲୀ ଦରବାରରେ ପଡ଼ିରହିଛି ।

ମଝିରେ ମଝିରେ କେବଳ ଚିଠିପତ୍ର ଆଦାନ ପ୍ରଦାନ ଚାଲିଛି । ଅନ୍ୟପକ୍ଷରେ ଓଡ଼ିଶାରେ ସ୍ଥାନ ସଂରକ୍ଷଣ ପ୍ରସଙ୍ଗକୁ ନେଇ ରାଜନୈତିକ କାଦୁଅଫିଙ୍ଗା ଚାଲିଥିବା ବେଳେ ସମ୍ବିଧାନର ୧୬(୪) ଓ ୩୧ ଧାରା ଅନୁଯାୟୀ ଓଡ଼ିଶାର ଏହି ସ୍ଥାନ ସଂରକ୍ଷଣ ପ୍ରସ୍ତାବ କିଭଳି ସମ୍ବିଧାନର ନବମ ଅନୁଚ୍ଛେଦରେ ସ୍ଥାନିତ ହେବ ତାହା ଉପରେ କିନ୍ତୁ ବିଶେଷ ଗୁରୁତ୍ୱ ଦିଆଯାଉନାହିଁ ବୋଲି ସେ କହିଛନ୍ତି ।