Home News in Odia ପଛୁଆବର୍ଗଙ୍କ ପ୍ରତିନିଧିତ୍ୱ କମିବ

ପଛୁଆବର୍ଗଙ୍କ ପ୍ରତିନିଧିତ୍ୱ କମିବ

ଭୁବନେଶ୍ୱର : ପୌର ଓ ପଞ୍ଚାୟତ ନିର୍ବାଚନ ଆଇନ୍‍ରେ ଅଣା ଯାଇଥିବା ସଂଶୋଧନରେ ସଂରକ୍ଷଣ ସୀମା ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖାଯାଉଥିବାରୁ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପ୍ରତିନିଧିତ୍ୱ ପୂର୍ବପରି ରହୁଥିବାବେଳେ ପଛୁଆବର୍ଗଙ୍କ ପ୍ରତିନିଧିତ୍ୱ କମିବ ।

ରାଜ୍ୟରେ ଏବେ ୩୦ଟି ଜିଲ୍ଲା ପରିଷଦ ପଦବୀ ଥିବାବେଳେ ସମାନ ସଂଖ୍ୟକ ଉପାଧ୍ୟକ୍ଷ ପଦବୀ ରହିଛି । ଏଥିରୁ ଅତି ବେଶିରେ ୧୫ଟି ପର୍ଯ୍ୟନ୍ତ ଆସନ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ରହିବ । ଜନସଂଖ୍ୟା ଆଧାରରେ ଏହି ୧୫ଟି ସଂରକ୍ଷିତ ଆସନରୁ ଏସ୍‍ଟି ଓ ଏସ୍‍ସି ବର୍ଗଙ୍କ ଲାଗି ଅନ୍ୟୁନ ୧୨ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ସଂରକ୍ଷିତ ରହିବାକୁ ଯାଉଥିବାବେଳେ ପଛୁଆବର୍ଗଙ୍କ ପାଇଁ ଏହି ପଦବୀରେ ସଂରକ୍ଷଣ ୩ରେ ସୀମିତ ରହିବ ।

୩୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ମଧ୍ୟରୁ ଅନ୍ୟୁନ ୧୦ଟି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯିବ । ଏଥିରୁ ୫ଟି ଆସନରୁ ମହିଳା ପ୍ରାର୍ଥୀମାନେ ଅଣସଂରକ୍ଷିତ ଭାବେ ନିର୍ବାଚିତ ହେବାକୁ ଯାଉଥିବାବେଳେ ଏସ୍‍ଟି ଓ ଏସ୍‍ସି ବର୍ଗର ୪ଟି ଓ ପଛୁଆବର୍ଗଙ୍କ ପାଇଁ ଗୋଟିଏ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ରହିବ । ଅନୁରୂପ ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆସନ ମଧ୍ୟ ସଂରକ୍ଷିତ ହେବ । ତେବେ କେଉଁ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ଏବଂ କେଉଁ ଜୋନ୍‍ର ସଦସ୍ୟ ପଦବୀ ସବୁ କେଉଁ ବର୍ଗଙ୍କ ପାଇଁ ସଂରକ୍ଷିତ ରହିବ ତାହା ବିଜ୍ଞପ୍ତି ପ୍ରକାଶ ପରେ ଜଣାପଡିବ ।

ସେହିପରି ସଂଶୋଧିତ ଆଇନ୍‍ କାର୍ଯ୍ୟକାରୀ ହେଲେ ୩୧୪ଟି ବ୍ଲକରୁ ଅତି ବେଶିରେ ୧୫୭ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ଏସ୍‍ସି, ଏସ୍‍ଟି ଓ ଏସ୍‍ଇବିସିଙ୍କ ପାଇଁ ସଂରକ୍ଷିତ ରହିବ । ଏଥି ମଧ୍ୟରୁ ଅନ୍ୟୁନ ୧୦୪ଟି ବ୍ଲକରେ ସଂରକ୍ଷଣ ଆଧାରରେ ମହିଳାମାନେ ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦବୀ ମଣ୍ଡନ କରିବେ । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ୩୧୪ଟି ବ୍ଲକରୁ ୧୨୨ଟିରେ ଏସ୍‍ଟି ଓ ଏସ୍‍ସି ବର୍ଗର ଅଧ୍ୟକ୍ଷ ରହିବାକୁ ଯାଉଥିବାବେଳେ ସଂରକ୍ଷଣ କୋଟାରେ ଏସ୍‍ଇବିସିଙ୍କ ପାଇଁ ଅତି ବେଶିରେ ୩୫ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ରହିବ ।

ସେହିପରି ରାଜ୍ୟର ୬୭୯୮ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ଅତି ବେଶିରେ ୩୩୯୯ ଟିରେ ସଂରକ୍ଷଣ ଆଧାରରେ ଏସ୍‍ଟି, ଏସ୍‍ସି ଓ ଏସ୍‍ଇବିସି ବର୍ଗର ସରପଞ୍ଚ ଓ ସମିତି ସଦସ୍ୟ ରହିବେ । ଏଥିରେ ବି ମହିଳାଙ୍କର ସଂରକ୍ଷଣ ରହିଛି । ତେବେ ଏସ୍‍ଟିଏସ୍‍ସି ବର୍ଗଙ୍କ ପାଇଁ ଅନ୍ୟୁନ ୨୬୩୫ଟି କରି ସରପଞ୍ଚ ଓ ସମିତି ସଦସ୍ୟ ପଦବୀ ସଂରକ୍ଷିତ ହେବାକୁ ଯାଉଥିବାବେଳେ ଏସ୍‍ଇବିସି କୋଟାରେ ଅତି ବେଶିରେ ୭୬୪ କରି ସରପଞ୍ଚ ଓ ସମିତି ସଦସ୍ୟ ନିର୍ବାଚିତ ହେବେ ।

ରାଜ୍ୟରେ ଥିବା ୧୧୪ଟି ପୌର ସଂସ୍ଥା ରହିଛି । ଏଗୁଡିକ ମଧ୍ୟରେ ମହାନଗର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଛି । ଏଥର ଏଗୁଡିକର ଅଧ୍ୟକ୍ଷ ପଦବୀ ପାଇଁ ନୂଆ ଆଇନ୍‍ ଆଧାରରେ ସିଧାସଳଖ ନିର୍ବାଚନ କରାଯିବ । ତେବେ ସଂଶୋଧିତ ଆଇନ୍‍ ଆଧାରରେ ଏହି ପୌରସଂସ୍ଥାଗୁଡିକର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀରେ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ ହେବନାହିଁ । ସେହିପରି କାଉନସିଲର ଓ କର୍ପୋରେଟର ନିର୍ବାଚନର ସ୍ଥିତି ।

ମୋଟାମୋଟି ଭାବେ ଏହି ପୌରସଂସ୍ଥାଗୁଡିକ ମଧ୍ୟରୁ ଅତି ବେଶିରେ ୧୩ଟିରେ ଏସ୍‍ଇବିସି ବର୍ଗର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ରହିବେ । ଏସ୍‍ସି ଓ ଏସ୍‍ଟି ବର୍ଗଙ୍କ ପାଇଁ ୪୪ଟି କରି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ସଂରକ୍ଷିତ ରହିପାରେ । ଏଥିରେ ବି ମହିଳାମାନଙ୍କର ସଂରକ୍ଷଣ ଅଛି । ମୋଟାମୋଟି ଭାବେ ସଂଶୋଧିତ ଆଇନ୍‍ରେ ପୌର ଓ ପଞ୍ଚାୟତ ପାଇଁ ସଂରକ୍ଷଣସୀମା ୫୦ପ୍ରତିଶତ ଟପିବନାହିଁ ଓ ଏସ୍‍ଟି ଏସ୍‍ସିଙ୍କ ପାଇଁ ଏହା ୩୮.୭୫ ପ୍ରତିଶତ ରହୁଥିବାରୁ ପଛୁଆବର୍ଗଙ୍କ ଲାଗି ସଂରକ୍ଷଣ ୧୧.୨୫ ପ୍ରତିଶତ ମଧ୍ୟରେ ସୀମିତ ରହିପାରେ । (ତଥ୍ୟ)