Home Administration ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଯନ୍ତ୍ରୀଙ୍କୁ କୈଫତ

ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଯନ୍ତ୍ରୀଙ୍କୁ କୈଫତ

ଭୁବନେଶ୍ୱର : ପ୍ରଶାସନିକ ଅର୍ଥ ବ୍ୟୟ କ୍ଷେତ୍ରରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ୨୧ଟି ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀମାନଙ୍କୁ କୈଫତ ମଗାଯାଇଛି । ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏହି କୈଫତ ତଲବ କରିଥିବା ଜଣାଯାଇଛି ।

ଦୁର୍ବଳ ପ୍ରଦର୍ଶନ ପାଇଁ କୈଫତ ତଲବର ସମ୍ମୁଖୀନ ହୋଇଥିବା ଡିଭିଜନଗୁଡିକ ହେଲା ପୁରୀ, ଜଗତ୍‍ସିଂହପୁର, ଯାଜପୁର, ଗଜପତି, ମୋହନା, ମାଲକାନଗିରି-୧, ମାଲକାନଗିରି-୩, ନବରଙ୍ଗପୁର-୨, ଅନୁଗୁଳ, ଢେଙ୍କାନାଳ-୨, ସମ୍ବଲପୁର, କୁଚିଣ୍ଡା, ବରଗଡ, ଦେବଗଡ, ସୁନ୍ଦରଗଡ, ସୁନ୍ଦରଗଡ-୨, କେନ୍ଦୁଝର-୨, ବାରିପଦା, ରାଇରଙ୍ଗପୁର ଏବଂ ଜଳେଶ୍ୱର ।

ନିଜର ଅସନ୍ତୋଷ ପ୍ରକଟ କରିବା ସହିତ ସର୍ବୋଚ୍ଚ ଯନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଫେବୃୟାରୀ ୧୯ତାରିଖ ସୁଦ୍ଧା ଏହି ସମସ୍ତ ଡିଭିଜନରେ ଅଣଯୋଜନା ବ୍ୟୟ ୩୦ ପ୍ରତିଶତରୁ କମ୍‍ ରହିଛି । ବିଭାଗୀୟ ଯନ୍ତ୍ରୀମାନଙ୍କୁ ବାରମ୍ବାର ଅଣଯୋଜନା କାର୍ଯ୍ୟ ବଢାଇବା ସହିତ ଅର୍ଥ ବ୍ୟୟ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଯାହା ଲକ୍ଷ୍ୟ କରାଯାଉଛି ଯନ୍ତ୍ରୀମାନେ ଏଭଳି ନିର୍ଦ୍ଦେଶକୁ କର୍ଣ୍ଣପାତ ନକରିବା ଫଳରେ ବଜେଟ୍‍ରେ ବରାଦ ହୋଇଥିବା ଅଣଯୋଜନା ଅର୍ଥ ବ୍ୟୟ କ୍ଷେତ୍ରରେ ନୈରାଶ୍ୟଜନକ ସ୍ଥିତି ଦେଖାଦେଇଛି ।

ତେଣୁ ଏଭଳି ଦୁର୍ବଳ ପ୍ରଦର୍ଶନ କରିଥିବା ଯନ୍ତ୍ରୀମାନଙ୍କୁ କୁହାଯାଇଛି ଯେ ସରକାରୀ ଅର୍ଥ ବ୍ୟୟ କ୍ଷେତ୍ରରେ ସେମାନେ କାହିଁକି ଅପାରଗତା ପ୍ରଦର୍ଶନ କରିଛନ୍ତି ଏବଂ ଏଥିପାଇଁ କାହିଁକି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ଏ ସଂକ୍ରାନ୍ତରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀମାନଙ୍କ ଠାରୁ ସର୍ବୋଚ୍ଚ ଯନ୍ତ୍ରୀ ଉତ୍ତର ଚାହିଁଛନ୍ତି । କ୍ଷେତ୍ର ସ୍ତରରେ ଥିବା ଯନ୍ତ୍ରୀମାନଙ୍କୁ ଏଥିପାଇଁ ଉତ୍ତର ଦେବାକୁ କୁହାଯାଇଛି । ଉତ୍ତର ମିଳିଲା ପରେ ବିଧି ମୁତାବକ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏଠାରେ ଉଲ୍ଲେଖନୀୟ ଯେ କେଉଁ ଡିଭିଜନ କେତେ ଟଙ୍କା ବ୍ୟୟ କରୁଛନ୍ତି ନିୟମିତ ଭାବେ ତାହାର ସମୀକ୍ଷା କରାଯାଉଛି । ଉଭୟ ଯୋଜନା ଓ ଅଣଯୋଜନା ବ୍ୟୟର ପରିମାଣ ସଂକ୍ରାନ୍ତରେ ହୋଇଥିବା ସମୀକ୍ଷାରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଡିଭିଜନମାନଙ୍କୁ କୈଫତ ତଲବ କରାଯାଇଥିବା ଜଣାଯାଇଛି । (ତଥ୍ୟ)