Home Education ନୈତିକ ଶିକ୍ଷାରେ ସ୍ଥାନ ପାଇବ ନିଶା ନିବାରଣ

ନୈତିକ ଶିକ୍ଷାରେ ସ୍ଥାନ ପାଇବ ନିଶା ନିବାରଣ

ଭୁବନେଶ୍ୱର : କଲେଜଗୁଡିକରେ ନୈତିକ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାର ଯେଉଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି ସେଥିରେ ନିଶା ନିବାରଣକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ନିଶା ଯୋଗୁଁ ହେଉଥିବା ଭୟଙ୍କର କ୍ଷୟକ୍ଷତି ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବହିତ କରାଇବା ସହ ନିଶା ରାକ୍ଷାସ କବଳରେ ସେମାନେ ଯେଭଳି ନପଡିବେ ସେ ଦିଗରେ ଏହି ନୂତନ ବ୍ୟବସ୍ଥାରେ କଲେଜ ପିଲାଙ୍କୁ ପାଠ ପଢାଯିବ ।

ନିଶା ସହ ତାଳଦେଇ ବିଭିନ୍ନ ଅପରାଧ ଓ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଏହି ନୈତିକ ଶିକ୍ଷା କ୍ରମରେ ନାରୀମାନଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯିବ । ମହିଳା ସଶକ୍ତିକରଣ ଠାରୁ ଆରମ୍ଭ କରି ଘରେ ଓ ବାହାରେ ଝିଅମାନଙ୍କ ନିରାପତ୍ତା ଘେନି କଲେଜ ଛାତ୍ରଛାତ୍ରୀଙ୍କ ଭିତରେ ସଚେତନତା ସୃଷ୍ଟି କରିବାପାଇଁ ଏଥିରେ ବ୍ୟବସ୍ଥା ରହୁଥିବା ପ୍ରକାଶ ।

ଭାରତର ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ପବିତ୍ର ଗ୍ରନ୍ଥ ହୋଇଥିବାବେଳେ ସମ୍ବିଧାନର ମୁଖବନ୍ଧରେ ଯେଉଁ ବ୍ୟବସ୍ଥାମାନ ରହିଛି ସେ ସଂକ୍ରାନ୍ତରେ କଲେଜ ଛାତ୍ରଛାତ୍ରୀଙ୍କୁ ଅବହିତ କରାଇ ସୁସ୍ଥ ଓ ସ୍ୱଚ୍ଛ ଭାରତ ଗଠନରେ ସେମାନଙ୍କ ଯୋଗଦାନ ଯେଭଳି ରୁହେ ସେ ଦିଗରେ ମଧ୍ୟ ଚେତାଇ ଦିଆଯିବ । ବରିଷ୍ଠ ନାଗରିକ, ଶାରିରୀକ ଭିନ୍ନକ୍ଷମ, କିନ୍ନର ଓ ସେହିଭଳି ଅନ୍ୟ ଗୋଷ୍ଠି ପ୍ରତି ସମାଜରେ ଯେଭଳି ସମ୍ବେଦନଶୀଳତା ବୃଦ୍ଧି ପାଇବ ତାହା ଉପରେ ମଧ୍ୟ ଏହି ନୈତିକ ପାଠ୍ୟକ୍ରମରେ ଗୁରୁତ୍ୱ ଦିଆଯାଉଥିବା ଜଣାପଡିଛି ।

କଲେଜ କ୍ୟାମ୍ପସଗୁଡିକରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍‍ କି କଲେଜ ପ୍ରଶାସନ ନୁହେଁ, ଛାତ୍ରଛାତ୍ରୀମାନେ ଯେଭଳି ଦାୟିତ୍ୱ ନିର୍ବାହ କରିପାରିବେ ସେ ସଂକ୍ରାନ୍ତରେ ମଧ୍ୟ ଏହି ପାଠ୍ୟକ୍ରମରେ ବ୍ୟାପକ ତାଲିମ ଦିଆଯିବାର ଯୋଜନା ରହିଛି । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୈତିକ ଶିକ୍ଷାର ବିକାଶ ଘଟିଲେ ସେମାନେ ଭବିଷ୍ୟତ ଜୀବନରେ ସୁନାଗରିକ ହୋଇ ପରିବାର, ସମାଜ, ରାଜ୍ୟ ଓ ରାଷ୍ଟ୍ର ପ୍ରତି ଅନେକ କିଛି କରିପାରିବେ ବୋଲି କର୍ତ୍ତୃପକ୍ଷ ଆଶା ରଖୁଛନ୍ତି ।

ଏହି ପାଠ୍ୟକ୍ରମରେ ପରିବେଶ ସୁରକ୍ଷା ଓ ଜ୍ଞାନକୌଶଳ ପ୍ରୟୋଗ ସଂକ୍ରାନ୍ତରେ ସ୍ୱତନ୍ତ୍ର ବିଭାଗ ରଖାଯାଉଛି । ଏହାଛଡା ଆମ ବିଧିବିଧାନ ସଂକ୍ରାନ୍ତରେ ବି ଛାତ୍ରଛାତ୍ରୀମାନଙ୍କୁ ଏହି ପାଠ୍ୟକ୍ରମରେ ସମ୍ୟକ ଧାରଣା ଦିଆଯାଇ ପାରିବ । ପିଲାମାନଙ୍କ ନୀତି ଓ ନୈତିକତାର ବିକାଶ ପାଇଁ ସ୍ୱତନ୍ତ୍ର ପାଠ୍ୟକ୍ରମ ଲାଗି ପୁସ୍ତକ ପ୍ରଣୟନ ସକାଶେ କିଛି ବିଶେଷଜ୍ଞଙ୍କୁ ବିଭାଗୀୟ କର୍ତ୍ତୃପକ୍ଷ ଦାୟିତ୍ୱ ଦେଉଛନ୍ତି ।

ଏହାଛଡା ନୈତିକ ଶିକ୍ଷା ପ୍ରସଙ୍ଗରେ ଜ୍ଞାନି, ଗୁଣି ଲୋକଙ୍କ ବକ୍ତବ୍ୟର ଭିଡିଓ ରେକର୍ଡିଂ ପ୍ରସ୍ତୁତ କରାଯାଇ କଲେଜଗୁଡିକୁ ଯୋଗାଇ ଦିଆଯିବ । ସେହିପରି ନୈତିକ ଶିକ୍ଷା ଏକ ନୂତନ ପାଠ୍ୟକ୍ରମ ହୋଇଥିବାରୁ ପ୍ରତି କଲେଜରେ ଏହା ଯେଭଳି ଠିକଣା ଭାବେ ପିଲାଙ୍କୁ ପଢାଯାଇପାରେ ସେଥିପାଇଁ ମଧ୍ୟ ଶିକ୍ଷକମାନଙ୍କର ସ୍ୱତନ୍ତ୍ର ରିଫ୍ରେସର ବ୍ୟବସ୍ଥା ପର୍ଯ୍ୟାୟକ୍ରମେ କରିବାଲାଗି ଚିନ୍ତା କରାଯାଉଥିବା ଜଣେ ବରିଷ୍ଠ ଅଧିକାରୀ ସୂଚାଇଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ କେନ୍ଦ୍ର ସରକାର ତାଙ୍କ ନୂତନ ଶିକ୍ଷାନୀତିରେ ଛାତ୍ରଛାତ୍ରୀମାନଙ୍କ ମାନସିକ ବିକାଶ ପାଇଁ ବିଭିନ୍ନ ବ୍ୟବସ୍ଥା ରଖିଥିବାବେଳେ ଓଡିଶା ସରକାର ଆଉ ପାଦେ ଆଗକୁ ଯାଇ ନୈତିକ ଶିକ୍ଷାକୁ କଲେଜ ସ୍ତରରେ ଲାଗୁ କରୁଛନ୍ତି । ତେବେ ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରତି ଶ୍ରେଣୀରେ ନୈତିକ ଶିକ୍ଷାର ବ୍ୟବସ୍ଥା ସହ ଏହି ବିଷୟରେ ପରୀକ୍ଷା ଲାଗି ମଧ୍ୟ ମତପ୍ରକାଶ ପାଉଛି । (ତଥ୍ୟ)