Home News in Odia ନୂଆ ସଦସ୍ୟଙ୍କୁ ନେଇ ଚର୍ଚ୍ଚା

ନୂଆ ସଦସ୍ୟଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର : ଷୋଡଶ ବିଧାନସଭାର ଶେଷ ଅଧିବେଶନ ଚାଲିଥିବାବେଳେ ସପ୍ତଦଶ ବିଧାନସଭାକୁ କେଉଁମାନେ ଫେରିବେ ଓ ନଫେରିବେ ସେଥିଘେନି ବିଧାନସଭା ଲବିରେ ଓ ରାଜନୈତିକ ମହଲରେ ବ୍ୟାପକ ଚର୍ଚ୍ଚା ଚାଲିଛି ।

ବୟସାଧିକ୍ୟ ଓ ଶାରୀରିକ ଅସୁସ୍ଥତା ଆଦି କାରଣରୁ ଚଳିତ ବିଧାନସଭାର ବିଭିନ୍ନ ଦଳର କେତେକ ସଦସ୍ୟ ଆଗାମୀ ନିର୍ବାଚନରେ ପ୍ରାର୍ଥୀହୋଇ ନପାରନ୍ତି । ଏମାନଙ୍କ ମଧ୍ୟରୁ କେତେକ ନିଜ ନିଜର ଦାୟଦମାନଙ୍କୁ ଦଳୀୟ ଟିକଟ ଦେବାପାଇଁ ଉଦ୍ୟମ ଚଳାଇଥିବାବେଳେ ଆଉ କେତେକ ରୋଗ ବ୍ୟାଧି ଓ ଅସୁସ୍ଥତା ସତ୍ୱେ ବି ପୁଣି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବାପାଇଁ ଆଗ୍ରହୀ ।

ସପ୍ତଦଶ ବିଧାନସଭା ପାଇଁ ମାସେ ଦୁଇମାସ ମଧ୍ୟରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ସମ୍ଭାବନ ରହିଛି । ଏହାକୁ ଆଖିଆଗରେ ରଖି ରାଜ୍ୟରେ କ୍ଷମତାସୀନ ବିଜେଡି ସମେତ ଦୁଇ ପ୍ରମୁଖ ଜାତୀୟ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ପକ୍ଷରୁ ଭୋଟରମାନଙ୍କ ନିକଟତର ହେବାଲାଗି ଜୋରଦାର କସରତ ଚାଲିଛି । ଏହି ନିର୍ବାଚନରେ ମହିଳା ଭୋଟରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ପ୍ରାୟ ସବୁ ଦଳ ସ୍ୱୀକାର କରୁଥିବାବେଳେ ଆଶାୟୀ ମହିଳା ପ୍ରାର୍ଥୀମାନଙ୍କ ସଂଖ୍ୟା ବି ଲମ୍ବିବାରେ ଲାଗିଛି । ଏହି କାରଣରୁ କେତେକ ପୁରୁଷ ବିଧାୟକଙ୍କ ସ୍ଥାନରେ ମହିଳାମାନଙ୍କୁ ପ୍ରାର୍ଥୀ କରାଯିବାର ସମ୍ଭାବନା ରହିଛି ।

ସଂସଦରେ ଇତି ମଧ୍ୟରେ ମହିଳମାନଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ପାଇଁ ବିଲ୍‍ ପାରିତ ହୋଇ ଆଇନ୍‍ର ରୂପ ନେଇଥିଲେ ମଧ୍ୟ ତାହା ଏଥର ଲାଗୁ ନକରି ଜନଗଣନା ପରେ ଲାଗୁ କରିବାପାଇଁ କୁହାଯାଉଛି । ତେବେ ଓଡିଶାରେ ବିଜେଡି ନେତୃତ୍ୱାଧିନ ସରକାର ପଞ୍ଚାୟତ ଓ ପୌର ନିର୍ବାଚନରେ ମହିଳାମାନଙ୍କ ଲାଗି ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ କାର୍ଯ୍ୟକାରୀ କରିସାରିଛି । ଗତ ଲୋକସଭା ନିର୍ବାଚନରେ ଓଡିଶାର ୨୧ଟି ଆସନରୁ ୭ଜଣ ମହିଳା ପ୍ରାର୍ଥୀ ବିଜୟୀ ହୋଇ ରାଜ୍ୟପାଇଁ ଜାତୀୟ ସ୍ତରରେ ରେକର୍ଡ ସ୍ଥାପନ କରିଛନ୍ତି । ଏହି ଦୃଷ୍ଟିରୁ ଏଥର ବିଜେଡି, ବିଜେପି ଓ କଂଗ୍ରେସ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭା ପାଇଁ ତୁଳନାତ୍ମକ ଭାବେ ଅଧିକ ଆସନରୁ ମହିଳା ପ୍ରାର୍ଥୀ ଛିଡା କରାଇ ପାରନ୍ତି ।

ଏଥର କେତେ ଜଣ ସାଂସଦଙ୍କୁ ବିଧାନସଭା ଲାଗି ବିଭିନ୍ନ ଦଳ ପ୍ରାର୍ଥୀ କରିବାର ସମ୍ଭାବନା ଥିବାବେଳେ ଆଉ କେତେକ ବିଧାୟକଙ୍କୁ ବି ଲୋକସଭା ପାଇଁ ଲଢାଯାଇ ପାରେ । ଏହାଛଡା ଏଥର ନିର୍ବାଚନରେ ସର୍ବାଧିକ ଦଳଡିଆଁ ଖେଳ ଦେଖିବାକୁ ମିଳିବ । ଏ ପରିପ୍ରେକ୍ଷୀରେ ଦଳଡିଆଁମାନଙ୍କୁ ବି କେତେକ ଆସନରେ ଟିକଟ ମିଳିବାର ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ ।

ବିଭିନ୍ନ ଦଳ ପକ୍ଷରୁ ଭିନ୍ନ ଭିନ୍ନ ସଂସ୍ଥା ମାଧ୍ୟମରେ ନିର୍ବାଚନମଣ୍ଡଳୀୱାରୀ ସର୍ଭେ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ଚାଲିଛି । ଏହାଛଡା ଦଳୀୟ ପର୍ଯ୍ୟବେକ୍ଷକ ଓ ସାଂଗଠନିକ କର୍ମକର୍ତ୍ତାମାନଙ୍କ ରିପୋର୍ଟ ଆଧାରରେ ଜିଣିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଟିକଟ ଦେବାପାଇଁ ପ୍ରମୁଖ ଦଳମାନେ ଚାହିଁବା ନିଶ୍ଚିତ । ଯେଉଁ ବିଧାୟକମାନଙ୍କ ଜିଣିବା ସମ୍ଭାବନା ଦୁର୍ବଳ ସେଠାରେ ପ୍ରାର୍ଥୀ ବଦଳାଯିବ ବୋଲି ବିଭିନ୍ନ ଦଳର ନେତାମାନେ ପରୋକ୍ଷରେ ସୂଚନା ଦେଉଛନ୍ତି । ଏ ପରିପ୍ରେକ୍ଷୀରେ ଚଳିତ ବିଧାନସଭାରେ କେଉଁମାନେ ବିଦାୟ ନେବେ ଏବଂ ବର୍ତ୍ତମାନର ସଦସ୍ୟମାନଙ୍କ ମଧ୍ୟରୁ ଆଉ କେଉଁମାନେ ନୂଆ ବିଧାନସଭାକୁ ଆସିବେ ସେଥିଘେନି ଚର୍ଚ୍ଚା ଜୋର ଧରିଛି । (ତଥ୍ୟ)